ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଗୋଲ୍ଡ କାର୍ଡ ବା ଗୋଲଡେନ ଭିସା ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ, ୫ ନିୟୁତ ଡଲାର ଦେଇ ଆମେରିକାର ସ୍ଥାୟୀ ନାଗରିକତ୍ବ ଓ ଇଚ୍ଛାଧୀନ ନାଗରିକତ୍ବ ସ୍କିମ ପ୍ରତି ଲୋକେ ଖୁବ୍ ଆଗ୍ରହ ଦେଖାଉଛନ୍ତି।
ଏବେ ଟ୍ରମ୍ପ ପ୍ରଶାସନର ଜଣେ ଶୀର୍ଷ ମନ୍ତ୍ରୀ ଲୁଟନିକ କହିଛନ୍ତି ଯେ ମାତ୍ର ଗୋଟିଏ ଦିନରେ ଏକ ହଜାର ଗୋଲ୍ଡ କାର୍ଡ ବିକ୍ରି ହୋଇଛି ଏବଂ ଲୋକମାନେ ଗୋଲ୍ଡ କାର୍ଡ ପାଇବା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି।
ଗୋଲ୍ଡ କାର୍ଡ ଯୋଜନାର ଲାଭ ସମ୍ପର୍କରେ ଲୁଟନିକ କହିଛନ୍ତି, “ଯଦି ଆପଣ ଜଣେ ଆମେରିକୀୟ ନାଗରିକ ତେବେ ଆପଣଙ୍କୁ ବିଶ୍ୱସ୍ତରୀୟ ଟିକସ ଦେବାକୁ ପଡିବ ଏବଂ ବାହାରୁ ଲୋକମାନେ ବିଶ୍ୱସ୍ତରୀୟ ଟିକସ ଦେବାକୁ ଆମେରିକା ଆସିବେ ନାହିଁ।” ଯଦି ଆପଣଙ୍କର ଗ୍ରୀନ୍ କାର୍ଡ ଅଛି କିମ୍ବା ଏବେକାର ଗୋଲ୍ଡ କାର୍ଡ ଅଛି ତେବେ ଆପଣ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇପାରିବେ ଏବଂ ଆପଣଙ୍କୁ ଟିକସ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଆପଣ ଚାହିଁଲେ ଏଠାକାର ସ୍ଥାୟୀ ନାଗରିକ ହୋଇପାରନ୍ତି କିମ୍ବା ନ ହୋଇପାରନ୍ତି।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ପ୍ରଶାସନ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଡ ବ୍ୟକ୍ତି ପିଛା ପ୍ରଦାନ କରାଯାଇପାରିବ । ଅର୍ଥାତ ଜଣେ ବ୍ୟକ୍ତି ଚାହିଁଲେ ପତ୍ନୀ, ସନ୍ତାନ ଓ ପରିବାର ସଦସ୍ୟଙ୍କ ଲାଗି କ୍ରୟ କରିପାରିବେ । ଏହି ଗୋଲ୍ଡ କାର୍ଡଗୁଡ଼ିକୁ ବିକ୍ରୀ ପରେ ସଂଗୃହୀତ ଟଙ୍କା ଦେଶର ଋଣ ହ୍ରାସ କରିବା ପାଇଁ ବ୍ୟବହୃତ ହେବ। ଏହାବ୍ୟତୀତ ଗୋଲ୍ଡ କାର୍ଡ ପ୍ରଦାନ କରିବା ପୂର୍ବରୁ ଆବେଦନକାରୀଙ୍କୁ ଭଲ ଭାବରେ ଯାଞ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି।