ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ପରମାଣୁ କାର୍ଯ୍ୟକ୍ରମର କୂଟନୈତିକ ସମାଧାନ ଶୀଘ୍ର ନ ମିଳେ ତେବେ ଆମେରିକା ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଏକ ଆସଲ୍ଟ ରାଇଫଲ୍ ଧରିଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, “ନୋ ମୋର ମିଷ୍ଟର ନାଇସ୍ ଗାଏ।” ଆଲୋଚନାର ଧୀର ଗତିରେ ନିରାଶ ହେବା ସହ ଟ୍ରମ୍ପ କହିଛନ୍ତି, “ଇରାନ ଏହାର ବ୍ୟାପାରକୁ ଠିକ୍ ଭାବରେ ପରିଚାଳନା କରୁନାହିଁ। ସେମାନେ ପରମାଣୁ ଚୁକ୍ତିନାମାରେ ସ୍ୱାକ୍ଷର କିପରି କରିବେ ତାହା ମଧ୍ୟ ଜାଣନ୍ତି ନାହିଁ।”
ତେବେ ଟ୍ରମ୍ପଙ୍କ ପୋଷ୍ଟରୁ ଜଣାପଡୁଛି ଯେ ଯଦି ତେହେରାନ ୱାଶିଂଟନର ପ୍ରସ୍ତାବିତ ସର୍ତ୍ତାବଳୀକୁ ପ୍ରତିରୋଧ କରିବା ଜାରି ରଖେ ତେବେ ଆମେରିକା ଆହୁରି ଆକ୍ରମଣାତ୍ମକ ନୀତି ଗ୍ରହଣ କରିପାରିବ। ଟ୍ରମ୍ପ ତେହେରାନର ସାମ୍ପ୍ରତିକ କୂଟନୈତିକ ପଦକ୍ଷେପ ପ୍ରତି ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ପରମାଣୁ ସମସ୍ୟାର ସିଧାସଳଖ ସମାଧାନ ନହେବା ପର୍ଯ୍ୟନ୍ତ ୱାଶିଂଟନ ଆଲୋଚନା ଆଗକୁ ବଢିବ ନାହିଁ।
ଏପଟେ ଇରାନ ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ତଥାପି ଆମେରିକା ଏହି ପ୍ରସ୍ତାବରେ ଅସନ୍ତୁଷ୍ଟ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଇରାନର ପ୍ରସ୍ତାବ ପୂର୍ବ ଅପେକ୍ଷା ଭଲ, କିନ୍ତୁ ଯେକୌଣସି ଚୁକ୍ତି ଇରାନକୁ ପରମାଣୁ ଅସ୍ତ୍ର ବିକାଶ ଦିଗରେ ଅଗ୍ରଗତି କରିବାରୁ ରୋକିବା ଉଚିତ। ଟ୍ରମ୍ପ୍ ପୂର୍ବରୁ କହିଥିଲେ ଯେ ଯଦି ଇରାନ ପରମାଣୁ ଅସ୍ତ୍ର ହାସଲ କରେ, ତେବେ ସମଗ୍ର ବିଶ୍ୱ ବନ୍ଧକ ହୋଇଯିବ।
Comments are closed.