ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସରେ ପ୍ରଥମ ଥର ପାଇଁ, ସଂସଦକୁ ସମ୍ବୋଧନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଉ ଭାଷଣରେ ପୁଣି ଥରେ ଭାରତ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନଙ୍କ ପ୍ରତି ଅନୁଚିତ ବାଣିଜ୍ୟ ନୀତି ପାଇଁ ଭାରତ ସମେତ ଆମେରିକାର ଅଧିକାଂଶ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଏପ୍ରିଲ ୨ରୁ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି, ଟାରିଫକୁ ନେଇ କୌଣସି ବୁଝାମଣା ହେବନାହିଁ । ଏଣିକି ଯେସାକୁ ତେସା ନୀତି ଆପଣାଇବ ଆମେରିକା । ଅର୍ଥାତ୍ ଯେଉଁ ଦେଶ ଆମେରିକା ଉପରେ ଯେତେ ଟିକସ ଲଗାଇବ, ଆମେରିକା ମଧ୍ୟ ସେହି ଦେଶ ଠାରୁ ସେତେ ଟିକସ ଆଦାୟ କରିବ ।
ତେବେ କାନାଡିଆନ ଏବଂ ମେକ୍ସିକାନ ଆମଦାନୀ ଉପରେ ନୂତନ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବା ଏବଂ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ଦ୍ୱିଗୁଣିତ କରି ୨୦ ପ୍ରତିଶତ ବୃଦ୍ଧି କରିବା ପରେ ଏବେ ଖପ୍ପା ହୋଇଛନ୍ତି ଟ୍ରମ୍ପ । ଆମେରିକାର ତିନିଟି ବୃହତ୍ତମ ବାଣିଜ୍ୟିକ ଅଂଶୀଦାର, ଏଭଳି ନିଷ୍ପତ୍ତି ନେଇ ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ ପଦକ୍ଷେପ ଘୋଷଣା କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।
ଯାହାକୁ ନେଇ ଟ୍ରମ୍ପ କହିଛନ୍ତି, ଅନ୍ୟ ଦେଶ ଦଶନ୍ଧି ଧରି ଆମ ବିରୁଦ୍ଧରେ ଶୁଳ୍କ ବ୍ୟବହାର କରିଆସୁଛନ୍ତି, ହେଲେ ବର୍ତ୍ତମାନ ଆମେ ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ସମାନ ନୀତି ଆପଣାଇବା ଆରମ୍ଭ କରିବା । ୟୁରୋପୀୟ ସଂଘ, ଚୀନ୍, ବ୍ରାଜିଲ୍, ଭାରତ ଏବଂ ଅଗଣିତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମଠାରୁ ଆମେ ଆଦାୟ କରୁଥିବା ଶୁଳ୍କ ଅପେକ୍ଷା ଅତ୍ୟନ୍ତ ଅଧିକ ଶୁଳ୍କ ଆଦାୟ କରନ୍ତି । ଯାହା ଆମେରିକା ପ୍ରତି ଅତ୍ୟନ୍ତ ଅନ୍ୟାୟ ବୋଲି କହିଛନ୍ତି ଟ୍ରମ୍ପ ।
ଆଉ ଭାଷଣରେ ଭାରତ ଉପରେ ଜୋରଦାର ବର୍ଷିଛନ୍ତି ଟ୍ରମ୍ପ । ଭାରତ ଆମଠାରୁ ୧୦୦ ପ୍ରତିଶତରୁ ଅଧିକ ଶୁଳ୍କ ଆଦାୟ କରେ । ଆମ ଉତ୍ପାଦ ଉପରେ ଚୀନର ହାରାହାରି ଶୁଳ୍କ ଆମେ ନେଉଥିବା ଶୁଳ୍କ ଅପେକ୍ଷା ଦୁଇ ଗୁଣ ଅଧିକ ଏବଂ ଦକ୍ଷିଣ କୋରିଆରର ହାରାହାରି ଶୁଳ୍କ ଚାରି ଗୁଣ ଅଧିକ । ଯାହା ଉଭୟ ବନ୍ଧୁ ଏବଂ ଶତ୍ରୁଙ୍କ ଦ୍ବାରା ଘଣୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ବ୍ୟବସ୍ଥା ଆମେରିକା ପ୍ରତି ନ୍ୟାୟପୂର୍ଣ୍ଣ ନୁହେଁ । ତେଣୁ ଆସନ୍ତା ଏପ୍ରିଲ ୨ରୁ ପାରସ୍ପରିକ ଶୁଳ୍କ ସବୁ ଦେଶ ପାଇଁ ଲାଗୁ ହେବ । ସେମାନେ ଆମ ଉପରେ ଯାହା କର ଲଗାଇବେ, ଆମେ ମଧ୍ୟ ସାମାନଙ୍କ ଉପରେ ସମାନ କର ଲାଗୁ କରିବୁ ।
ଏଥିସହିତ ଦ୍ବିତୀୟ ପାଳିରେ ଆମେରିକାର ସଂସଦର ପ୍ରଥମ କଂଗ୍ରେସ ଅଧିବେଶନକୁ ସମ୍ବୋଧିତ କରି, ପୂର୍ବ ବାଇଡେନ ସରକାରଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ । କହିଛନ୍ତି, ଆମେରିକା ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ୪୩ ଦିନରେ ଯାହା ହୋଇଛି, ୪ ବର୍ଷରେ ତାହା ହୋଇ ନଥିଲା । ବାଇଡେନ୍ ସବୁଠାରୁ ଖରାପ ରାଷ୍ଟ୍ରପତି ଥିଲେ । ତାଙ୍କ ବେଳେ ଦେଶରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ହେଲେ ଏବେ ଏହା ଉପରେ ରୋକ୍ ଲଗାଇଛୁ ।
Comments are closed.