Latest Odisha News

BREAKING NEWS

H-1B Visa: କ’ଣ ଏହି H1B ଭିସା?, ଯାହା ଏବେ ଭାରତୀୟ ବୃତ୍ତିଗତଙ୍କୁ ଚିନ୍ତାରେ ପକାଇଛି…

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ଟେନସନ୍  ସରିନଥିବା ବେଳେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ,କ ପ୍ରହାର ଦେଇଛନ୍ତି । ଟ୍ରମ୍ପ ପ୍ରଶାସନ H-IB ଭିସା ପାଇଁ ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ ନିୟମ ଅନୁଯାୟୀ, H-IB ଭିସା ପାଇଁ ନୂତନ ଆବେଦନକାରୀଙ୍କୁ ଏବେ ୧ ଲକ୍ଷ ଡଲାର, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନୂତନ ନିଷ୍ପତ୍ତି ଭାରତୀୟମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ, କାରଣ ପ୍ରାୟ ୭୦ ପ୍ରତିଶତ H-IB ଭିସା ଧାରକ ଭାରତୀୟ। ଯାହା ଏବେ ଭାରତୀୟ ଆଇଟି ବୃତ୍ତିଗତମାନଙ୍କୁ ସମସ୍ୟାରେ ପକାଇଛନ୍ତି। ଯାହା ସେପ୍ଟେମ୍ବର ୨୧ରୁ ଲାଗୁ ହେବାକୁ ଯାଉଛି ।

ବୁଝାପଡୁନି ଟ୍ରମ୍ପଙ୍କ ବନ୍ଧୁତ୍ବ?

“ମୁଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ବହୁତ ନିକଟତର” । “ମୁଁ ତାଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲି”। ୧୮ ସେପ୍ଟେମ୍ବରରେ ଲଣ୍ଡନର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମରଙ୍କ ବାସଭବନ ଚେକର୍ସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଭାରତ ସହିତ ସୁଧୁରୁଥିବା ସଂପର୍କରେ ଭିତରେ ଖବରର ଶିରୋନାମାରେ ରହିଥିଲା । ରୁଷରୁ ଅଶୋଧିତ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ଦଣ୍ଡ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ନେବାର କିଛି ଦିନ ପରେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ନେତା ବୋଲି ବି କହିଥିଲେ ଏବଂ ବନ୍ଧୁତା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ବାରମ୍ବାର ଦୋହରାଇ ଆସୁଥିଲେ। ଯାହା ଆମେରିକା-ଭାରତ ସମ୍ପର୍କ ଏବେ ସୁଧାର ଆଡ଼କୁ ଗତି କରୁଥିବାର ଶୁଭ ସଙ୍କେତ ଦେଇଥିଲା । ତଥାପି ଉପରେ ବନ୍ଧୁ କହି ପଛରେ ଛୁରି ଭୁସିବା କାମ କରୁଛନ୍ତି ଟ୍ରମ୍ପ । ପ୍ରଥମେ, ଶୁଳ୍କ, ଦଣ୍ଡ ଶୁଳ୍କ, ଚାବାହାର ବନ୍ଦର ଉପରେ ପ୍ରତିବନ୍ଧକ, ଆଉ ଏବେ H1 ଭିସା ପ୍ରତିବନ୍ଧକ ସହିତ ଭାରତୀୟମାନଙ୍କୁ ଆଉ ଏକ ଆଘାତ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏନେଇ ଟ୍ରମ୍ପ ଯୁକ୍ତି ଦେଇ କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଆମର ଚାକିରି ଆମର ନାଗରିକଙ୍କ ପାଖକୁ ଯାଉ। ଏହି ନିଷ୍ପତ୍ତି ଆମେରିକୀୟ ଶ୍ରମିକଙ୍କ ନିଯୁକ୍ତି ଅଧିକାରକୁ ସୁରକ୍ଷା ଦେବ।

କ’ଣ ଏହି H1B ଭିସା?

H1B ଭିସା ଏକ ଅଣପ୍ରବାସୀ ଭିସା । ଏହା ଏପରି ବ୍ୟକ୍ତିଙ୍କୁ ଦିଆଯାଏ ଯିଏ ଆମେରିକାରେ କାମ କରିବାକୁ ଯାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେରିକାରେ କାର୍ଯ୍ୟ କରୁଥିବା କୁଶଳୀ କର୍ମଚାରୀଙ୍କୁ ଏହି ଭିସା ଜାରି କରାଯାଏ । ଆମେରିକାରେ ଏପରି କର୍ମଚାରୀଙ୍କ ଯଥେଷ୍ଟ ଅବଶ୍ୟକତା ରହିଛି । ଏହାପରେ ସେମାନଙ୍କୁ ଗ୍ରୀନ୍ କାର୍ଡ ଜାରି କରାଯାଏ । ଏହି ଭିସାର ସମୟସୀମା ୬ ମାସ ପର୍ଯ୍ୟନ୍ତ ଥାଏ । ଏପରି ଭିସା କାର୍ଡ ହାସଲ କରିବାରେ ଭାରତୀୟ ଆଇଟି ପ୍ରଫେସନାଲ୍ସଙ୍କ ସଂଖ୍ୟା ସବୁଠୁ ଅଧିକ ।ଯେଉଁ ଭାରତୀୟଙ୍କ H1B ଭିସା ଅବଧି ଶେଷ ହୋଇଯାଏ ସେମାନେ ପୁନର୍ବାର ଆମେରିକାର ନାଗରିକତ୍ୱ ପାଇଁ ଆବେଦନ କରିଥାନ୍ତି । ଏହା ଦ୍ୱାରା ସେମାନେ ନିଜ ପରିବାର ସହ ଆମେରିକାରେ ରହିପାରନ୍ତି ।

ଭାରତୀୟଙ୍କ ଠାରୁ ମୁହଁ ଫେରାଇବେ କମ୍ପାନୀ!

ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ H-1B ଭିସା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଆମେରିକାର ଟେକ୍ ଶିଳ୍ପକୁ ସବୁଠାରୁ ଅଧିକ ପ୍ରଭାବିତ କରିବ, କାରଣ Amazon, Microsoft, Apple, ଏବଂ Google ଭଳି କମ୍ପାନୀଗୁଡ଼ିକ H-1B ଭିସା ଧାରକଙ୍କ ଉପରେ ବହୁତ ନିର୍ଭରଶୀଳ। ଏହି କମ୍ପାନୀଗୁଡ଼ିକୁ ଏବେ H-1B ଭିସା ଧାରକଙ୍କ ଉପରେ ଖର୍ଚ୍ଚ କରିବା ପରିବର୍ତ୍ତେ ଆମେରିକାରେ ବୃତ୍ତିଗତଙ୍କୁ ଖୋଜିବାକୁ ଆରମ୍ଭ କରିବେ । ଯେଉଁଥିରେ ଭାରତୀୟଙ୍କ ଚାହିଦା କମିବ । ଆଉ ଏଥିରେ ବେଶୀ ପ୍ରଭାବିତ ହେବ ଭାରତ  । କାରଣ ସମସ୍ତ H-1B ଭିସା ଧାରକଙ୍କ ମଧ୍ୟରୁ ପ୍ରାୟ ୭୦% ଭାରତୀୟ। ବର୍ଦ୍ଧିତ H-1B ଫି କମ୍ପାନୀଗୁଡ଼ିକୁ ଭାରତୀୟମାନଙ୍କୁ ନିଯୁକ୍ତି ଦେବାରୁ ନିରୁତ୍ସାହିତ କରିବ। ଯାହା ଭାରତୀୟ ଆବେଦନକାରୀଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି କରିବ । ସେହିପରି F-1 ଭିସାରେ ଆମେରିକାରେ ପାଠପଢ଼ିବା ପରେ H-1B ଭିସା ପାଇଁ ଆବେଦନ କରୁଥିବା ଭାରତୀୟ ଛାତ୍ରମାନେ ଫି ବୃଦ୍ଧି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ। ଆମେରିକାରେ ପାଠପଢ଼ିବା ସମୟରେ ଚାକିରି ଖୋଜିବା ସେମାନଙ୍କ ପାଇଁ କଷ୍ଟକର ହୋଇଯିବ।

ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ କି ଭାରତୀୟ?

ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ଅନେକ ଭାରତୀୟ ବୃତ୍ତିଗତଙ୍କୁ ବିପଦରେ ପକାଇବାକୁ ଯାଉଥିବା ବେଳେ ନୂଆଦିଲ୍ଲୀ ବାର ଆସୋସିଏସନର ପୂର୍ବତନ ସଚିବ ଦେବେନ୍ଦ୍ର କୁମାର କହିଛନ୍ତି ଯେ ଏହି ଆଦେଶ ଇମିଗ୍ରେସନ୍ ଏବଂ ନ୍ୟାସନାଲିଟି ଆଇନ ଅନୁଯାୟୀ ବୈଧ ହୋଇଥିଲେ ମଧ୍ୟ ଆଇନ ଦ୍ୱାରା ପ୍ରଦତ୍ତ ଅଧିକାର ଅନୁଯାୟୀ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ତେବେ ଭାରତ ସରକାରଙ୍କର ସିଧାସଳଖ ଆମେରିକା କୋର୍ଟରେ ମାମଲା ଦାୟର କରିବାର କୌଣସି ସ୍ପଷ୍ଟ ଆଇନଗତ ଅଧିକାର ନାହିଁ। କାରଣ  ଆମେରିକା ଇମିଗ୍ରେସନ୍ ନୀତି ଦେଶର ଏକ ଆଭ୍ୟନ୍ତରୀଣ ବିଷୟ। ଯଦ୍ବାରା ଭାରତ କିମ୍ବା କୌଣସି ବିଦେଶୀ ସରକାର ସିଧାସଳଖ ସେମାନଙ୍କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। କିନ୍ତୁ ପରୋକ୍ଷ ଭାବରେ ପ୍ରଭାବିତ ଭାରତୀୟ ବୃତ୍ତିଗତ କିମ୍ବା କମ୍ପାନୀଗୁଡ଼ିକ ମାଧ୍ୟମରେ ଆମେରିକୀୟ ଅଦାଲତରେ ଏହି ପ୍ରସଙ୍ଗକୁ ଚ୍ୟାଲେଞ୍ଜ କରିବା ସମ୍ଭବ ବୋଲି ସେ ମତ ରଖିଛନ୍ତି ।

Comments are closed.