ନୂଆଦିଲ୍ଲୀ: ପୁରାତନ ଶାସ୍ତ୍ରରେ ଲେଖା ଅଛି ଯେତେବେଳେ ବିପଦ କିମ୍ବା ସମସ୍ୟା ସାମ୍ନାକୁ ଆସିବ ସେତେବେଳେ ଶ୍ରୀମଦ୍ ଭଗବଦ୍ ଗୀତାର ଶରଣ ନେବା ଉଚିତ। ଏହା ତୁମକୁ ସଠିକ ରାସ୍ତା ଦେଖାଇବାରେ ସହାୟକ ହୋଇଥାଏ। ଅନେକ ଋଷି ମୁନି ଓ ବିଦ୍ୱାନ ଭଗବଦ୍ ଗୀତାକୁ ଅନୁସରଣ କରି ଆସୁଛନ୍ତି। ତେବେ ବର୍ତ୍ତମାନ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡ ମଧ୍ୟ ଏହା କହିଛନ୍ତି।
ଏକ ସାକ୍ଷାତକାରରେ ତୁଳସୀ ଗବାର୍ଡ କହିଛନ୍ତି, “ବିଶ୍ୱର ବିଭିନ୍ନ ସ୍ଥାନରେ ଯୁଦ୍ଧକ୍ଷେତ୍ରରେ ଯୋଗ ଦେବା ହେଉ କିମ୍ବା କୌଣସି ଚ୍ୟାଲେଞ୍ଜ ର ସମ୍ମୁଖୀନ କରିବା ହେଉ ସେ ସବୁ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିଆଯାଇଥିବା ଶିକ୍ଷାକୁ ଗ୍ରହଣ କରିଥାନ୍ତି। ତେବେ ସେ ତାଙ୍କର ସବୁଠାରୁ ଖୁସି ସମୟରେ ଓ ସବୁଠାରୁ ଦୁଃଖ ସମୟରେ ମଧ୍ଯ ଭଗବଦ ଗୀତାକୁ ଅନୁସରଣ କରୁଥିବା କଥା କହିଛନ୍ତି।
୨୦୧୩ରେ ତୁଳସୀ ଗବାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ସଦସ୍ୟ ହୋଇଥିଲେ। ସେ ସମୟରେ ସେ ଭଗବଦ୍ ଗୀତାରେ ହାତ ରଖି ଆମେରିକୀୟ ପ୍ରତିନିଧି ଭାବରେ ଶପଥ ନେଇଥିଲେ। ତେବେ ତୁଳସୀ ଭଗବାନ କୃଷ୍ଣଙ୍କର ଭକ୍ତ ଅଟନ୍ତି। ଆମେରିକୀୟ ନେତାମାନଙ୍କ ମଧ୍ୟରେ ଭଗବଦ୍ ଗୀତା ଏବଂ ଶ୍ରୀକୃଷ୍ଣଙ୍କ ପ୍ରତି ସମ୍ମାନ ଏବଂ ଶ୍ରଦ୍ଧା ପ୍ରକାଶ କରିବାର ଏହି ପରମ୍ପରା ବହୁ ଆଗରୁ ରହିଆସିଛି।
ଏହା ପୂର୍ବରୁ ଏଫବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଆଇନଜୀବୀ କଶ୍ୟପ ‘କାଶ’ ପଟେଲ ଆମେରିକାର ହାଉସରେ ଏକ ଶୁଣାଣି ସମୟରେ ‘ଜୟ ଶ୍ରୀ କୃଷ୍ଣ’ କହି ନିଜ ପିତାମାତାଙ୍କୁ ପରିଚୟ କରାଇଥିଲେ।