Latest Odisha News

BREAKING NEWS

ଟାରିଫ ଯୁଦ୍ଧ…କନଫ୍ୟୁଜ ଆମେରିକା

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଦିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଋଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଖପ୍ପା ଟ୍ରମ୍ପ। ଭାରତ ଉପରେ ଏବେ 25 ପ୍ରତିଶତ ଟାରିଫ ଲାଗିଥିବା ବେଳେ ଆସନ୍ତା 27 ତାରିଖରୁ ଆଉ 25 ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି। ଯେପର୍ଯ୍ୟନ୍ତ ଟାରିଫକୁ ନେଇ ସମାଧାନ ହୋଇନି, ସେପର୍ଯ୍ୟନ୍ତ ଭାରତ ସହ ଆଲୋଚନା ହେବନି କହି କଡା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ। ଏପରିକି ଆଗକୁ ଟାରିଫ ବଢାଇପାରନ୍ତି ବୋଲି ବି ଚେତାବନୀ ଦେଇଛନ୍ତି। ସେପଟେ ଭାରତ ରଣନୈତିକ ସହଯୋଗୀ ଓ ଖୋଲାଖୋଲି ଆଲୋଚନା କରାଯିବ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାପରେ ପ୍ରଶ୍ନ ଉଠୁଛି ଟାରିଫକୁ ନେଇ ଦ୍ବନ୍ଦ୍ବରେ କି ଆମେରିକା?

ଭାରତ ସାଙ୍ଗେ ଏବେ କଥା ନାହିଁ

ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ବୁଝାମଣାକୁ ନେଇ ଆଲୋଚନା ପାଇଁ ଆମେରିକାର ଏକ ଟିମ୍ ଭାରତ ଆସିବାର ଥିଲା। ଏହାକୁନେଇ କୁହାଯାଉଥିଲା, ଶୀଘ୍ର ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହେବ। ତେବେ ଯେପର୍ଯ୍ୟନ୍ତ ଟାରିଫକୁ ନେଇ ସମାଧାନ ହୋଇନି ସେପର୍ଯ୍ୟନ୍ତ ବାଣିଜ୍ୟ ନେଇ ଭାରତ ସହ କୌଣସି ଆଲୋଚନା କରାଯିବନି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ଏଭଳି ବୟାନ ପରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଆଲୋଚନା ବନ୍ଦ କରାଯାଇଛି।

କଣ କହିଲା ଆମେରିକା ବିଦେଶ ମନ୍ତ୍ରାଳୟ?

ଟ୍ରମ୍ପ ବାଣିଜ୍ୟ ନେଇ ଭାରତ ସହ କୌଣସି ଆଲୋଚନା ହେବନି କହୁଥିବା ବେଳେ ଭିନ୍ନ ବୟାନ ଦେଇଛି ଆମେରିକାର ବିଦେଶ ମନ୍ତ୍ରାଳୟ। ଭାରତ ଆମେରିକାର ରଣନୈତିକ ସହଯୋଗୀ। ଏହାସହ ସଂପୂର୍ଣ୍ଣ ଓ ସ୍ପଷ୍ଟ ଆଲୋଚନା କରେ ଆମେରିକା, ଏହା ଆଗକୁ ବି ଜାରି ରହିବ ବୋଲି ଦେଶର ବିଦେଶ ମନ୍ତ୍ରାଳୟ ପ୍ରମୁଖ ଉପମୁଖପାତ୍ର ଟମି ପିଗୋଟ କହିଛନ୍ତି। ଏହାସହ ରାଷ୍ଟ୍ରପତି ଟ୍ରମ୍ପ ବାଣିଜ୍ୟ ଅସନ୍ତୁଳନ ଓ ଋଷଠାରୁ ଭାରତ ତେଲ କିଣା ଜାରି ରଖିବା ନେଇ ବେଶ ସ୍ପଷ୍ଟ ବୋଲି ସେ କହିଛନ୍ତି। ଏସବୁ ଚିନ୍ତା ଆଧାରରେ ସେ ଆକ୍ସନ ନେଇଛନ୍ତି। ସେହିପରି ଓ୍ବାଶିଂଟନ ସହ ସଂପର୍କ ବିଗିଡିବା ପରେ ଭାରତ ଚୀନର ନିକଟତର ହେବା ସମ୍ଭାବନା ନେଇ ପ୍ରଶ୍ନର ଉତ୍ତରେ ଭାରତ ସହ ନିରନ୍ତର ସଂପର୍କ ଜରିଆରେ ମତଭେଦ ଦୂରେଇବା ନେଇ ସେ ପ୍ରତିବଦ୍ଧତା ଦୋହରାଇଛନ୍ତି।

ବିପଦରେ ବର୍ଷ ବର୍ଷର ପରିଶ୍ରମ…

ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇବା ନିଷ୍ପତ୍ତିକୁ ଆମେରିକାର ବରିଷ୍ଠ ସାଂସଦ ଗ୍ରେଗରି ମିକ୍ସ ସମାଲୋଚନା କରିଛନ୍ତି। ଏହାଦ୍ବାରା ଓ୍ବାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ମଜବୁତ ସଂପର୍କ ପାଇଁ ଦୁଇ ଦଶନ୍ଧୀ ଧରି ହୋଇଥିବା ଉଦ୍ୟମ ବିପଦରେ ପଡିପାରେ। ଦୁଇ ଦେଶ ମଧ୍ୟରେ ଗଭୀର ରଣନୈତିକ, ଆର୍ଥିକ ସଂପର୍କ ରହିଛି। ଏହା ଦୁଇ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଭାରତ ଓ ଆମେରିକା ମଧ୍ୟରେ ସହଯୋଗୀତା ବଜାୟ ରଖିବା ଜରୁରୀ। ଟାରିଫ ପରି ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ସାଂସଦ ଗ୍ରେଗରି ମିକ୍ସ କହିଛନ୍ତି। ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅନୁଚିତ ଓ ବିବେକହୀନ କହିଛି ଭାରତ। ଦେଶର ହିତ ଦୃଷ୍ଟିରୁ ସରକାର ପଦକ୍ଷେପ ନେବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Comments are closed.