Latest Odisha News

BREAKING NEWS

ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ତେଲ ରୋକିଲେ ନିଆଁ ବର୍ଷିବ

ୱାଶିଂଟନ: ସାରା ବିଶ୍ୱ ଏବେ ଏକ ବଡ଼ ଧରଣର ଯୁଦ୍ଧ ଆଶଙ୍କାରେ ଥରୁଛି । ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ କୁ ନେଇ ଆରମ୍ଭ ହୋଇଛି ମହାସମରର ପଦଧ୍ୱନି। ଇରାନର ଧମକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ଏଭଳି ଏକ ଚେତାବନୀ, ଯାହା ଶୁଣିଲେ କେହି ବି ଶିହରୀ ଉଠିବେ।

ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ବିଶ୍ୱ ଅର୍ଥନୀତିକୁ ପୋଡ଼ି ପାଉଁଶ କରିଦେବା ଭଳି ସ୍ଥିତି ସୃଷ୍ଟି କରିଛି। ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡ ବ୍ରିଗେଡିୟର ଜେନେରାଲ ଇବ୍ରାହିମ ଜବାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ରାସ୍ତା ଏବେ ବନ୍ଦ ଏବଂ ଯିଏ ବି ଏଠାକୁ ଆସିବ ସିଏ ଜଳିଯିବ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ହାଲୁକା ଭାବେ ନେଇନାହାଁନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ସେ ଲେଖିଛନ୍ତି– “ଯଦି ଇରାନ ବାଧା ସୃଷ୍ଟି କରେ, ତେବେ ତାଙ୍କ ଉପରେ ମୃତ୍ୟୁ, ନିଆଁ ଏବଂ କହର ବରଷିବ।” ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଇରାନକୁ ଏଭଳି ଆଘାତ ଦିଆଯିବ ଯେ ଜଣେ ରାଷ୍ଟ୍ର ଭାବେ ସେ ପୁଣି ଥରେ ଠିଆ ହେବା ଅସମ୍ଭବ ହୋଇପଡ଼ିବ।

ଏହି ଉତ୍ତେଜନା ଯୋଗୁଁ ସମୁଦ୍ରର ଦୁଇ ପାର୍ଶ୍ୱରେ ପ୍ରାୟ ୭୦୦ରୁ ଅଧିକ ତେଲ ଟ୍ୟାଙ୍କର ଅଟକି ରହିଛନ୍ତି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଏହି ୩୩ କିଲୋମିଟର ଓସାରର ପଥ ଦେଇ ଯାଇଥାଏ। ସୌଦି ଆରବ, ୟୁଏଇ ଏବଂ କୁଏତ ପରି ଦେଶମାନଙ୍କ ପାଇଁ ଏହା ଏକମାତ୍ର ଲାଇଫ୍‌ଲାଇନ୍।

ଯଦି ଏହି ଗତିରୋଧ ଶୀଘ୍ର ଦୂର ନହୁଏ, ତେବେ ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହେବ ଏବଂ ଭାରତ ଭଳି ଦେଶରେ ପେଟ୍ରୋଲ-ଡିଜେଲ ଦର ଅସମ୍ଭାଳ ହୋଇପଡ଼ିବ। ଏଥିପାଇଁ ଏବେ ସାରା ବିଶ୍ୱର ନଜର ୱାଶିଂଟନ ଏବଂ ତେହେରାନ ଉପରେ ରହିଛି ।

Leave A Reply

Your email address will not be published.