Iran ceasefire ‘over’?: ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧର ତାତି! ଇରାନ ଉପରେ ଆମେରିକାର ନୂଆ ଆକ୍ରମଣ ପରେ କଥା ହେଲେ ଟ୍ରମ୍ପ-ନେତାନ୍ୟାହୁ
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଇରାନ ଉପରେ ପୁଣିଥରେ ଆକ୍ରମଣ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଏହି ଘଟଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଜରୁରୀ ଫୋନ୍ ଆଲୋଚନା ହୋଇଛି। ଜୁଲାଇ ୧୦ରେ ଇରାନ ଉପରେ ଆମେରିକା ପୁଣିଥରେ ଆକ୍ରମଣ କରିବା ପରେ ଉଭୟ ନେତା ଉପସାଗରୀୟ ଅଞ୍ଚଳର ସୁରକ୍ଷା ପରିସ୍ଥିତି, ଆମେରିକାର ସାମରିକ କାର୍ଯ୍ୟକଳାପ ଏବଂ ଆଗାମୀ ରଣନୀତି ନେଇ ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ।
ଆଲୋଚନା ସମୟରେ ଟ୍ରମ୍ପ ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମ୍ପ୍ରତିକ ସାମରିକ ପଦକ୍ଷେପ ସମ୍ପର୍କରେ ନେତାନ୍ୟାହୁଙ୍କୁ ଅବଗତ କରାଇଥିଲେ। ଅନ୍ୟପଟେ ନେତାନ୍ୟାହୁ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ବୟାନକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଇସ୍ରାଏଲ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି କହିଥିଲେ।
ଏହା ପୂର୍ବରୁ ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପ୍ସ (IRGC) ଦାବି କରିଥିଲା ଯେ, ଜୋର୍ଡାନର ଅଲ୍-ଆଜରାକ୍ ଆମେରିକୀୟ ଏୟାରବେସ୍ ଉପରେ ୧୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ତେହରାନ ଉପରେ ଆମେରିକାର ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏହି ଆକ୍ରମଣ କରାଯାଇଥିବା ଇରାନ କହିଛି।
IRGC ଚେତାବନୀ ଦେଇଛି ଯେ, ଆମେରିକା ଯଦି ପୁଣି ସାମରିକ ଆକ୍ରମଣ କରେ, ତେବେ ପଶ୍ଚିମ ଏସିଆରେ ଥିବା ଅନ୍ୟ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବ। ଏହି ଘଟଣା ପରେ ଜୋର୍ଡାନ ନିଜ ଆକାଶସୀମାରେ ବିପଦ ସଙ୍କେତ ସାଇରନ୍ ସକ୍ରିୟ କରିଥିବାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଗମ୍ଭୀର ହେଉଥିବା ସଙ୍କେତ ମିଳିଛି।