Latest Odisha News

BREAKING NEWS

ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଇଫତାର୍ ପାର୍ଟିକୁ ନେଇ ବିବାଦ, ରାଗିଗଲେ ଆମେରିକାନ୍ ମୁସଲିମ୍

ୱାଶିଂଟନ: ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ବାର୍ଷିକ ଇଫତାର ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ପାର୍ଟିରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟ ପାଇଁ ​​ଆମେରିକୀୟ ମୁସଲିମ ସମ୍ପ୍ରଦାୟକୁ ଧନ୍ୟାବାଦ ଏବଂ କୃତଜ୍ଞତା ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି।

ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନର ଆୟୋଜନ କରିବା ସମୟରେ, ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନକୁ ସ୍ୱାଗତ କରୁଛି। ଆମେ ଇସଲାମର ପବିତ୍ର ମାସ, ରମଜାନ୍ ପାଳନ କରୁଛୁ। ଏହା ଏକ ବହୁତ ସୁନ୍ଦର ମାସ। ସାରା ବିଶ୍ୱର ମୁସଲମାନମାନଙ୍କୁ ରମଜାନର ଶୁଭେଚ୍ଛା। ଆମେ ବିଶ୍ୱର ସବୁଠାରୁ ମହାନ ଧର୍ମ ମଧ୍ୟରୁ ଗୋଟିଏକୁ ସମ୍ମାନ କରୁ।

ସୂଚନାଯୋଗ୍ୟ ଯେ, ହ୍ୱାଇଟ୍ ହାଉସରେ ଇଫତାର୍ ପାର୍ଟି ଆୟୋଜନ କରିବାର ଦୁଇ ଦଶନ୍ଧି ପୁରୁଣା ପରମ୍ପରା ରହିଛି। କିନ୍ତୁ ଅଭିଯୋଗ ଅଛି ଯେ, ଏଥର ଆମେରିକୀୟ ମୁସଲିମ ସାଂସଦ ଏବଂ ଏହି ସମ୍ପ୍ରଦାୟର ନେତାମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇନଥିଲା। ବରଂ ମୁସଲିମ ଦେଶଗୁଡ଼ିକର ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଇଫତାର୍ ରାତ୍ରିଭୋଜନରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା।

ଅନେକ ସଂଗଠନ ହ୍ୱାଇଟ୍ ହାଉସ୍ ବାହାରେ, ଏନେଇ ପ୍ରତିବାଦ କରିଥିଲେ। ଏହି ସମୟରେ ଜଣେ ପ୍ରଦର୍ଶନକାରୀ କହିଥିଲେ ଯେ, ଏହା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ପ୍ରକାର କପଟତା। ଗୋଟିଏ ପଟେ ସେ ଦେଶରେ ମୁସଲମାନମାନଙ୍କ ପ୍ରବେଶକୁ ନିଷେଧ କରନ୍ତି ଏବଂ ଅନ୍ୟପଟେ ସେ ଇଫତାର୍ ପାର୍ଟିର ଆୟୋଜନ କରନ୍ତି।

Comments are closed.