Latest Odisha News

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ ପ୍ରକୃତ ବନ୍ଧୁ । ଉତ୍ତମ ବନ୍ଧୁ କଠିନରୁ କଠିନ ସମସ୍ୟାର ସମାଧାନ କରି ସଫଳକାମୀ କରାଇଥାନ୍ତି । ମନୁଷ୍ୟ ଜୀବନରେ ବନ୍ଧୁମାନେ ସମ୍ପର୍କୀୟଙ୍କଠାରୁ ମଧ୍ୟ ଅଧିକ ନିଜର ହୋଇଥାନ୍ତି । ଯଦି କୌଣସି ମିତ୍ର ହିଁ ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ, ତେବେ ସେ ଶତ୍ରୁଠାରୁ ମଧ୍ୟ ଅଧିକ ଘାତକ ଓ ଭୟଙ୍କର ସାବ୍ୟସ୍ତ ହୋଇଥାଏ । ସ୧ୁଖରେ ପ୍ରଶଂସା ଓ ପଛରେ ନିନ୍ଦା କରୁଥିବା ମିତ୍ର ବିଷଧର ସର୍ପଠାରୁ ମଧ୍ୟ ଭୟଙ୍କର ହୋଇଥାଏ । ଦୁଃଖ ସମୟରେ ପ୍ରକୃତ ବନ୍ଧୁର ପରିଚୟ ମିଳେ । ସମସ୍ତେ ତ ସୁଖର ସାଥୀ । ଯେତେବେଳେ ଖରାପ ସମୟ ଆସେ । ସେତେବେଳେ ଯିଏ ପାଖରେ ପହଞ୍ଚି ଉପଯୁକ୍ତ ପରାମର୍ଶ ଦିଏ । ପାଖରେ ରହି ସେବାକରେ, ଆଶ୍ୱାସନା ଦିଏ ସିଏ ଅସଲ ବନ୍ଧୁ । ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ । ଅନ୍ୟ ସବୁ ମତଲବୀ ବନ୍ଧୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଯିଏ ସାମ୍ନାରେ ପ୍ରଶଂସା କରେ ଏବଂ ପଛରେ ଖରାପ କୁହେ ସେମାନେ ବନ୍ଧୁ ହେବା ଯୋଗ୍ୟ ନୁହେଁ । ଏଭଳି ଲୋକେ ସାମ୍ନାରେ ମଧୁର କଥା କୁହନ୍ତି ଓ ଅନ୍ୟଜଣଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଭଳି ବନ୍ଧୁମାନେ ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି । ଶତ୍ରୁ ଅପେକ୍ଷା ଅଧିକ ବିପଦଜ୍ଜନକ ହୋଇଥାନ୍ତି ଏହିଭଳି ମିତ୍ର । ଥରେ ଥରେ ଏମିତି ହୁଏ ଆମେ ଆମର କଥା ପ୍ରତି ଅଧିକ ଗୁରୁତ୍ୱ ଦେଉ । ଅନ୍ୟ ଜଣେ କ\’ଣ କହୁଛି, ତାର କଥାକୁ କର୍ଣ୍ଣପାତ କରୁନାହୁଁ । ଆମେ ନିଜକୁ ସର୍ବଜ୍ଞ ବୋଲି ଅନୁଭବ କରୁ । ବାସ୍ତବିକ୍ ସଂସାର ସେମିତି ନୁହେଁ । ଆମର ତାହା ଭ୍ରମ ବା ଅହଂକାର ।

ଥରେ ସମୁଦ୍ରର କୂଳରେ ଗୋଟିଏ କଙ୍କଡ଼ା ଅତି ଆନନ୍ଦରେ ବିଚରଣ କରୁଥିଲା । ନିଜର ସୁନ୍ଦର ପାଦ ଚିହ୍ନକୁ ଦେଖି ଭାବାବେଗ ହେଇ ପଡୁଥିଲା । ନିଜର ପାଦକୁ ଗଣି ଗଣି ଡେଇଁ ଡେଇଁ ଆନନ୍ଦ ଅନୁଭବ କରୁଥିଲା । ହଠାତ୍ ସମୁଦ୍ରର ଲହରୀରେ ତାହାର ସମସ୍ତ ଆନନ୍ଦ ବିଷାଦରେ ପରିଣତ ହୋଇଗଲା । ସମୁଦ୍ର ତାର ସୁନ୍ଦର ପାଦ ଚିହ୍ନକୁ ଲହରୀ ମାଧ୍ୟମରେ ନିଶ୍ଚିହ୍ନ କରିଦେଲା । କଙ୍କଡ଼ା ସମୁଦ୍ର ଉପରେ ବହୁତ କ୍ରୋଧାନ୍ୱିତ ହେଲା । ଅଭିମାନ କଲା । ସମୁଦ୍ରକୁ ପଚାରିଲା- ତୁମେ ମୋର କି ମିତ୍ର? ମୋର ଆନନ୍ଦ ଉତ୍କଣ୍ଠାର ସୁନ୍ଦର ପାଦ ଗୁଡିକୁ ତୁମେ ଲହରୀ ମାଧ୍ୟମରେ ଜଳରେ ମିଶାଇ ଦେଲ । ତୁମେ ମୋର ମିତ୍ର ନୁହେଁ । ତୁମେ ଜଣେ ଅସହିଷ୍ଣୁ ଶତ୍ରୁ । ସମୁଦ୍ର କହିଲେ- ମିତ୍ର ସଦାସର୍ବଦା ମିତ୍ର । ସେଥିପାଇଁ ତ କହିଲେ- “ଉତ୍ସବେ ବ୍ୟସନେ ଚୈବ… ।’

ପ୍ରକୃତ ମିତ୍ର ସିଏ ଯିଏ କି ବନ୍ଧୁର ସୁଖ ଦୁଃଖ ସବୁଥିରେ ସାଥି ଦେଇଥାଏ । ହେ ମିତ୍ର! ଆପଣ ମୋତେ ଭୁଲ୍ ବୁଝିଲେ । ଆପଣଙ୍କର ପଛରେ ସମୁଦ୍ରରେ ମାଛ ଧରୁଥିବ କେଉଟମାନେ କୂଳରେ ସବୁ ପାଦ ଚିହ୍ନକୁ ଦେଖୁଛନ୍ତି ଗଣୁଛନ୍ତି । କଙ୍କଡ଼ାର ପାଦ ଚିହ୍ନକୁ ଦେଖି ସେମାନେ ଧରୁଛନ୍ତି । ସେଥିପାଇଁ କାଳେ ମୋର ମିତ୍ରର ସୁନ୍ଦର ପାଦ ଚିହ୍ନ ଗଣି ଧରି ଦେବେ । ସେଥିପାଇଁ ମୁଁ ଲହରୀ ମାଧ୍ୟମରେ ପାଦ ଚିହ୍ନକୁ ଲିଭାଇ ଦେଲି । କଙ୍କଡା କହିଥିବା କଥାରେ ଅନୁତପ୍ତ ହୋଇଥିଲା । ଖରାପ ସମୟରେ ଯିଏ ଛାଇପାରି ସାଙ୍ଗରେ ଠିଆ ହୁଏ ତାହାକୁ ଜୀବନରେ ସବୁବେଳେ ମାନେ ରଖିବା ଉଚିତ୍ । ଆମ ବିଚାର, ଆମ ଚିନ୍ତାଧାରା ଥରେ ଥରେ ଆମ ପାଇଁ ଘାତକ ହୋଇଥାଏ । ତେଣୁ ଆମେ ଆମ ବିଚାର ଏବଂ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଉଚିତ୍ । ସକରାତ୍ମକ ଚିନ୍ତାଧାରା ଏବଂ ଉତ୍ତମ ବନ୍ଧୁର ପରାମର୍ଶ ଆମକୁ ସଫଳତାର ସ୍ୱାଦ ଚଖାଇବ ।

Comments are closed.