Latest Odisha News

ଭରତପୁର ଘଟଣା ପଛର ସତ

ଭୁବନେଶ୍ବର: ଶନିବାର କଳା ରାତିର କାହାଣୀ। ସେଦିନ ରାତିରେ କଣ ହୋଇଥିଲା? ଭରତପୁର ଥାନାକୁ ଯିବା ପୂର୍ବରୁ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ କଣ ହୋଇଥିଲା? କାହିଁକି ବାଟରେ ଅଟକାଇ ଝଗଡା କରିଥିଲେ ଯୁବକ? କାହିଁକି ରାସ୍ତାରେ ଝଗଡା ହୋଇଥିଲା? ଅଭିଯୋଗ ପାଇଁ ଥାନାକୁ ଯିବା ପରେ ସେଠାରେ କଣ ହୋଇଥିଲା ? ପୋଲିସ ନିର୍ଯାତନା ଦେଲା ନା ସେନା ଅଧିକାରୀଙ୍କ ବାନ୍ଧବୀ ପୋଲିସକୁ ଦୁର୍ବ୍ୟବହାର କଲେ? ପୋଲିସ ଓ ଯୁବତୀଙ୍କ ମଧ୍ୟରୁ କାହା କଥା ସତ? ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସୋସିଆଲ୍ ମିଡିଆରେ ସେହି ରାତିର ଅନେକ ଭିଡିଓ ଭାଇରାଲ୍ ହେଉଛି। ତେବେ ପ୍ରଶ୍ନ ଉଠୁଛି, ପ୍ରକୃତ ସତ କଣ?

କଣ କହୁଛି ଭାଇରାଲ୍ ଭିଡିଓ ?

ଗଣମାଧ୍ୟମରେ ପୀଡିତାଙ୍କ ବୟାନ ପରଠୁ ସୋସିଆଲ୍ ମିଡିଆରେ ପୀଡିତାଙ୍କର ସିରିଜ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଭାଇରାଲ୍ ଭିଡିଓ ନମ୍ବର-1

ଭିଡିଓରେ ବନ୍ଧୁଙ୍କ ଗହଣରେ ନାଚୁଛନ୍ତି ପୀଡିତା। କ୍ୟାପଟେନ୍ ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଖିଆପିଆ କରିବା ସହ ମଉଜ କରୁଛନ୍ତି। ଭିଡିଓରେ ସମୟ ରାତି ଗୋଟାଏ 34 ଲେଖା ହୋଇଛି। ଥାନାରେ ପୀଡି଼ତା ନିଶାଶକ୍ତ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ଏହି ଭିଡିଓ ପରବର୍ତ୍ତୀ ଘଟଣା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।

ଭାଇରାଲ୍ ଭିଡିଓ ନମ୍ବର-2

ଭିଡିଓରେ ରାସ୍ତା ଉପରେ ବଡ ପାଟିରେ ଚିଲାଉଛନ୍ତି ପୀଡିତା। ରେଷ୍ଟୁରାଣ୍ଟରୁ ଫେରିବା ବେଳେ 3ଟି ଗାଡିରେ ଆସିଥିବା 10ରୁ 12 ଯୁବକ ସେମାନଙ୍କୁ ବାଟରେ ଅଟକାଇ ଝଗଡା କରିଥିବା ଅଭିଯୋଗ ହୋଇଥିଲା। ହୁଏତ ଏହି ଭିଡିଓଟି ସେସମୟର ହୋଇପାରେ। ଏଥିରେ ପୀଡିତା କିଛି ଯୁବକଙ୍କ ସହ ଯୁକ୍ତିତର୍କ କରୁଥିବା ବେଳେ କ୍ୟାପଟେନ୍ ଚୁପ ରହିଥିବା ଦେଖିବାକୁ ମିଳୁଛି।

ଭାଇରାଲ୍ ଭିଡିଓ ନମ୍ବର-3

ଥାନା ଭିତରର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ସେଥିରେ ପୀଡିତା ଉଚ୍ଚସ୍ବରରେ ପାଟି କରିବା ସହ ମହିଳା ପୋଲିସଙ୍କ ସହ ଯୁକ୍ତି ତର୍କ କରୁଥିବା ଦେଖିବାକୁ ମିଳିଛି। ତେବେ ହଠାତ୍ ଏସବୁ ଭିଡିଓ ସୋସିଆଲ ମିଡିଆକୁ ଆସିବା ନେଇ ପ୍ରଶ୍ନ ଉଠୁଛି। ଜାଣିଶୁଣି ଭିଡିଓ ମାଧ୍ୟମରେ ବିଭ୍ରାନ୍ତ କରିବାକୁ ଉଦ୍ୟମ ହେଉଛି କି ? କାହିଁକି ହଠାତ୍ 14ତାରିଖ ରାତିର ଏସବୁ ଭିଡିଓ ଛଡାଯାଉଛି ?

ପୀଡ଼ିତାଙ୍କ ମୁହଁରେ କାଳ ରାତିର କାହାଣୀ

ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ପୀଡିତା ନିଜେ ଗଣମାଧ୍ୟମ ଆଗକୁ ଆସି କାଳ ରାତିର କାହାଣୀ କହିଥିଲେ। ଏଫଆଇଆର ଲଜ୍ କରିବାକୁ କହିବାରୁ ମହିଳା କନଷ୍ଟେବଳ ଗାଳି କରିଥିଲେ। ଗୁରୁବଂଶଙ୍କୁ କଷ୍ଟଡିରେ ରଖିବାରୁ ସେ ପ୍ରତିବାଦ କରିଥିଲେ। ସେଥିପାଇଁ ତାଙ୍କୁ ଦୁଇ ଜଣ ମହିଳା ପୋଲିସ ଅଫିସର ମାଡ ମାରିଥିଲେ। ଜଣେ ଗଳା ଚିପିବାକୁ ଉଦ୍ୟମ କରିବାରୁ ସେ ତାଙ୍କୁ କାମୁଡି ଦେଇଥିଲେ। ନିର୍ଯାତନାର ଗୋଟି ଗୋଟି କଥା କହିଛନ୍ତି ପୀଡିତା।

ସଫେଇ ଦେଉଛି ପୋଲିସ

17 ତାରିଖରେ ଭୁବନେଶ୍ବର ଡିସିପି ଜାତୀୟ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇଥିଲେ। ସେଥିରେ ଥାନାରେ କର୍ମଚାରୀଙ୍କୁ ଅଭଦ୍ର ଭାଷାରେ ଯୁବତୀ ଜଣକ ଗାଳିଗୁଲଜ କରିଥିବା କହିଥିଲେ ଡିସିପି। ଯୁବତୀ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରେ ବାଧା ଦେବା, ଦୁର୍ବ୍ୟବହାର କରିବା ଭଳି ଦଫାରେ ତାଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି।

ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। କମିଶନରେଟ୍ ପୋଲିସର ଛବି ଖରାପ ହୋଇଛି। ଭିଡିଓ ଭାଇରାଲ୍ ପଛରେ କାହାଣୀର ଅନ୍ୟ ଦିଗକୁ ଦେଖାଇବା ଲକ୍ଷ୍ୟ ଥାଇପାରେ। ତେବେ ପ୍ରଶ୍ନ ଉଠୁଛି, ଭାଇରାଲ୍ ଭିଡିଓରେ କଣ ସନ୍ଦେଶ ଦେବାକୁ ଚେଷ୍ଟା କରାଯାଉଛି ? ଯୁବତୀ ଜଣକ ବଡ ପାଟିରେ କଥା ହେଲେ କିମ୍ବା ଥାନାରେ ଯୁକ୍ତିତର୍କ କଲେ, ପୋଲିସକୁ ତାଙ୍କୁ ନିର୍ଯାତନା ଦେବାର ଲାଇସେନ୍ସ ମିଳିଯିବ କି ? କାହିଁକି ଥାନାରେ ତାଙ୍କର ଏଫଆଇଆର ରଖାଗଲାନି ? କାହିଁକି କ୍ୟାପଟେନଙ୍କୁ କଷ୍ଟଡିରେ ରଖାଗଲା ? ଯୁବତୀଙ୍କ ସହ ଅଶାଳୀନ ଆଚରଣ କରିବାର ସାହସ କେମିତି କଲା ପୋଲିସ ? ପୋଲିସ ଉପରେ ଉଠୁଥିବା ଏସବୁ ପ୍ରଶ୍ନର ଉତ୍ତର ଭାଇରାଲ୍ ଭିଡିଓ ନୁହେଁ। ନିରପେକ୍ଷ ତଦନ୍ତ ସାଙ୍ଗକୁ କଡା କାର୍ଯ୍ୟାନୁଷ୍ଠାନ ଜରୁରୀ।

Leave A Reply

Your email address will not be published.