ସମ୍ବଲପୁର: ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହାଇଓ୍ବା ଗାଡି ମଡେଇ ହତ୍ୟା ଘଟଣାର ଏବେ ଚାଲିଛି ତଦନ୍ତ । କିଏ ଏବଂ କାହିଁକି ହତ୍ୟା କାଣ୍ଡ ଭିଆଇଛି ତାକୁ ନେଇ ଖୋଳତାଡ କରୁଛି ପୋଲିସ୍ । ହାଇଓ୍ବା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଉକ୍ତ ହାଇଓ୍ବା ଡ୍ରାଇଭରକୁ ଗିରଫ କରିଛି ପୋଲିସ୍ । ଏଥିସହିତ ଡ୍ରାଇଭର ଜାଣିଶୁଣି ହତ୍ୟା କରିଥିବା କହିଛନ୍ତି ଏସପି । ଯାହାକୁ ନେଇ ଏହାକୁ ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଘଟଣାର ପୃଷ୍ଠଭୂମି ସ୍ପଷ୍ଟ ହେବା ନେଇ ମତ ରଖିଛନ୍ତି ଏସପି ।
ଏହାରି ଭିତରେ ଏହି ପୂରା ଘଟଣାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ସୁପାରୀ ନେଇ ଡ୍ରାଇଭର ଏଭଳି କାଣ୍ଡ ଭିଆଇଛି । ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି ଡ୍ରାଇଭର ଜାଣିଶୁଣି ଗାଡି ଚଢେଇଛି । ଏଥିସହିତ ଜୟନାରାୟଣ ଏହାବି ଦାବି କରିଛନ୍ତି, ଯେ ଉକ୍ତ ଡ୍ରାଇଭର ଅନ୍ୟ କାହାକୁ ମାରିବା ପାଇଁ ସୁପାରି ନେଇଥିଲା ହେଲେ ଭୁଲବଶତଃ ବିଜେପିଚ ନେତାଙ୍କୁ ମାରିଛି । କାହାକୁ ମାରିବା ପାଇଁ ସୁପାରି ନେଇଥିଲା, କିଏ ସୁପାରି ଦେଇଥିଲା ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଏଥିରେ ରାଜନୈତିକ ଷଡଯନ୍ତ୍ର ଥିବା ମତେ ଲାଗୁନି ବୋଲି କହିଛନ୍ତି ଜୟନାରାୟଣ ।
ତେବେ କହିରଖୁଛୁ, ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସହ ୫ ଜଣ ବିଜେପି ନେତା ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଫେରିବା ବାଟରେ କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ହାଇୱା ପଛପଟୁ କାରକୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣ ବିଜେପି ନେତା ବସିଥିଲେ । ପ୍ରଥମେ ବିଜେପି ନତା ଭାବିଲେ ଏହା ଭୁଲବଶତଃ ହୋଇଥିବ । ହେଲେ ପରେ ପୁଣି ହାଇଓ୍ବାଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ନିୟନ୍ତ୍ରଣ ହରାଇ ବିଜେପି ନେତା ଥିବା କାରଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ବିଜେପି ନେତା ଦେବେନ୍ଦ୍ର ନାୟକ ଏବଂ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଯାହାକୁ ଏକ ହତ୍ୟା ବୋଲି ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ଡ୍ରାଇଭରକୁ ଗିରଫ କରି ପଚରାଉଚରା ବେଳେ ଭିନ୍ନ ଭିନ୍ନ ମତ ରଖିଥିଲା ଡ୍ରାଇଭର । ଯାହାକୁ ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍ ଏକପ୍ରକାର ସ୍ବଷ୍ଟ ହୋଇଥିବା ବେଳେ ପୂରା ଘଟଣାରେ ମାଷ୍ଟରମାଇଣ୍ଡ କିଏ ସେନେଇ ତଦନ୍ତ ଚଳାଇଛି ।