Latest Odisha News

BREAKING NEWS

ଟ୍ରମ୍ପଙ୍କ ଟାରିଫ୍ ନୀତି, ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆକୁ ଝଟକା!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍‌ ୨ ତାରିଖରେ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲଗାଇବାର ଘୋଷଣା କରିଛନ୍ତି। ଏହା ପରେ ବିଶ୍ୱର ସେୟାର ବଜାର ଓ କମୋଡିଟି ବଜାରରେ ହଲଚଲ ଦେଖାଦେଇଛି। ଭାରତୀୟ ସେୟାର ବଜାର ମଧ୍ୟ ଏହାର ପ୍ରଭାବରୁ ବାଦ୍‌ ପଡ଼ିନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଟାରିଫ ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା ଉପରେ କିଛି ପ୍ରଭାବ ପକାଇବ କି ନାହିଁ।

‘ମେକ୍‌ ଇନ୍‌ ଇଣ୍ଡିଆ’ ଅଧୀନରେ ଭାରତରେ ଅନେକ ଯୋଜନା ଚାଲିଛି। ସେଥିମଧ୍ୟରୁ ପିଏଲ୍‌ଆଇ (ପ୍ରୋଡକ୍ସନ ଲିଙ୍କଡ୍‌ ଇନସେଣ୍ଟିଭ୍‌) ସ୍କିମ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଏହି ସ୍କିମ୍‌ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଏକ ରିପୋର୍ଟରେ କହିଛି ଯେ, ବିଶ୍ୱସ୍ତରୀୟ ଟାରିଫ ଯୁଦ୍ଧ ଭିତରେ ଏହି ସ୍କିମ୍‌କୁ ଆହୁରି ଶକ୍ତିଶାଳୀ କରିବା ଦରକାର।

ଟ୍ରମ୍ପ ଭାରତକୁ ନିଜର ବନ୍ଧୁ କହି ମଧ୍ୟ ୨୬ ପ୍ରତିଶତ ଟାରିଫ ଲଗାଇଛନ୍ତି। ସେହିପରି ଚୀନ୍‌ ଉପରେ ୩୪ ପ୍ରତିଶତ ଟାରିଫ ଘୋଷଣା କରିଛନ୍ତି। ଏହାର ଜବାବରେ ଚୀନ୍‌ ଶୁକ୍ରବାର ଦିନ ଆମେରିକାରୁ ଆସୁଥିବା ଜିନିଷ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଛି। ଏହି ଟାରିଫ ଯୁଦ୍ଧ ଭିତରେ ଭାରତ ନିଜର ବଡ଼ ଶ୍ରମଶକ୍ତି ଓ କମ୍‌ ଖର୍ଚ୍ଚରେ ଉତ୍ପାଦନ କ୍ଷମତା ଯୋଗୁଁ ଭଲ ସ୍ଥିତିରେ ଅଛି। ତେବେ ଏସବିଆଇ ରିପୋର୍ଟ ଅନୁସାରେ, ବିଶ୍ୱସ୍ତରୀୟ ସଙ୍କଟରୁ ଅଧିକ କ୍ଷତି ନ ହେବା ପାଇଁ ପିଏଲ୍‌ଆଇ ସ୍କିମ୍‌କୁ ଆହୁରି ସୁଦୃଢ଼ କରିବା ଜରୁରୀ।

ଏସବିଆଇ କହିଛି ଯେ, ସରକାର ଏହି ସ୍କିମ୍‌ର ସମୟସୀମାକୁ ୩ ବର୍ଷ ବଢ଼ାଇବା ଉଚିତ୍। ଏହା ଦ୍ୱାରା ଦେଶର ଉଦ୍ୟୋଗଗୁଡ଼ିକ ଅଧିକ ନିବେଶ କରି ବିଶ୍ୱ ବଜାରରେ ପ୍ରତିଯୋଗିତା କରିପାରିବେ। ଟାରିଫ ଯୁଦ୍ଧ ଯୋଗୁଁ ଆମେରିକାରେ ଷ୍ଟିଲ୍‌, ଜୋତା ଓ କପଡ଼ା ବଜାର ଭାରତ ପାଇଁ ଅଧିକ ଖୋଲିପାରେ। ଏହାର ଫାଇଦା ଉଠାଇବା ପାଇଁ ଭାରତକୁ ଉତ୍ପାଦନ ବଢ଼ାଇବାକୁ ପଡ଼ିବ। ଏଥିପାଇଁ ପିଏଲ୍‌ଆଇ ସ୍କିମ୍‌ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.