ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖାରେ ବରିଷ୍ଠ ରାଜନେତା ଦାମୋଦର ରାଉତ ଏବଂ ବରଗଡ଼ର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତି ଦଳର ଉଦାସୀନତା ତଥା ହତାଦର ମନୋଭାବ ନେଇ ଏହି ନେତାମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଆଗାମୀ ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସନତ ଗଡ଼ତିଆଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଶ୍ରୀ ପାଣିଗ୍ରାହୀ ଏନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଜେପି ଟିକଟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ଅଶୋକ ପାଣିଗ୍ରାହୀ ବିଜୟ ହାସଲ କରିଥିଲେ । ପରେ ସେ ଶାସକ ବିଜେଡ଼ିରେ ଯୋଗଦାନ କରିଥିଲେ । ୨୦୧୪ ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଟିକଟ ଦିଆନଯିବା ଯୋଗୁଁ ସେ ବିଜେଡ଼ି ପରିତ୍ୟାଗ କରଥିଲେ । ସେହିପରି ୨୦୧୮ରେ ବିଜେପୁରରେ ଉପ-ନିର୍ବାଚନରେ ପୁନର୍ବାର ବିଜେପିରେ ଯୋଗଦାନ କରି ନିର୍ବାଚନ ମଧ୍ୟ ଲଢିଥିଲେ । ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ।
ବରିଷ୍ଠ ବିଜେପି ନେତା ଶ୍ରୀ ପାଣିଗ୍ରାହୀଙ୍କୁ ବିଜେପି ଏକରକମ କୋଣଠେସା କରିଦେଇଥିବା ବେଳେ ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଟିକଟ ପାଇବାରୁ ସେ ବଞ୍ଚିତ ହୋଇଥିଲେ । ଚଳିତ ବିଜେପୁର ଉପ-ନିର୍ବାଚନରେ ମଧ୍ୟ ତାଙ୍କୁ ଟିକଟ ମିଳିନାହିଁ । ଦଳ ଉପ-ନିର୍ବାଚନରେ ଗଡ଼ତିଆଙ୍କ ଉପରେ ଭରସା କରି ତାଙ୍କୁ ଟିକଟ ପ୍ରଦାନ କରିବା ଶ୍ରୀ ପାଣିଗ୍ରାହୀ ତଥା ତାଙ୍କର ସମର୍ଥକମାନଙ୍କୁ ବ୍ୟଥିତ କରିଛି ।
ଏହିପରି କିଛି ବରିଷ୍ଠ ନେତା ତଥା ଦଳୀୟ କର୍ମକର୍ତ୍ତାମାନଙ୍କ ପ୍ରତି ଦଳର ଉଦାସୀନତା ତଥା ହତାଦର ନୀତି ଯୋଗୁଁ ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ କରିବାରେ ଲାଗିଛନ୍ତି ।
ତେବେ ଏହା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ରାଜନୈତିକ ବାତାବରଣରୁ ଏହା ସ୍ପଷ୍ଟ ମନେହୁଏ ।\n\nଏଠାରେ ଉଲ୍ଲେଖଯୋଗ୍ୟ, କିଛି ଗଣମାଧ୍ୟମ ଏସମ୍ପର୍କରେ ଖବର ପ୍ରକାଶ କରି କହିଛନ୍ତି ଯେ, ଏହି ଅସନ୍ତୋଷ ଭାବନା ଯୋଗୁଁ ଏବେ ଶ୍ରୀ ପାଣିଗ୍ରାହୀ ତାଙ୍କର ଭବିଷ୍ୟତ ଲାଗି କାର୍ଯ୍ୟପନ୍ଥା ଚିନ୍ତା କରୁଛନ୍ତି ।
ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ବିଜେପିକୁ ଏନେଇ ଭବିଷ୍ୟତରେ ଅନେକ କ୍ଷତି ସହିବାକୁ ପଡ଼ିପାରେ ।
“ମୁଁ ବାରମ୍ବାର ଗୋଟିଏ କଥା କହିଆସୁଛି ଯେ, ମୁଁ ବିଜେପି ସହିତ ରହିଛି ଏବଂ ମୋତେ ଦଳ ପକ୍ଷରୁ ଯେଉଁ ଦାୟିତ୍ୱ ନିର୍ବାହ କରିବାକୁ ଦିଆଯିବ ତାହାକୁ ମୁଁ ପାଳନ କରିବି,” ଏହା କହିଛନ୍ତି ଶ୍ରୀ ପାଣିଗ୍ରାହୀ ।
ଗତ ନିର୍ବାଚନରେ ମୁଁ ମୋ ସମର୍ଥକଙ୍କ ସହିତ ଦଳ ପାଇଁ ପ୍ରଚାର କରିଛି ଦଳୀୟ ନେତୃତ୍ୱ ଚାହିଁଲେ ଏହି ନିର୍ବାଚନରେ ମଧ୍ୟ ଆମେ ଦଳ ଲାଗି କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି ।
ବରିଷ୍ଠ ନେତା ଦାମ ରାଉତ ମଧ୍ୟ ତାଙ୍କୁ ଦଳ ମଧ୍ୟରେ ହତାଦର କରାଯାଇଥିବା ନେଇ ସେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । “ଯେଉଁ ବିଜେପି ନେତାମାନେ ମୋତେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ଯୋଗଦେବାକୁ ଡ଼ାକିଥିଲେ ଏବେ ନିର୍ବାଚନ ସରିଯିବା ପରେ ଆଉ ସେମାନେ ମୋତେ ପଚାରୁନାହାଁନ୍ତି,” ବୋଲି ଦାମ ନିଜର ଅସନ୍ତୋଷ ବ୍ୟକ୍ତ କରି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏପରିକି ଦାମ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପୁର ଉପ-ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ସେ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇଥିଲେ । ଏଥିରୁ ସ୍ପଷ୍ଟ ଜାଣିହେଉଛି ଯେ, ଜଣେ ବରିଷ୍ଠ ନେତା ହିସାବରେ ଦାମଙ୍କୁ ଦଳୀୟ ରଣନୀତି ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଦାମଙ୍କୁ ଏକପ୍ରକାର ଏକପାଖିଆ କରିଦିଆଯାଇଛି ।
ଏହା ଉଲ୍ଲେଖ୍ୟ କି, ଦାମ ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପିରେ ଯୋଗଦାନ କରିଥିଲେ । ତାଙ୍କୁ ଗତବର୍ଷ ସେପ୍ଟେମ୍ବର ମାସରେ ବିଜେଡ଼ିରୁ ବହିଷ୍କୃତ କରାଯାଇଥିଲା ।