Latest Odisha News

BREAKING NEWS

ଭାରତ, ପାକିସ୍ତାନ ଅର୍ଥନୀତିରେ ଆମେରିକାର କେତେ ପ୍ରଭାବ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି । ଫଳରେ ପରମାଣୁ ଅସ୍ତ୍ର ରହିଥିବା ଦୁଇ ଦେଶ ମଧ୍ୟରେ ବିପଜ୍ଜନକ ସଂଘର୍ଷର ଅନ୍ତ ହୋଇଛି । ବାଣିଜ୍ୟ କଥା କହି ସେ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ ମନାଇଥିବା ଟ୍ରମ୍ପ କହିଥିଲେ । ତେବେ ବାଣିଜ୍ୟକୁ ନେଇ କୌଣସି ଆଲୋଚନା ହୋଇନଥିବା ଭାରତ ସରକାର କହିଥିଲେ । ତେବେ ପ୍ରଶ୍ନ ଉଠୁଛି, ଭାରତ ଓ ପାକିସ୍ତାନ ଅର୍ଥନୀତିରେ ଆମେରିକା ସହ ବାଣିଜ୍ୟର ପ୍ରଭାବ କେତେ? ଆମେରିକା ସହ ବାଣିଜ୍ୟ ଏତେ ଗୁରୁତ୍ବପୂର୍ଣ୍ଣ କି, ଯେ ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଗଲେ?

ଭାରତ-ଆମେରିକା ବାଣିଜ୍ୟ

ଭାରତ ଅନ୍ୟ ସବୁ ଦେଶଠାରୁ ଆମେରିକା ସହ ଅଧିକ ବାଣିଜ୍ୟ କରେ । ଗତ କିଛି ବର୍ଷ ଧରି ଦୁଇ ଦେଶର ଦ୍ବିପାକ୍ଷିକ ବାଣିଜ୍ୟ ଲଗାତର ବଢିଛି। ୨୦୧୬ରେ ଭାରତ ଓ ଆମେରିକା ମଧ୍ୟରେ ୬୯ବିଲିୟନ ଡଲାରର ବାଣିଜ୍ୟ ହୋଇଥିବା ବେଳେ  ୨୦୨୪ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୧୩୦ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦୦୫ରେ ଭାରତ ଆମେରିକାରୁ ୮.୨ ବିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା । ୟୁନାଇଟେଡ୍ ଷ୍ଟେଟସ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ତଥ୍ୟ ଅନୁସାରେ ୨୦୨୪ରେ ଏହା ୫ଗୁଣା ବଢି ୪୨ ବିଲିୟନ ଡଲାରରେ ପହଞ୍ଚିଥିଲା । ଭାରତ ଆମେରିକାକୁ ହିଁ ସର୍ବାଧିକ ରପ୍ତାନୀ କରେ । ମୋଟ୍ ରପ୍ତାନୀର ୧୮ପ୍ରତିଶତ ଆମେରିକାକୁ ଯାଏ ।


ଆମେରିକାକୁ କ’ଣ ପଠାଏ ଭାରତ ?

ଭାରତ ଆମେରିକାକୁ ସବୁଠାରୁ ଅଧିକ ଆଇଟି ସାମଗ୍ରୀ, ଫାର୍ମାସ୍ୟୁଟିକାଲ୍ସ, ଔଷଧ, ଗହଣା ଓ ଟେକ୍ସଟାଇଲ୍ ସାମଗ୍ରୀ ରପ୍ତାନୀ କରେ । ଗତବର୍ଷ ଆମେରିକା ପାଇଁ ଭାରତ ଫାର୍ମାସ୍ୟୁଟିକାଲ୍ସ ଟପ୍ ୧୦ଟି ବଜାର ମଧ୍ୟରୁ ଗୋଟିଏ ରହିଥିଲା । ସେହିପରି ଭାରତ ଆମେରିକାରୁ ତୈଳ-ଗ୍ୟାସ, କୋଇଲା, ଏରୋସ୍ପେସ୍ ଉପକରଣ, କେମିକାଲ୍ସ ଓ ଉଦ୍ୟୋଗିକ ସାମଗ୍ରୀ ଆମଦାନୀ କରେ । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସଂପର୍କ ବେଶ୍ ଗଭୀର । ତେଣୁ ବିନା ବିଚାରବିମର୍ଶରେ ଭାରତ ସହ ବାଣିଜ୍ୟ ସଂପର୍କ ଶେଷ କରିବନି ଆମେରିକା । ପରସ୍ପର ପାଇଁ ଦୁଇ ଦେଶର ବାଣିଜ୍ୟ ଜରୁରୀ । ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଚୀନ୍, କାନାଡା ପରି ଦେଶ ସହ ଆମେରିକାର ବାଣିଜ୍ୟ ସଂପର୍କ ପ୍ରଭାବିତ ହୋଇଥିବାରୁ ଭାରତ ସହ ସଂପର୍କ ଖରାପ କରିବାକୁ ଚାହିଁବନି ୟୁଏସ୍ ।

ପାକିସ୍ତାନ-ଆମେରିକା ବାଣିଜ୍ୟ

ଗତ ୧୦ବର୍ଷ ମଧ୍ୟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୬ରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୬ବିଲିୟନ ଡଲାରରୁ କମ୍ ଥିଲା । ୨୦୨୨ରେ ଏହା ବଢି ୧୦ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ୨୦୨୪ରେ ଏହା କମି ୭.୫ବିଲିୟନ ଡଲାର ହୋଇଥିଲା । ପାକିସ୍ତାନର ମୋଟ୍ ବାଣିଜ୍ୟ ପ୍ରବାହରେ ଆମେରିକାର ଭାଗିଦାରୀ ୭ରୁ ୯ପ୍ରତିଶତ ରହିଛି । ତେବେ ଆମେରିକା ବାଣିଜ୍ୟରେ ପାକିସ୍ତାନର ଭାଗିଦାରୀ ପ୍ରାୟ ୦.୧ ପ୍ରତିଶତ । ଗତ ଦୁଇ ଦଶକରେ ପାକିସ୍ତାନ ଆମେରିକା ସହ ବାଣିଜ୍ୟରେ ସାମାନ୍ୟ ସୁଧାର ଆଣିଥିଲା । ଆମେରିକାକୁ ପାକିସ୍ତାନରୁ ଆମଦାନୀ ବୃଦ୍ଧି ହୋଇଛି । ୨୦୦୫ରେ ପାକିସ୍ତାନ ଆମେରିକାକୁ ୩.୩ ବିଲିୟନ ଡଲାରର ସାମଗ୍ରୀ ପଠାଇଥିବା ବେଳେ ୨୦୨୪ରେ ଏହା ୫ବିଲିୟନ ଡଲାରରୁ ଅଧିକ ହୋଇଛି । ଆମେରିକାକୁ ପାକିସ୍ତାନରୁ ମୁଖ୍ୟତଃ କପଡା ଓ ପୋଷାକ ରପ୍ତାନୀ ହୁଏ । ଏଥିରେ ଲାଇନେନ, ସୁତୀ ବସ୍ତ୍ର ଓ ବୁଣା ଯାଇଥିବା କପଡା ରହିଛି । ସେପଟେ ଆମେରିକାରୁ କପାର କଞ୍ଚାମାଲ, ମେସିନାରୀ, ସ୍କ୍ରାପ ଆଇରନ ସହ ସୋୟାବିନ ପରି କୃଷିଭିତ୍ତିକ ଉତ୍ପାଦ ପାକିସ୍ତାନକୁ ଆସେ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା ସହ ଉଭୟ ଭାରତ ଓ ପାକିସ୍ତାନର ବାଣିଜ୍ୟ ବଢିଛି । ବିଶେଷ କରି ଗତ ୧୦ବର୍ଷ ମଧ୍ୟରେ ଏହା ଅଧିକ ହାରରେ ବୃଦ୍ଧି ପାଇଛି । ଆମେରିକା ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ହୋଇଛି । ଦୁଇ ଦେଶ ପାଇଁ ଆମେରିକା ସହ ଆର୍ଥିକ ସଂପର୍କ ଗୁରୁତ୍ବପୂର୍ଣ୍ଣ, ତେବେ ଭାରତ ସହ ୟୁଏସର ବାଣିଜ୍ୟ ସଂପର୍କ ଅଧିକ ମଜବୁତ ଓ ବ୍ୟାପକ ।

Comments are closed.