ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଲୁହାପଥର ବୋଝେଇ ଟ୍ରକ ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କର ପରିଚୟ ଅସ୍ପଷ୍ଟ ରହିଛି ।
ସୂଚନା ମୂତାବକ ଆଜି ଭୋର ସକାଳୁ ଏକ ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା । ମାତ୍ର କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଓଲଟି ପଡିଥିଲା । ଟ୍ରକଟି ଓଲଟି ପଡିବା ସମୟରେ ଡ୍ରାଇଭର ଡେଇଁ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଟ୍ରକଟି ଡ୍ରାଇଭରଙ୍କ ଉପରେ ପଡିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ପରେ ଅଗ୍ନିଶମ ବାହିନୀ ଏବଂ ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।
Comments are closed.