ଅଦିନିଆ ରଥଯାତ୍ରା ବିବାଦ: ଜିଦ୍ ଛାଡୁନି ଇସ୍କନ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ି ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି
ଭୁବନେଶ୍ୱର: ବିଦେଶ ମାଟିରେ ଇସ୍କନ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଉଥିବା ‘ଅଦିନିଆ ରଥଯାତ୍ରା’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ। ନିଜ ଜିଦରେ ଅଟଳ ଥିବା ଇସ୍କନ କର୍ତ୍ତୃପକ୍ଷଙ୍କୁ ରୋକିବା ପାଇଁ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଚଳିତ ମାସ ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପର୍ବ ଶେଷ ହେବା ପରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତ କରିବେ ବୋଲି ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
ଗଜପତି ମହାରାଜାଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ୭ ତାରିଖରେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ମିଳିଥିଲା। ଏହି ଚିଠିରେ ସେମାନେ ସ୍ପଷ୍ଟ କରିଦେଇଛନ୍ତି ଯେ, ଭାରତ ବାହାରେ ବିଭିନ୍ନ ଦେଶରେ ବର୍ଷ ତମାମ ରଥଯାତ୍ରା ଆୟୋଜନ କରିବା ନେଇ ସେମାନେ ନେଇଥିବା ନିଷ୍ପତ୍ତିରେ କାଏମ ଅଛନ୍ତି ଏବଂ ଏହି ପ୍ରସଙ୍ଗରେ ଆଉ ଅଧିକ ଆଲୋଚନାର କୌଣସି ଆବଶ୍ୟକତା ନାହିଁ ବୋଲି ଇସ୍କନ ରୋକଠୋକ୍ ଶୁଣାଇ ଦେଇଛି।
ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ କରୁଥିବା ଏହି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗଜପତି ମହାରାଜା ପୂର୍ବରୁ ମଧ୍ୟ ଉଚ୍ଚସ୍ତରୀୟ ପଦକ୍ଷେପ ନେଇସାରିଛନ୍ତି। ୨୦୨୫ ମସିହା ଅକ୍ଟୋବର ୧୯ ତାରିଖରେ ଯେତେବେଳେ ଇସ୍କନ GBC ଅଧ୍ୟକ୍ଷ ପ୍ରଥମେ ଏହି ଅଦିନିଆ ରଥଯାତ୍ରା ଜାରି ରଖିବା ନେଇ ନିଷ୍ପତ୍ତି ନେଇଥିଲେ, ତାର ମାତ୍ର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୪ ତାରିଖ (୨୦୨୫) ରେ ଗଜପତି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ଅବଗତ କରାଇଥିଲେ। ସେହିପରି ଚଳିତ ବର୍ଷ (୨୦୨୬) ଏପ୍ରିଲ ୨୦ ତାରିଖରେ ସେ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ଏବଂ ଏକ ଦାବିପତ୍ର ପ୍ରଦାନ କରିବା ସହ ଇସ୍କନର ଏହି କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଆଉ ହାଲୁକା ଭାବେ ନିଆଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଉପଲବ୍ଧି କରିଛି। ଆସନ୍ତା ୨୭ ତାରିଖରେ ରଥଯାତ୍ରା ନୀତିକାନ୍ତି ଶେଷ ହେବା ପରେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଦିଲ୍ଲୀ ଯାତ୍ରା କରିବେ। ସେଠାରେ ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଏହି ବିବାଦରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଦାବି ଜଣାଇବେ।