Latest Odisha News

BREAKING NEWS

Iran’s assassination plot: ଟ୍ରମ୍ପଙ୍କୁ ମାରିବାକୁ ଇରାନର ଯୋଜନା, ରାଷ୍ଟ୍ରପତି କହିଲେ, ‘କେବେ ନ ଦେଖିଥିବା ଭଳି ହେବ ବୋମାମାଡ଼’

ନୂଆଦିଲ୍ଲୀ: ପୁଣି ମଧ୍ୟପ୍ରାଚ୍ୟରେ ଉତ୍ତେଜନା । ମାଟିରେ ମିଶିଛି ଆମେରିକା-ଇରାନ ଅସ୍ତ୍ରବିରତି । ଉଭର୍ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଛି ଆକ୍ରମଣ ପ୍ରତିଆକ୍ରମଣ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି ଇରାନ । ଏହି ଖବର ପ୍ରସାରିତ ହେବା ପରେ ଏବେ ଇରାନକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ଆମେରିକା ଇରାନ ଉପରେ ଏପରି ଭୟଙ୍କର ସାମରିକ ଆକ୍ରମଣ କରିବ, ଯାହା ପୂର୍ବରୁ କେବେ ଦେଖାଯାଇନଥିବ। ଏହି ପରିସ୍ଥିତି ପାଇଁ ସେ ପୂର୍ବରୁ ନିର୍ଦ୍ଦେଶ ଦେଇ ରଖିଥିବା ଦାବି କରିଛନ୍ତି।

‘ନ୍ୟୁୟର୍କ ପୋଷ୍ଟ’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, “ଯଦି ମୋ ସହ କିଛି ଘଟେ, ତାହେଲେ ଇରାନକୁ ସେମାନେ କେବେ ଦେଖିନଥିବା ସ୍ତରରେ ବୋମାମାଡ଼ କରିବାକୁ ମୁଁ ନିର୍ଦ୍ଦେଶ ଦେଇ ରଖିଛି।”

ଟ୍ରମ୍ପ କହିଛନ୍ତି ଯେ, ଇରାନ ତାଙ୍କୁ ବର୍ଷ ବର୍ଷ ଧରି ଟାର୍ଗେଟ୍ କରିଆସୁଛି। ତେବେ ବର୍ତ୍ତମାନ ତାଙ୍କ ବିରୋଧରେ କୌଣସି ନୂଆ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ସୂଚନା ମିଳିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ୍ ପକ୍ଷରୁ ଟ୍ରମ୍ପଙ୍କ ହତ୍ୟା ଯୋଜନା ସମ୍ପର୍କିତ ଗୁଇନ୍ଦା ସୂଚନା ମିଳିଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। “ନା, ଇସ୍ରାଏଲ୍ ଏଭଳି କୌଣସି ନୂଆ ସୂଚନା ଦେଇନାହିଁ। ମୁଁ ବହୁଦିନ ଧରି ଇରାନର ହିଟ୍ ଲିଷ୍ଟର ପ୍ରଥମ ନାମ,” ବୋଲି ସେ କହିଛନ୍ତି।

ସାକ୍ଷାତକାର ସମୟରେ ହାଲୁକା ଢଙ୍ଗରେ ଟ୍ରମ୍ପ କହିଥିଲେ, “ଆଶା କରୁଛି ମୋତେ ମିସ୍ କରିବେ।”

୨୦୨୦ ଜାନୁଆରୀରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନର ଶୀର୍ଷ ସାମରିକ କମାଣ୍ଡର Qasem Soleimani ବାଗଦାଦ ବିମାନବନ୍ଦର ନିକଟରେ ନିହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ସେହି ଘଟଣା ପରଠାରୁ ଇରାନ ଖୋଲାଖୋଲି ପ୍ରତିଶୋଧ ନେବାର କଥା କହିଆସୁଛି ଏବଂ ଟ୍ରମ୍ପଙ୍କୁ ଏହା ପାଇଁ ଦାୟୀ କରୁଛି।

ଆମେରିକାର ତଦନ୍ତକାରୀ ସଂସ୍ଥାଗୁଡ଼ିକ ପୂର୍ବରୁ ଅଭିଯୋଗ କରିଛନ୍ତି ଯେ, ଇରାନ ସହ ସମ୍ପୃକ୍ତ କିଛି ବ୍ୟକ୍ତି ଟ୍ରମ୍ପଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ଜଡ଼ିତ ଥିଲେ। ଅମେରିକାର ନ୍ୟାୟ ବିଭାଗ (DOJ) ୨୦୨୪ରେ ଦାବି କରିଥିଲା ଯେ, ଇରାନର Islamic Revolutionary Guard Corps (IRGC) ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପଙ୍କୁ ନଜରରେ ରଖି ହତ୍ୟା ଯୋଜନା କରିବାକୁ କୁହାଯାଇଥିଲା। ତେବେ ଇରାନ ସରକାର ଏହି ସବୁ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସିଛି। ଏହି କାରଣରୁ ଏହାକୁ ଆମେରିକାର ଦାବି ଭାବରେ ଦେଖାଯାଏ, ସ୍ୱାଧୀନ ଭାବେ ଏହା ପ୍ରମାଣିତ ହୋଇନାହିଁ।

ଏହାଛଡ଼ା ୨୦୨୪ ଜୁଲାଇରେ ପେନସିଲଭାନିଆର ବଟଲରରେ ନିର୍ବାଚନୀ ସଭା ସମୟରେ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ସେହି ଆକ୍ରମଣରେ ତାଙ୍କ କାନକୁ ଗୁଳି ଛୁଇଁ ଯାଇଥିଲା। ତେବେ ସେହି ଘଟଣାକୁ ଆମେରିକୀୟ କର୍ତ୍ତୃପକ୍ଷ ଇରାନ ସହ ଯୋଡ଼ିନାହାନ୍ତି।

ଟ୍ରମ୍ପ କହିଛନ୍ତି, ଇରାନ ପୁଣିଥରେ ଆମେରିକା ସହ ଆଲୋଚନା ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ସେ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିସଆଲରେ ଲେଖିଛନ୍ତି ଯେ, ଆଲୋଚନା ପାଇଁ ଆମେରିକା ରାଜି ହୋଇଛି, କିନ୍ତୁ ୱାଶିଂଟନ୍ ସ୍ପଷ୍ଟ କରିଦେଇଛି ଯେ ଉଭୟ ଦେଶ ମଧ୍ୟରେ ଥିବା ବିରତି ବା ସିଜଫାୟାର ଶେଷ ହୋଇଯାଇଛି।

ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ମଧ୍ୟପ୍ରାଚ୍ୟରେ ଆମେରିକା, ଇରାନ ଓ ଇସ୍ରାଏଲ୍ ମଧ୍ୟରେ ତିବ୍ର ଉତ୍ତେଜନା ଜାରି ରହିଛି ଏବଂ ଉଭୟ ପକ୍ଷର ବୟାନବାଜି ଆହୁରି ତୀବ୍ର ହେଉଛି।

Leave A Reply

Your email address will not be published.