ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରକୁ ନେଇ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ରାଗ। ଉଭୟ ଦେଶ ଚାହୁଁନାହାନ୍ତି ଇରାନ ପରମାଣୁ ଅସ୍ତ୍ର ଦେଶ ହେଉ । ଏଥିପାଇଁ ବିଗତ ଦିନରେ ପ୍ରଥମେ ଇସ୍ରାଏଲ ଏବଂ ପରେ ଆମେରିକା ଇରାନର ପରମାଣୁ କାର୍ଯ୍ୟକ୍ରମ ସମାପ୍ତ କରିବା ଲକ୍ଷ୍ୟରେ ଆକ୍ରମଣ କରିଥିଲେ। ପରେ ଆମେରିକାର ମଧ୍ୟସ୍ଥତାରେ ଥମିଥିଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ସିଧା ଚେତାବନୀ ଦିଆ ହୋଇଥିଲା ଇରାନ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରିବ ନାହିଁ । ଆଉ ଏବେ ପୁଣି ଟ୍ରମ୍ପ ଇରାନକୁ ଅଲଟିମେଟମ ଦେଲେଣି । ଇରାନ ପରମାଣୁ ଅସ୍ତ୍ର ତିଆରି ପାଇଁ ଭାବିଲେ ବି ଆମେରିକା ଛାଡିବ ନାହିଁ । ସିଧା ଆକ୍ରମଣ କରିବ । ଇସ୍ରାଏଲ ବି ଖୋଲା ଚେତାବନୀ ଦେଇଛି । ଯାହାକୁ ନେଇ ଏବେ ପୁଣି ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ନେଇ ଆଶଙ୍କା ତେଜିଛି । କାରଣ ଇରାନ ତାର ପରମାଣୁ ଜିଦରେ ଅଟଳ ରହିଛି ।
ବଡ ଦାବି କଲେ ଇରାନୀ ମନ୍ତ୍ରୀ
ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ ମଧ୍ୟ ଇରାନର ମନୋବଳ ଦୁର୍ବଳ ହୋଇନାହିଁ । ଇରାନ ଶୀଘ୍ର ଇସ୍ତାନବୁଲରେ ଜର୍ମାନୀ, ଫ୍ରାନ୍ସ ଏବଂ ୟୁନେଟ ସହିତ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବାକୁ ଯାଉଛି । ଏହାରି ଭିତରେ ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ସ୍ପଷ୍ଟ କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘଚି କହିଛନ୍ତି ଯେ ଗତ ମାସରେ ଆମେରିକାର ଆକ୍ରମଣ ପରେ ପରମାଣୁ ଘାଟିଗୁଡ଼ିକର ଗମ୍ଭୀର କ୍ଷତି ସହିଛି । ଏଥିପାଇଁ ୟୁରାନିୟମ ସମୃଦ୍ଧି ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । କିନ୍ତୁ ଇରାନର ପରମାଣୁ କାର୍ଯ୍ୟକ୍ରମ ପରିତ୍ୟାଗ କରିବାର କୌଣସି ଯୋଜନା ନାହିଁ। ଇରାନର ୟୁରାନିୟମ ସମୃଦ୍ଧି କାର୍ଯ୍ୟକ୍ରମ ଜାରି ରହିବ। ଏହା ଇରାନର ନିଜସ୍ୱ ବୈଜ୍ଞାନିକଙ୍କ ସଫଳତା । ଏହା ବନ୍ଦ ହେବ ନାହିଁ ।
ରାଗିଗଲେ ଟ୍ରମ୍ପ, ନେତାନ୍ୟାହୁ…
ଇରାନ ବାରମ୍ବାର ତାର ପରମାଣୁ ଅସ୍ତ୍ର ନେଇ ମତ ସ୍ପଷ୍ଟ କରିବା ପରେ ଏବେ ଆମେରିକା ଏବଂ ଇସ୍ରାଏଲ ଉଭୟ ପୁଣି ଇରାନକୁ ଯୁଦ୍ଧ ଚେତାବନୀ ଦେଇଛନ୍ତି । ପ୍ରଥମେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇରାନକୁ ଚେତାବନୀ ଦେଇ କହିଛନ୍ତି, ଇରାନକୁ ସମୃଦ୍ଧ ୟୁରାନିୟମ ବିପଦଜନକ ସ୍ତରକୁ ନେଇପାରେ । ଆମେରିକା ଏବଂ ଇସ୍ରାଏଲ ଇରାନକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଏହାକୁ ଏହାର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବାକୁ ପଡିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘଚିଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ବୟାନକୁ ଦୋହରାଇବା ସହିତ ସେ ଇରାନ ପ୍ରତି କଠୋର ମନୋଭାବ ଦେଖାଇ ଅନେକ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଭର୍ତ୍ସନା କରିଥିଲେ। ଟ୍ରମ୍ପ କହିଛନ୍ତି ଯେ ଆମେରିକାର ବୋମା ବିସ୍ଫୋରଣରେ ଇରାନର ପରମାଣୁ ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ଯଦି ଆବଶ୍ୟକ ପଡେ ତେବେ ପୁଣି ଥରେ ହେବ । ଯଦି ଇରାନ ପରମାଣୁ ପ୍ଲାଣ୍ଟ ପୁନଃଆରମ୍ଭ କରେ କିମ୍ବା ପରମାଣୁ ବୋମା ତିଆରି କରିବାକୁ ଚେଷ୍ଟା କରେ, ତେବେ ଆମେରିକା ଦ୍ୱାରା ପୁଣି ଥରେ ଆକ୍ରମଣ କରାଯିବ ।
ପୂର୍ବରୁ ପ୍ରବଳ କ୍ଷତି ସହିଛି ଇରାନ
ଗତ ୧୨ ଜୁନରେ ଇସ୍ରାଏଲ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା। ପରେ ଆମେରିକା ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରିଥିଲା। ଆମେରିକା ମଧ୍ୟ ଇରାନର ପରମାଣୁ ଘାଟି ଉପରେ ବୋମା ପକାଇଥିଲା। ଆମେରିକା ସେନା ଦ୍ୱାରା ଆକ୍ରମଣରେ ଇରାନର ୩ଟି ବଡ଼ ପରମାଣୁ ଘାଟି ଧ୍ୱଂସ ପାଇଥିଲା। ଯେଉଁଥିରେ ବଡ କ୍ଷତି ସହିଛି ଇରାନ । ଆମେରିକା ଇରାନକୁ ଧମକ ଦେଇଥିଲା ଯେ ଯଦି ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରେ କିମ୍ବା ପରମାଣୁ ଅସ୍ତ୍ର ତିଆରି କରେ, ତେବେ ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିବ। ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କତାରର ମଧ୍ୟସ୍ଥତାରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି କରାଇଥିଲେ ।
Comments are closed.