Latest Odisha News

ଆମେରିକାରେ କ’ଣ ନୂଆ କରିବାକୁ ଯାଉଛନ୍ତି ଟ୍ରମ୍ପ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ହିଁ ଆକ୍ସନ ମୋଡରେ ଡୋନାଲଡ ଟ୍ରମ୍ପ। ବିଭାଗ ବଣ୍ଟନରେ ଟ୍ବିଷ୍ଟ ଦେଇ ପୂରା ବିଶ୍ବକୁ ଚମକାଇ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବା ଡିଓଜିଇ । ପ୍ରଶାସନରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ଟ୍ରମ୍ପ ଏହି ନୂଆ ବିଭାଗ କରିଛନ୍ତି । ଆଉ ବିଭାଗ ସମ୍ଭାଳିବା ପାଇଁ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଓ ଟେସଲା ସିଇଓ ଏଲନ ମସ୍କଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଏହି ବିଭାଗ ହେଉଛି ବର୍ତ୍ତମାନ ସମୟର ଦି ମ୍ୟାନହଟ୍ଟନ ପ୍ରୋଜେକ୍ଟ । ଏହାଦ୍ବାରା ଜୁଲାଇ ୨୦୨୬ ସୁଦ୍ଧା ପୂରା ସଂଘୀୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ ।

ଡିଓଜିଇର ଏଜେଣ୍ଡା କ’ଣ?

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସମୟରୁ ହିଁ ଜିତିଲେ ଆମେରିକାରେ ବ୍ୟାପକ ପରିବର୍ତ୍ତନ ନେଇ ସଂକେତ ଦେଇଥିଲେ ଟ୍ରମ୍ପ । ଆଉ ପରିବର୍ତ୍ତନର ପ୍ରଥମ ପାହାଚ ହେଉଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବା ସରକାରୀ ଦକ୍ଷତା ବିଭାଗ । ଏହି ଖାସ ଟିମରେ ବିବେକ ରାମସ୍ବାମୀ ଓ ଏଲନ ମସ୍କଙ୍କୁ ସାମିଲ କରିଛନ୍ତି ଟ୍ରମ୍ପ । ପୂର୍ବ ସରକାରରେ ଅମଲାତନ୍ତ୍ରର ଅଧିକ ପ୍ରଭାବ ରହିଥିବା ଟ୍ରମ୍ପ ପ୍ରଚାର ବେଳେ କହିଥିଲେ । ତେଣୁ ସରକାରୀ ଦକ୍ଷତା ବିଭାଗ ଆମେରିକା ରାଜନୈତିକ ବ୍ୟବସ୍ଥାରେ ବ୍ୟୁରୋକ୍ରାସିର ଅତିରିକ୍ତ ପ୍ରଭାବ କମ୍ କରିବ । ଅମଲାତାନ୍ତ୍ରିକ ନିୟନ୍ତ୍ରଣ, ଅତିରିକ୍ତ ନିୟମକୁ କମ୍ କରିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ ତଥା ସଂଘୀୟ ଏଜେନ୍ସି ଗୁଡିକର ପୁନର୍ଗଠନ ପାଇଁ ବିଭାଗ କାମ କରିବ ।

ଖର୍ଚ୍ଚ କାଟ୍, ସଂଘୀୟ ଏଜେନ୍ସିର ପୁନର୍ଗଠନ

ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଆମେରିକାର ସଂଘୀୟ ବଜେଟ୍ କମାଇବା ଦିଗରେ ଟ୍ରମ୍ପଙ୍କୁ ସହଯୋଗ କରିବେ ବୋଲି ମସ୍କ କହିଥିଲେ । ତେଣୁ ବିଭାଗ ସରକାରୀଙ୍କ ଅନାବଶ୍ୟକ ଖର୍ଚ୍ଚକାଟ୍ ଦିଗରେ କାମ କରିବ । ସେହିପରି ସରକାରୀ ଦକ୍ଷତା ବିଭାଗ ସଂଘୀୟ ଏଜେନ୍ସିର ପୁନର୍ଗଠନ ସହ ନିୟମରେ ପରିବର୍ତ୍ତନ କରିବ । ଅର୍ଥାତ ସମସ୍ତ ଏଜେନ୍ସିର କାମ ଓ ଅନ୍ୟ ସମସ୍ତ ଦିଗକୁ ତର୍ଜମା କରିବା ସହ ଅବଶ୍ୟକ ପରିବର୍ତ୍ତନ କରାଯିବ। ବର୍ଷ ବର୍ଷ ଧରି ଆମେରିକା ସରକାରରେ ଚାଲି ଆସିଥିବା ନିୟମ ବି ବଦଳିବ ।

କାହିଁକି ରାମସ୍ବାମୀ ଓ ମସ୍କଙ୍କୁ ବାଛିଲେ ଟ୍ରମ୍ପ?

ଟ୍ରମ୍ପଙ୍କ ସରକାରୀ ଦକ୍ଷତା ବିଭାଗର ଦାୟିତ୍ବ ନେବେ ବିବେକ ରାମସ୍ବାମୀ ଓ ଏଲନ ମସ୍କ । ଏଲନ ମସ୍କ ଟେସଲା ଓ ସ୍ପେସଏକ୍ସ ସିଇଓ ତ ବିବେକ ରାମସ୍ବାମୀ ଏକ ଫାର୍ମା କମ୍ପାନୀ ମାଲିକ । ଉଭୟ ପୂର୍ବରୁ ଆମେରିକା ସରକାରଙ୍କ ଅନାବଶ୍ୟକ ଖର୍ଚ୍ଚକୁ ବିରୋଧ କରିଆସିଛନ୍ତି । ଏପରିକି ଅମଲାତନ୍ତ୍ରର ଅତିରିକ୍ତ ଦଖଲ ଓ ମାତ୍ରାଧିକ ନିୟମ ବିରୋଧରେ ବି କହିଛନ୍ତି । ବିଭାଗ ଦାୟିତ୍ବ ମିଳିବା ପରେ ଏହାଦ୍ବାରା ସରକାରୀ ଅର୍ଥ ବରବାଦ କରୁଥିବା ଲୋକଙ୍କୁ ସିଧା ସନ୍ଦେଶ ଯିବ ବୋଲି ଏଲନ ମସ୍କ କହିଛନ୍ତି । ସେପଟେ ମିଳିଥିବା ଦାୟିତ୍ବକୁ ଆକ୍ରମଣାତ୍ମକ ଢଙ୍ଗରେ ଲାଗୁ କରାଯିବ କହିଛନ୍ତି ବିବେକ ରାମସ୍ବାମୀ ।

ଟ୍ରମ୍ପଙ୍କ ନୂଆ ବିଭାଗ ଡିଓଜିଇ ନାଁ ସହିତ ରହିଛି ଏଲନ ମସ୍କଙ୍କ କନେକ୍ସନ୍ । ଡୋଜେକଏନ ଏକ ଜଣାଶୁଣା କ୍ରିପ୍ଟୋକରେନ୍ସି, ଏହାକୁ ୨୦୧୩ରେ ତିଆରି କରାଯାଇଥିଲା । ବିଲି ମାର୍କସ ଓ ଜାକସନ ପାଲମର ଏହାକୁ ଲଞ୍ଚ କରିଥିଲେ । ୨୦୨୧ରେ ଏଲନ ମସ୍କଙ୍କ ପାଇଁ ଚର୍ଚ୍ଚାକୁ ଆସିଥିଲା ଏହି କ୍ରିପ୍ଟୋକରେନ୍ସି । ଏହାକୁ ନେଇ ଟ୍ବିଟ୍ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ ମସ୍କ । ଡୋଜେକଏନକୁ ଲୋକେ ଡୋଜ ବି କୁହନ୍ତି । ଡୋଜ୍ ନେଇ ମିମ୍ସ ଭାଇରାଲ୍ ହେବା ପରେ କ୍ରିପ୍ଟୋକରେନ୍ସି କମ୍ୟୁନିଟି ଏହା ପ୍ରତି ଆଗ୍ରହ ଦେଖାଇଥିଲେ । ତେବେ ଟ୍ରମ୍ପଙ୍କ ନୂଆ ବିଭାଗର ନାଁ ଡୋଜକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

Comments are closed.