ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଘର ଏବେ ପୁଣିଥରେ ନୂଆ ମାଲିକଙ୍କ ହାତକୁ ଯାଇଛି । ନ୍ୟୁୟର୍କ ସହରର କ୍ୱିନ୍ସ ଅଞ୍ଚଳରେ ଥିବା ଏହି ଐତିହାସିକ ‘ଟ୍ୟୁଡର-ଷ୍ଟାଇଲ୍’ ଘରଟି ନିକଟରେ ପ୍ରାୟ ୧୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଗତ କିଛି ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ଘରକୁ ସମ୍ପୂର୍ଣ୍ଣ ଆଧୁନିକ ରୂପ ଦିଆଯିବା ପରେ ଜଣେ ଅଜ୍ଞାତ ଗ୍ରାହକ ଏହାକୁ କିଣିଥିବା ରିଏଲ୍ ଇଷ୍ଟେଟ୍ ୱେବସାଇଟରୁ ସୂଚନା ମିଳିଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ବାବା ତଥା ଜଣାଶୁଣା ଡେଭେଲପର ଫ୍ରେଡ୍ ଟ୍ରମ୍ପ ୧୯୪୦ ମସିହାରେ ନ୍ୟୁୟର୍କର ଧନୀ ଅଞ୍ଚଳ ‘ଜମାଇକା ଏଷ୍ଟେଟ୍ସ’ରେ ଏହି ଘର ନିର୍ମାଣ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ନିଜ ଜୀବନର ପ୍ରଥମ ୪ ବର୍ଷ ଏହି ଘରେ ବିତାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ନିକଟସ୍ଥ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହୋଇଯାଇଥିଲେ । ଦୀର୍ଘ ବର୍ଷ ହେବ ଏହି ଘର ଉପରେ ଟ୍ରମ୍ପ ପରିବାରର କୌଣସି ମାଲିକାନା ନଥିଲା ।
ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା କାରଣରୁ ପାଞ୍ଚ ବେଡରୁମ୍ ଏବଂ ତିନି ବାଥରୁମ୍ ବିଶିଷ୍ଟ ଏହି ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ପାଣି ପାଇପ୍ ଫାଟିଯିବାରୁ କାନ୍ଥରେ ଫିମ୍ପି ମାରିଯାଇଥିଲା ଏବଂ ଘର ଭିତରେ ଜଙ୍ଗଲୀ ବିରାଡ଼ିମାନେ ବସା ବାନ୍ଧିଥିଲେ । ଗତବର୍ଷ ଟମି ଲିନ୍ ନାମକ ଜଣେ ଡେଭେଲପର ଏହାକୁ ମାତ୍ର ୮,୩୫,୦୦୦ ଡଲାରରେ କିଣିଥିଲେ । ଏହାପରେ ସେ ପ୍ରାୟ ୫ ଲକ୍ଷ ଡଲାର ଖର୍ଚ୍ଚ କରି ୮ ମାସ ଧରି ଘରର ଭିତର ପାର୍ଶ୍ୱକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ବର୍ତ୍ତମାନ ଏଥିରେ ଆଧୁନିକ ଶେଫ୍-ଷ୍ଟାଇଲ୍ କିଚେନ୍, ଉନ୍ନତମାନର ଉଡେନ୍ ଫ୍ଲୋରିଂ ଏବଂ ସ୍ପା ଭଳି ଅତ୍ୟାଧୁନିକ ବାଥରୁମ୍ ରହିଛି, ଯାହା ଏହାର ଚାହିଦା ବହୁଗୁଣିତ କରିଦେଇଛି ।
ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହି ଘରର ଚାହିଦା ବଢ଼ିଯାଇଥିଲା। ୨୦୧୭ ମସିହାରେ ଏହାକୁ ୨.୧୪ ମିଲିୟନ୍ ଡଲାରରେ କିଣାଯାଇଥିଲା ଏବଂ ‘ଟ୍ରମ୍ପ ବର୍ଥ ହୋମ୍ ଏଲଏଲସି’ ନାମକ କମ୍ପାନୀ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଏୟାରବିଏନବିରେ ଭଡ଼ାରେ ଲଗାଇଥିଲା। ସେହି ସମୟରେ ଟ୍ରମ୍ପଙ୍କ କାର୍ଡବୋର୍ଡ କଟଆଉଟ୍ ଏବଂ ତାଙ୍କ ଲିଖିତ ବହି ‘ଦ ଆର୍ଟ ଅଫ୍ ଦ ଡିଲ୍’ ରଖାଯାଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଥିଲା। ୨୦୧୯ରେ ଏହାର ଦାମ୍ ୨.୯ ମିଲିୟନ୍ ଡଲାର ରଖାଯାଇଥିଲେ ମଧ୍ୟ ସେତେବେଳେ କୌଣସି ଗ୍ରାହକ ମିଳିନଥିଲେ।
ପିଲାଦିନେ ଏହି ସାଧାରଣ ଘରେ ରହୁଥିବା ଟ୍ରମ୍ପ ପରବର୍ତ୍ତୀ ସମୟରେ ନିଜ ନାମରେ ‘ଟ୍ରମ୍ପ ଟାୱାର’ ନିର୍ମାଣ କରି ରିଏଲ୍ ଇଷ୍ଟେଟ୍ ଜଗତରେ ଏକ ବଡ଼ ସାମ୍ରାଜ୍ୟ ଠିଆ କରିଛନ୍ତି ।

