Latest Odisha News

ଆମେରିକା ସହ ଲଢିବାକୁ ପ୍ରସ୍ତୁତ ସତ୍ୟ ସାଇଙ୍କ ଭକ୍ତ !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା ସେନା। ତେଲ ଉତ୍ପାଦନକାରୀ ଏହି ଦେଶ ନିକଟରେ ଆମେରିକା ପ୍ରାୟ ପ୍ରତିଦିନ ସେନା ଉପସ୍ଥିତି ବଢାଇବାରେ ଲାଗିଛି।

ଶୁକ୍ରବାର ରାତିରେ ଆଟଲାଣ୍ଟିକ ମହାସାଗର ଆଡକୁ ଆମେରିକା ଯୁଦ୍ଧ ଜାହାଜ ଆଗଉଥିବା ଦେଖିବାକୁ ମିଳିଛି। ଏହାକୁ କାରବିଆନ୍ ସାଗରରେ ଆଣ୍ଟି ଡ୍ରଗ୍ ଟ୍ରାଫିକିଂ ଅପେରନସର ଅଂଶ ବୋଲି ଟ୍ରମ୍ପ ପ୍ରଶାସନ କହିଛି। ତଥାକଥିତ ଡ୍ରଗ ଟ୍ରାଫିକିଂକୁ ରୋକିବାକୁ ଏପର୍ଯ୍ୟନ୍ତ ୭ଟି ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। କ୍ରୁଜ ମିସାଇଲ୍ ଥିବା ଯୁଦ୍ଧ ଜାହାଜ ସହ ପରମାଣୁ କ୍ଷମତା ସଂପନ୍ନ ବୁଡାଜାହାଜ ମଧ୍ୟ ନିୟୋଜିତ କରାଯାଇଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କ ଉପରେ ଡ୍ରଗ କାର୍ଟେଲ୍ ଚଳାଇବା ନେଇ ଅଭିଯୋଗ ଲଗାଇଛି ଆମେରିକା। ଡ୍ରଗ୍ସ ତସ୍କରଙ୍କ ମୁକାବିଲା ପାଇଁ ସେନା ମୁତୟନ କରିଥିବା ଆମେରିକା କହୁଥିବା ବେଲେ ଭେନେଜୁଏଲା ହିଁ ପ୍ରକୃତ ନିଶାନା ବୋଲି ଦେଶ କହିଛି।

ଡ୍ରଗ୍ସ ଟ୍ରାଫିକିଂର ମୁକାବିଲା ପ୍ରସ୍ତୁତି !

ଏପର୍ଯ୍ୟନ୍ତ ଭେନେଜୁଏଲା ଉପରେ ସାର୍ବଜନୀନ ଭାବେ ଆକ୍ରମଣ ନେଇ କୌଣସି ଧମକ ଦେଇନି ଆମେରିକା। ଦେଶର ଅପରାଧିକ ଗ୍ୟାଙ୍ଗଗୁଡିକୁ ଧମକ ଦେଇଛନ୍ତି ଟ୍ରମ୍ପ। ବିଶେଷ କରି କୋକେନ୍ ତସ୍କରୀ କରୁଥିବା କାର୍ଟେଲ ଦି ଲସ ସୋଲେସକୁ ଟ୍ରମ୍ପ ପ୍ରଶାସନ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ଏହାର ନେତୃତ୍ବ ମଦୁରୋ କରୁଥିବା ଅଭିଯୋଗ କରିଛି। ଭେନେଜୁଏଲା ନିକଟରେ ୭ଟି ଆମେରିକୀୟ ଯୁଦ୍ଧପୋତ ଓ ଗୋଟିଏ ପରମାଣୁ କ୍ଷମତା ସଂପନ୍ନ ବୁଡାଜାହାଜ ପହଞ୍ଚୁଛି। ଏହାସହ ୪ହଜାର ୫ଶହରୁ ଅଧିକ ନାବିକ ଓ ସାମୁଦ୍ରିକ ସୈନିକ ବି ରହିଛନ୍ତି।

ଟ୍ରମ୍ପଙ୍କ ଫୋକସରେ କ’ଣ?

ଡ୍ରଗ୍ସ କାର୍ଟେଲ୍ ସହ ଲଢିବା ତାଙ୍କ ସରକାରର ପ୍ରାଥମିକତା ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। କାର୍ଟେଲ୍ ଗୁଡିକ ଆଡୁ ଆସୁଥିବା ବିପଦର ମୁକାବିଲା ପାଇଁ ସେନା ମୁତୟନ କରାଯାଇଥିବା ଆମେରିକୀୟ ଅଧିକାରୀ କହୁଛନ୍ତି। ତେବେ ସମୁଦ୍ର ପଥରେ ଆସୁଥିବା ଅଧିକାଂଶ ଡ୍ରଗ ଟ୍ରାଫିକିଂ ପ୍ରଶାନ୍ତ ମହାସାଗର ବାଟ ଦେଇ ଆମେରିକା ଆସୁଥିବା ବେଳେ ଆମେରିକା ଆଟଲାଣ୍ଟିକ ମହାସାଗରରେ ସେନା ମୁତୟନ କରିଛି। ସେପଟେ କୌଣସି ସ୍ଥିତିରେ ବି ଆମେରିକା ସେନାକୁ ଭେନେଜୁଏଲାରେ ଏଣ୍ଟ୍ରି କରିବାକୁ ଦିଆଯିବନାହିଁ ବୋଲି ରାଷ୍ଟ୍ରପତି ନିକୋଲାସ ମଦୁରୋ କହିଛନ୍ତି।

କ୍ଷମତା ପରିବର୍ତ୍ତନ ଚାହୁଁଛି ଆମେରିକା !

କିଛି ଦିନ ତଳେ ଭେନେଜୁଏଲାରେ ଗୃହଯୁଦ୍ଧ ଉସୁକାଇବା ଅଭିଯୋଗରେ ଅନେକ ଆମେରିକୀୟ ଏଜେଣ୍ଟଙ୍କୁ ଗିରଫ କରାଯାଇଥିଲା। ଆମେରିକାର ଉଦ୍ୟମ ସତ୍ତ୍ବେ କ୍ଷମତାରେ ମଦୁରୋଙ୍କର ଶକ୍ତି ରହିଛି। କାରବିଆନ୍ ଅଞ୍ଚଳରେ ଆମେରିକା ସେନା ମୁତୟନ ରୋକିବାକୁ ଜାତିସଂଘକୁ ଅପିଲ୍ କରିଛନ୍ତି ମଦୁରୋ। ଭେନେଜୁଏଲାରେ ବିଶ୍ବର ସବୁଠୁ ବଡ଼ ତୈଳ ଭଣ୍ଡାର ରହିଛି। ରାଷ୍ଟ୍ରପତି ମଦୁରୋ ତେଲ କମ୍ପାନୀଙ୍କୁ ସରକାରୀ ଘୋଷଣା କରିବା ପରେ ଆମେରିକା କମ୍ପାନୀ ହାତରୁ ତୈଳଭଣ୍ଡାର ଖସିଯାଇଥିଲା। ଫଳରେ ଆମେରିକାକୁ ବଡ଼ ଆର୍ଥିକ ଝଟକା ଲାଗିଥିଲା।

ସାଇ ଭକ୍ତ ମଦୁରୋ

ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ ଜଣେ କଟ୍ଟର ବାମପନ୍ଥୀ ନେତା। ତେବେ ତାଙ୍କ ବ୍ୟକ୍ତିଗତ ଜୀବନର ସଂପର୍କ ଭାରତ ସହ ରହିଛି। ୨୦୦୫ରେ ସେ ଭାରତ ଆସି ଜଣାଶୁଣା ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ତାଙ୍କ ଆଧ୍ଯାତ୍ମିକ ଚେତନା ଉପରେ ପ୍ରଭାବ ପକାଇଥିଲା। ପରେ ସେ ନିଜକୁ ସାଇବାବାଙ୍କ ଅନୁଗାମୀ କହିଥିଲେ। ୨୦୧୩ରେ ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ତାଙ୍କ ଜେଜେବାପା ଇହୁଦୀ ଥିଲେ ଓ ପରେ କ୍ୟାଥୋଲିକ ହୋଇଥିଲେ।

ଭୋଟ୍ ଚୋରି, ଫର୍ଜି ନିର୍ବାଚନ, ମାନବାଧିକାର ଉଲ୍ଲଂଘନ ଭଳି ପ୍ରସଙ୍ଗ ଉଠାଇ ଭେନେଜୁଏଲାରେ ଗୃହଯୁଦ୍ଧ ଉସୁକାଇ ମଦୁରୋଙ୍କୁ କ୍ଷମତାରୁ ହଟାଇବାକୁ ଅନେକ ଥର ଉଦ୍ୟମ କରିଛି ଆମେରିକା, ତେବେ ବିଫଳ ହୋଇଛି। ଏବେ ସେନା ମୁତୟନ କରି ନାଲିଆଖି ଦେଖାଇଛନ୍ତି ଟ୍ରମ୍ପ।

 

Comments are closed.