ନୂଆଦିଲ୍ଲୀ: ଋଷ ଠାରୁ ତୈଳ କ୍ରୟ କରିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇ ଅଗଷ୍ଟ ୨୭ରୁ ଭାରତୀୟ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଯାହାପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ଆଗାମୀ ଆଠରୁ ଦଶ ସପ୍ତାହ ମଧ୍ୟରେ ଏହି ଶୁଳ୍କ ବିବାଦର ସମାଧାନ ହେବା ନେଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ ଗୁରୁବାର ଦିନ କହିଛନ୍ତି।
ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଗେଶ୍ୱରନ ଏନେଇ ପ୍ରକାଶ କରିଛନ୍ତି। ଶୁଳ୍କ ଜାରି ରହିଲେ ଆମେରିକାକୁ ଭାରତୀୟ ରପ୍ତାନି ହ୍ରାସ ପାଇପାରେ ବୋଲି ସେ କହିଥିଲେ। ଭାରତକୁ ଏକ ନିମ୍ନ-ମଧ୍ୟମ ଆୟ ଆକାଂକ୍ଷୀ ଅର୍ଥନୀତି ଭାବରେ ବର୍ଣ୍ଣନା କରି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୮ ପ୍ରତିଶତ ହାରରେ ଅଭିବୃଦ୍ଧି ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏଥିସହିତ ଗ୍ରାମାଞ୍ଚଳ ଚାହିଦାକୁ ସୁଦୃଢ଼ କରିବା ସହ ସହରାଞ୍ଚଳ ଚାହିଦାରେ ଉନ୍ନତି ସହିତ ଉତ୍ପାଦନ, ସେବା ଏବଂ କୃଷି କ୍ଷେତ୍ରରେ ପ୍ରଗତି ଦ୍ଵାରା ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ହେବା ନେଇ ସେ କହିଛନ୍ତି।
ଏଥିମଧ୍ୟରେ GST ହାରରେ ହୋଇଥିବା ରିହାତି ଗ୍ରାହକ ମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଓ MSME କ୍ଷେତ୍ରକୁ ଋଣ ପ୍ରଦାନ କରିବା ସହ ବଡ଼ ଶିଳ୍ପଗୁଡ଼ିକୁ ଋଣ ପ୍ରଦାନରେ ମଧ୍ୟ ପରିବର୍ତ୍ତନ ଘଟୁଥିବା ନେଇ ସୂଚନା ଦିଆଯାଇଛି। ଏଥିସହିତ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହେଉଥିଲେ ମଧ୍ୟ ଟଙ୍କା ଏହାର ମୂଲ୍ୟ ବଜାୟ ରଖିବ ବୋଲି ସେ କହିଛନ୍ତି।
Comments are closed.