Latest Odisha News

BREAKING NEWS

ପୁଣି ଟ୍ରମ୍ପ-ମସ୍କ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଏଲନ ମସ୍କ ମୁହାଁମୁହିଁ । ଟ୍ରମ୍ପଙ୍କ ବହୁଚର୍ଚ୍ଚିତ ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲକୁ ନେଇ ଉଭୟ ପକ୍ଷରୁ ଜୋରଦାର ବୟାନବାଜି କରାଯାଉଛି । ବିଲକୁ କଡା ସମାଲୋଚନା କରିଛନ୍ତି କୋଟିପତି ବ୍ୟବସାୟୀ ଏଲନ ମସ୍କ । ଟ୍ରମ୍ପଙ୍କ ଏହି ବିଲକୁ ପାଗଳାମୀ ଓ କରଦାତାଙ୍କ ଉପରେ ବୋଝ ବୋଲି କହିଛନ୍ତି ମସ୍କ । ସିନେଟ୍ ବିଲକୁ ମଂଜୁରୀ ଦେଲେ, ଏହାର ପରଦିନ ହିଁ ଆମେରିକା ପାର୍ଟି ନାଁରେ ଏକ ନୂଆ ରାଜନୈତିକ ଦଳ ଲଞ୍ଚ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମସ୍କଙ୍କ ଚେତାବନୀ ପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଏଲନ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ବୋଲି ଧମକ ଦେଇଛନ୍ତି ।

ମସ୍କଙ୍କୁ ଟ୍ରମ୍ପଙ୍କ ଧମକ

ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ । ଏକଥା ରାଷ୍ଟ୍ରପତି ନିର୍ବାଚନ ବେଳେ ସାହାଯ୍ୟ କରିବା ପୂର୍ବରୁ ମସ୍କ ଜାଣିଥିଲେ ବୋଲି ଟ୍ରମ୍ପ ଲେଖିଛନ୍ତି । ଏପରିକି ତାଙ୍କର ଏହି ଆଭିମୁଖ୍ୟ ନିର୍ବାଚନ ପ୍ରଚାରରେ ବି ସେ କହିଥିଲେ । ଇଲେକ୍ଟ୍ରୋନିକ ଯାନ କିଣିବାକୁ ସମସ୍ତଙ୍କୁ ବାଧ୍ୟ କରାଯାଇ ପାରିବନି । ଏଲନ ମସ୍କଙ୍କୁ ମାନବ ଇତିହାସରେ କୌଣସି ବ୍ୟକ୍ତିଙ୍କୁ ମିଳିଥିବା ସବସିଡିଠାରୁ ଅଧିକ ମିଳିପାରେ । ହେଲେ ବିନା ସବସିଡିରେ ହୁଏତ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ । ଅଧିକ ସଂଖ୍ୟାରେ ରକେଟ୍ ଲଞ୍ଚର, ସାଟେଲାଇଟ୍ ବା ଲେକ୍ଟ୍ରୋନିକ ଯାନ ଉତ୍ପାଦନ ହେବନି । ଏଭଳି ସ୍ଥିତିରେ ଅର୍ଥ ବଞ୍ଚିଯିବ । ମସ୍କଙ୍କୁ ଟାର୍ଗେଟ୍ କରି ଡିଓଜିଇ ତାଙ୍କୁ ମିଳିଥିବା ସରକାରୀ ସବସିଡି ଓ କଣ୍ଟ୍ରାକ୍ଟର ଯାଞ୍ଚ କରିବା ଉଚିତ୍ ବୋଲି ଟ୍ରମ୍ପ କହିଛନ୍ତି ।

ବିଲ୍ ପାସ ହେଲେ ନୂଆ ଦଳ !

ବହୁଚର୍ଚ୍ଚିତ ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରମୁଖ ନୀତି । ତେବେ ଏହାକୁ ଲଗାତର ସମାଲୋଚନା କରିଆସୁଛନ୍ତି ମସ୍କ । ବିଲ ପାଞ୍ଚ ଟ୍ରିଲିୟନ ଡଲାରର ରେକର୍ଡ ଋଣ ସୀମା ବଢାଇବ । ତେଣୁ ଲୋକଙ୍କ ଚିନ୍ତା କରୁଥିବା ଦଳ ଗଠନର ସମୟ ଆସି ଯାଇଥିବା ମସ୍କ କହିଛନ୍ତି । ପାଗଳାମୀଭରା ଏହି ବିଲ୍ ପାସ ହେଲେ, ତାର ପରଦିନ ଆମେରିକା ପାର୍ଟିର ଆରମ୍ଭ କରିବେ ବୋଲି ମସ୍କ ଚେତାବନୀ ଦେଇଛନ୍ତି । ଡେମୋକ୍ରାଟ୍ ଓ ରିପବ୍ଲିକାନଙ୍କର ଏହି ମିଳିତ ପାର୍ଟିର ବିକଳ୍ପ ଆବଶ୍ୟକ । ଯାହା ବାସ୍ତବରେ ଲୋକଙ୍କ ସ୍ବର ପାଲଟିବ ବୋଲି ମସ୍କ କହିଛନ୍ତି ।

କାହିଁକି ବିଲକୁ ବିରୋଧ କରୁଛନ୍ତି ମସ୍କ?

ବିଲ୍ ପାଇଁ ରାଷ୍ଟ୍ରୀୟ ଋଣ ଅହେତୁକ ଭାବେ ବଢିବ ବୋଲି ମସ୍କ କହୁଛନ୍ତି । ଏହା ୨.୪ଟ୍ରିଲିୟନ ଡଲାରରୁ ବଢି ୫ଟ୍ରିଲିୟନ ଡଲାର ହୋଇଯିବ । ଫଳରେ ବଜେଟ୍ ନିଅଣ୍ଟ ବଢିବ । ବିଲ ଯୋଗୁଁ ଆମେରିକା ନାଗରିକଙ୍କ ଉପରେ ଅତିରିକ୍ତ ବୋଝ ବଢିବ । ତେଣୁ ବିଲକୁ ଅଧିକ ଖର୍ଚ୍ଚଯୁକ୍ତ ବୋଲି କହିଛନ୍ତି ମସ୍କ । ସେହିପରି ବିଲରେ ଇଲେକ୍ଟ୍ରୋନିକ ଯାନରେ ଟ୍ୟାକ୍ସ କ୍ରେଡିଟ୍ ଓ ସ୍ବଚ୍ଛ ଶକ୍ତି ପ୍ରୋତ୍ସାହନ ରାଶି ଶେଷ କରିବାର ବ୍ୟବସ୍ଥା ରହିଛି । ତେଣୁ ବିଲ ପାଇଁ ମସ୍କଙ୍କ କମ୍ପାନୀ ଟେସଲା ବ୍ୟାପକ କ୍ଷତି ସହିପାରେ । ତେଣୁ ବିଲକୁ କଡା ସମାଲୋଚନା କରୁଛନ୍ତି ମସ୍କ ।

ଦିନେ ଟ୍ରମ୍ପଙ୍କ ଖାସ ରହିଥିବା ଏଲନ ମସ୍କଙ୍କୁ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବିଭାଗ ବା ଡିଓଜିଇର ମୁଖ୍ୟ କରାଯାଇଥିଲା । ହେଲେ ଟ୍ରମ୍ପଙ୍କ ସହ ମତଭେଦ ଜୋରଦାର ହୋଇଥିଲା । ଏପରିକି ସେ ସମର୍ଥନ କରିନଥିଲେ ଟ୍ରମ୍ପ ନିର୍ବାଚନ ହାରି ଯାଇଥାନ୍ତେ ବୋଲି ମସ୍କ କହିଥିଲେ । ପରେ ଉଭୟଙ୍କ ମଧ୍ୟରେ ବିବାଦର ଏକପ୍ରକାର ସମାଧାନ ହୋଇଥିଲା । ହେଲେ ବିଲକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ଟ୍ରମ୍ପ ଓ ମସ୍କ । ଏହାପରେ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ବୋଲି ଟ୍ରମ୍ପ କହିଛନ୍ତି । ମସ୍କ ଦକ୍ଷିଣ ଆଫ୍ରିକାରେ ଜନ୍ମ ନେଇଥିବା ବେଳେ ୧୯୮୯ରେ ୧୭ବର୍ଷ ବୟସରେ କାନାଡା ଯାଇଥିଲେ । ପରେ ଆମେରିକା ଯାଇ ସେଠାରେ ନିଜ ବ୍ୟବସାୟର ବିସ୍ତାର କରିଥିଲେ ।

Comments are closed.