ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା। ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍। ଆମେରିକୀୟ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଉପାଦାନର ରପ୍ତାନି ଉପରେ ଚୀନ୍ ର ପ୍ରତିବନ୍ଧକ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ବୋଲି ଉଲ୍ଲେଖ କରି ଟ୍ରମ୍ପ୍ ଏବେ ଚୀନ୍ ଉତ୍ପାଦ ଉପରେ ଅଧିକ ଶୁଳ୍କ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନଭେମ୍ବର ୧ ତାରିଖରୁ, ଆମେରିକା ଚୀନ୍ରୁ ଆମଦାନି ହେଉଥିବା ସମସ୍ତ ଉତ୍ପାଦ ଉପରେ ୧୦୦% ଶୁଳ୍କ ଲାଗୁ କରିବ। ଏହା ବ୍ୟତୀତ, ସେହି ଦିନ ସମସ୍ତ ସଫ୍ଟୱେର୍ ଉପରେ ଆମେରିକା ରପ୍ତାନି ନିୟନ୍ତ୍ରଣ ମଧ୍ୟ ଲାଗୁ କରିବ।
ଚୀନ୍ ଉପରେ ୧୦୦% ଶୁଳ୍କ ଘୋଷଣା ପରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ସାକ୍ଷାତ ବାତିଲ କରିଛନ୍ତି କି ନାହିଁ ପଚରାଯିବାରୁ ଟ୍ରମ୍ପ୍ କହିଥିଲେ, “ନା, ମୁଁ ଏହାକୁ ବାତିଲ କରିନାହିଁ। କିନ୍ତୁ ମୁଁ ଜାଣିନାହିଁ ଆମେ ସାକ୍ଷାତ କରିବୁ କି ନାହିଁ।” ଯଦି ଚୀନ୍ ରପ୍ତାନି ନିୟନ୍ତ୍ରଣ ଉଠାଇଦିଏ ତେବେ ସେ ଅତିରିକ୍ତ ଶୁଳ୍କ ଉଠାଇବେ କି ନାହିଁ ପଚରାଯିବାରୁ ସେ କହିଥିଲେ, “ଆମେ ଆଗକୁ ବିଚାର କରିବୁ ଏହା ଉପରେ କ’ଣ କରାଯିବା ଉଚିତ। ସେଥିପାଇଁ ମୁଁ ଏହାକୁ ନଭେମ୍ବର ୧ ତାରିଖ ପାଇଁ ସ୍ଥିର କରିଛି।”
ଅନ୍ୟପଟେ ଟାରିଫ୍ ବିବାଦ ଭିତରେ ନୂଆ ନିଷ୍ପତ୍ତି ନେଇଛି ଚୀନ । ଆମେରିକା ଦ୍ୱାରା ନିର୍ମିତ ଓ ପରିଚାଳିତ ଜାହାଜଗୁଡ଼ିକ ଉପରେ ଚୀନର ସ୍ପେସାଲ ପୋର୍ଟ ଫି ବା ସ୍ୱତନ୍ତ୍ର ବନ୍ଦର ଫି । ଆମେରିକାର ଜାହାଜଗୁଡ଼ିକ ଚୀନର ବନ୍ଦର ବ୍ୟବହାର କଲେ ଏହି ଫି ଦେବାକୁ ପଡ଼ିବ । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଘୋଷଣା କରିଛି । ଜାହାଜଗୁଡ଼ିକ ଟନ୍ ପିଛା ୪ ଶହ ୟୁଆନ ବା ୫୬ ଡଲାର ଦେବେ । ବର୍ଷକୁ ବର୍ଷ ଏହି ଫି ବଢ଼ିବ । ପୂର୍ବରୁ ଚୀନ ଉପରେ ଆମେରିକା ମଧ୍ୟ ଏହି ପ୍ରକାର ଫି ଲଗାଇଛି । ଏବେ ପାଲଟା ଫି ଲଗାଇଛି ଚୀନ । ଫି ଲଗାଇବା ସହିତ ଚୀନ କହିଛି, ଆମେରିକା ନିଜ ତ୍ରୁଟି ପ୍ରଥମେ ସଂଶୋଧନ କରିବା ଆବଶ୍ୟକ ।
Comments are closed.