କଟକ: ହୀରାକୁଦ ଗେଟ୍ ଖୋଲିବା ପରେ ବଢୁଛି ମହାନଦୀ ଜଳସ୍ତର। ଗତକାଲି ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଆସିବା ପରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ ସାଢେ ୬ଟାରେ ସୋନପୁରରେ ପହଞ୍ଚିଲା ପ୍ରଥମେ ଛଡାଯାଇଥିବା ୪ଟି ଗେଟର ବନ୍ୟାଜଳ। ସକାଳ ୧୦ ଟା ପରେ ଛଡାଗଲା ଅନ୍ୟ ୬ଟି ଗେଟର ବନ୍ୟାଜଳ। ଗତକାଲି ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ ଖୋଲିଛି। ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ଯେଉଁଭଳି ଡଙ୍ଗା ଓ ଜାଲ ଭାସିନଯିବ ସେ ନେଇ ସତର୍କତା ଜାରି ହୋଇଛି।
ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ କଟକ ଜିଲ୍ଲାରେ କୁତ୍ରିମ ବନ୍ୟା ଏବଂ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହିତ କୌଣସି ଅଘଟଣକୁ ଏଡ଼ାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ବିଭିନ୍ନ କଟକଣା ଜାରି କରିଛନ୍ତି।
ଜାରି ହୋଇଥିବା ଆଦେଶ ଅନୁଯାୟୀ ମହାନଦୀ ଏବଂ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ଅନ୍ୟ କୌଣସି ମନୋରଞ୍ଜନମୂଳକ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କଟକ ମହାନଗର ନିଗମ (କେଏମସି) କମିଶନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମ୍ପୃକ୍ତ ଥାନାର ସମସ୍ତ ଥାନା ଅଧିକାରୀ (ଆଇଆଇସି) ଏବଂ ପୁଲିସ ପାଟ୍ରୋଲିଂ ଟିମ୍କୁ ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ କରିବାକୁ କୁହାଯାଇଛି।