ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର କଳାବାଦଲ ଆହୁରି ଘନିଭୂତ ହେବାରେ ଲାଗିଛି ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିସ୍ଫୋରକ ବୟାନ ପୁରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଇରାନକୁ ମଙ୍ଗଳବାର ଯାଏଁ ଡେଡ୍ଲାଇନ୍ ଦେଇଛନ୍ତି ଟ୍ରମ୍ପ । ଯଦି ଚୁକ୍ତି ନହୁଏ, ତେବେ ଇରାନକୁ ମାନଚିତ୍ରରୁ ପୋଛି ଦେବାକୁ ଧମକ ଦେଇଛନ୍ତି ଆମେରିକା କମାଣ୍ଡର-ଇନ୍-ଚିଫ୍ ।
ମଙ୍ଗଳବାର ସୁଦ୍ଧା ସିଜ୍ଫାୟାର କର, ନଚେତ୍ ପୁରା ଇରାନକୁ ଉଡ଼ାଇ ଦେବୁ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଗୋଟିଏ ଚେତାବନୀ ଏବେ ଇରାନର ନିଦ ହଜାଇ ଦେଇଛି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ମଙ୍ଗଳବାର ସୁଦ୍ଧା କୌଣସି ଶାନ୍ତି ଚୁକ୍ତି ନହୁଏ, ତେବେ ପରିଣାମ ଭୟଙ୍କର ହେବ। ଇରାନର ପାୱାର ପ୍ଲାଣ୍ଟ, ବ୍ରିଜ୍ ଏବଂ ଜରୁରୀ ଭିତ୍ତିଭୂମି ଉପରେ ଆମେରିକା ମିସାଇଲ୍ ବର୍ଷା କରିବ । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଲେଖିଛନ୍ତି— “ମଙ୍ଗଳବାର ଇରାନରେ ‘ପାୱାର ପ୍ଲାଣ୍ଟ ଡେ’ ଏବଂ ‘ବ୍ରିଜ୍ ଡେ’ ହେବ।” ଏହାସହ ହୋର୍ମୁଜ ଷ୍ଟ୍ରେଟ୍ ଖୋଲିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା ନହୁଏ, ଇରାନ ନର୍କ ସାଜିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ତେବେ ଏହି ଧମକ ପରେ ଚୁପ୍ ବସିନି ଇରାନ। ପାଲଟା ଜବାବ ଦେଇ ଇରାନ କହିଛି ଯେ, ଯଦି ଆମେରିକା ଆମର ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଆମେ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକୁ ଟାର୍ଗେଟ୍ କରିବୁ।
ପାକିସ୍ତାନ, ମିଶର ଏବଂ ତୁର୍କୀ ମଧ୍ୟସ୍ଥତାରେ ଆଲୋଚନା ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ। ଟ୍ରମ୍ପଙ୍କ ଦାବି ଅନୁଯାୟୀ, ଇରାନର ସାଧାରଣ ଜନତା ମଧ୍ୟ ନିଜ ସରକାରଙ୍କ ବିରୋଧରେ ଅଛନ୍ତି ଏବଂ ସେମାନେ ଏହି ପରିବର୍ତ୍ତନ ଚାହୁଁଛନ୍ତି।
ଏବେ ଅପେକ୍ଷା ମଙ୍ଗଳବାର ସୁଦ୍ଧା ଇରାନ ନଇଁବ ନା ମଧ୍ୟପ୍ରାଚ୍ୟରେ ଏକ ଭୟଙ୍କର ରକ୍ତପାତ ଦେଖିବାକୁ ମିଳିବ ? ଆମେରିକାର ଏହି ‘ୱାର୍ ଗେମ୍’ରେ ପୁରା ବିଶ୍ୱର ନଜର ରହିଛି।