Latest Odisha News

BREAKING NEWS

ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର

ନୂଆଦିଲ୍ଲୀ: ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର । ପତି, ପତ୍ନୀ ଓ ହତ୍ୟା ଷଡ଼ଯନ୍ତ୍ର । ୫ବର୍ଷ ସାନ ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା ସୁପାରୀ । ମେଘାଳୟରେ ଇନ୍ଦୋରର ନବବିବାହିତ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ସ୍ତ୍ରୀ ସୋନମ ଦେଇଥିଲେ ହତ୍ୟା ପାଇଁ ସୁପାରୀ । ସ୍ବାମୀଙ୍କୁ ହତ୍ୟା ପଛରେ କାରଣ ପରକୀୟା ପ୍ରୀତି । ପ୍ରେମିକ ରାଜ କୁଶଓ୍ବାହ ଓ ସୁପାରୀ କିଲରଙ୍କ ସହ ମିଶି ସୋନମ ସ୍ବାମୀ ରାଜା ରଘୁବଂଶୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ମେଘାଳୟ ଡିଜିପି କହିଛନ୍ତି । ସୋନମଙ୍କୁ ଗାଜିପୁରରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ ଇନ୍ଦୋରରୁ ଧରାପଡିଛନ୍ତି । ହନିମୁନ୍ ପାଇଁ ଯାଇଥିବା ବେଳେ ସିଲଂ ଜଙ୍ଗଲରୁ ରାଜାଙ୍କ ମୃତଦେହ ମିଳିବା ପରେ ଅଡୁଆ ସୁତାରେ ଛନ୍ଦି ହୋଇଥିଲା ପୂରା ଘଟଣା । ତେବେ ଧୀରେ ଧୀରେ ସତ ଉପରୁ ପରଦା ଉଠୁଛି ।

ହନିମୁନରେ ହତ୍ୟା ଷଡ଼ଯନ୍ତ୍ର

ମେ ୧୧ତାରିଖରେ ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ବିବାହ ସୋନମଙ୍କ ସହ ହୋଇଥିଲା । ବିବାହର ୯ଦିନ ପରେ ରାଜା ସୋନମଙ୍କ ସହ ହନିମୁନରେ ଗୌହାଟୀ ଯାଇଥିଲେ । ସେଠାରେ କାମାକ୍ଷା ମନ୍ଦିରରେ ଦର୍ଶନ କରିବା ପରେ ୨୨ତାରିଖରେ ସେମାନେ ସିଲଂ ଯାଇଥିଲେ । ପ୍ରଥମରୁ କେବଳ ଆସାମ ଯିବାର ପ୍ଲାନ୍ ଥିବା ବେଳେ ସେଥିରେ ପରିବର୍ତ୍ତନ କରି ସିଲଂ ଯାଇଥିଲେ ରାଜା ଓ ସୋନମ । ତେବେ ସିଲଂରେ ପହଞ୍ଚିବାର ୪୮ଘଣ୍ଟା ମଧ୍ୟରେ ରହସ୍ୟମୟ ଭାବେ ଉଭୟ ଗାଏବ ହୋଇ ଯାଇଥିଲେ । ୨୩ତାରିଖ ଦ୍ବିପହର ପରଠୁ ସୋନମଙ୍କ ଫୋନ୍ ବନ୍ଦ ରହିଥିଲା । ତେବେ ପରିବାର ଲୋକଙ୍କୁ ସେୟାର କରିଥିବା ଫଟୋରୁ ସେମାନେ ଭଡ଼ାରେ ନେଇଥିବା ସ୍କୁଟର ପଛର ଫୋନ ନମ୍ବରରୁ ସୁରାକ ମିଳିଥିଲା । ଏହାକୁ ଭିତ୍ତି କରି ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ତେବେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଥିଲା । ସୋନମ କୁଆଡେ ଗଲେ, ତାକୁ ନେଇ ସସପେନ୍ସ ଲାଗି ରହିଥିଲା ।

ନିଜେ ସୋନମ ହିଁ ମାଷ୍ଟରମାଇଣ୍ଡ

ରାଜା ରଘୁବଂଶୀ ହତ୍ୟା ଓ ସୋନମ ନିଖୋଜ ଘଟଣାରେ ନୂଆ ଟୁଇଷ୍ଟ ଆସିଥିଲା । ଜୁନ୍ ୮ତାରିଖ ପର୍ଯ୍ୟନ୍ତ ନିଖୋଜ ରହିଥିବା ସୋନମ ସେହିଦିନ ରାତିରେ ଗାଜିପୁରର ଏକ ଢାବାରୁ ତାଙ୍କ ପରିବାରକୁ ଯୋଗାଯୋଗ କରିଥିଲେ । ଢାବା ମାଲିକଙ୍କୁ ବି ମିଛ କାହାଣୀ ଶୁଣାଇଥିଲେ ସୋନମ । ସ୍ବାମୀଙ୍କ ସହ ମେଘାଳୟ ଯାଇଥିବା ବେଳେ ତାଙ୍କର ଅପହରଣ ହୋଇଥିଲା, ସୋନମଙ୍କ ଗହଣା ଲୁଟ୍ ପାଇଁ ଉଦ୍ୟମ ହୋଇଥିଲା । ସେତେବେଳେ ସ୍ବାମୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ । ଆଉ ଏହା ଦେଖି ସୋନମ ବେହୋସ ହୋଇଯାଇଥିବା କହିଥିଲେ । ରାତି ପ୍ରାୟ ଗୋଟାଏ ବେଳେ ସେ ଢାବାରେ ପହଞ୍ଚିଥିଲେ । ପରେ ପୋଲିସ ତାଙ୍କୁ ସେଠାରୁ ନେଇଥିଲା । ତେବେ ଘଟଣାର ଅନ୍ୟ ଅଭିଯୁକ୍ତ ଧରାପଡିବା ପରେ ସୋନମଙ୍କ ସତ ଉପରୁ ପରଦା ଉଠିଥିଲା । ଯାହା ଜଣାପଡିଥିଲା ତାହା କୌଣସି ବଲିଉଡ୍ ଥ୍ରୀଲରଠୁ କମ୍ ନଥିଲା । ଯେଉଁ ସୋନମଙ୍କୁ ଏତେ ଦିନ ଧରି ପୋଲିସ ଖୋଜୁଥିଲା, ସେ ପୀଡିତା ନୁହେଁ ବରଂ ଥିଲେ ରାଜା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ।

ବିବାହ ପୂର୍ବରୁ ପ୍ରେମ ସଂପର୍କ

ପ୍ରେମିକ ରାଜ କୁଶଓ୍ବାହଙ୍କ ପାଇଁ ସୋନମ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ସ୍ବାମୀଙ୍କୁ ମାରିବାକୁ ଦେଇଥିଲେ ସୁପାରୀ । ସୋନମଙ୍କ ବାପାଙ୍କର ଇନ୍ଦୋରରେ ଏକ ଛୋଟ ପ୍ଲାଏଉଡ ଫ୍ୟାକ୍ଟ୍ରି ରହିଛି । ସେଠାରେ କାମ କରୁଥିଲେ ରାଜ କୁଶଓ୍ବାହ । ସୋନମ ଅନେକ ସମୟରେ ଫ୍ୟାକ୍ଟ୍ରି ଅଫିସକୁ ଯାଉଥିଲେ । ସେଠାରେ ରାଜ ଓ ସୋନମଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ରାଜ କୁଶଓ୍ବାହ ବୟସରେ ସୋନମଙ୍କଠାରୁ ୫ବର୍ଷ ସାନ । ତେବେ ବିବାହ ପୂର୍ବର ଏହି ପ୍ରେମ ସଂପର୍କକୁ ନେଇ ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ସେପଟେ ମେଘାଳୟ ଯିବା ପାଇଁ ସୋନମ ଟିକେଟ୍ ବୁକ୍ କରିଥିଲେ । ତେବେ ଫେରିବା ଟିକେଟ୍ ବୁକ୍ କରିନଥିଲେ । ତେଣୁ ରାଜାଙ୍କୁ ମାରିବାକୁ ପୂର୍ବରୁ ହିଁ ଯୋଜନା କରାଯାଇ ଥାଇପାରେ ବୋଲି ରାଜାଙ୍କ ମାଆ କହିଛନ୍ତି । ସେହିପରି ହନିମୁନରେ ଯିବା ବେଳେ ସୋନମ ରାଜାଙ୍କୁ ସୁନା ଚେନ୍ ପିନ୍ଧି ଯିବାକୁ ବାଧ୍ୟ କରିଥିଲେ । ରାଜାଙ୍କୁ ଫଟୋ ନେବା ବହୁତ ପସନ୍ଦ ଥିଲା । ହେଲେ ହନିମୁନ୍ ଟ୍ରିପରେ ଖୁବ୍ କମ ଫଟୋ ଉଠାଇଥିଲେ । ଯଦି ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ସୋନମ ସଂପୃକ୍ତ, ତେବେ ତାଙ୍କୁ ଫାଶୀ ଦେବାକୁ ରାଜାଙ୍କ ପରିବାର ଲୋକେ ଦାବି କରିଛନ୍ତି ।

Comments are closed.