ପଞ୍ଜାବ: ଜଳନ୍ଧରରେ ବିଜେପି ନେତା ମନୋରଞ୍ଜନ କାଲିୟାଙ୍କ ଘର ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣର ତଦନ୍ତ କରାଯାଉଛି। ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ହାପି ପାସିୟା। । ପାସିୟା ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛି । ଏହି ଆତଙ୍କବାଦୀ ଉପରେ ଏନଆଇଏ (NIA) ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏହି ମାମଲାରେ, ପୋଲିସ ଲରେନ୍ସ ର ଦୁଇ ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।
ଆତଙ୍କବାଦୀ ହାପି ପାସିୟା ହେଉଛି ଖାଲିସ୍ତାନ ଆତଙ୍କବାଦୀ ସଂଗଠନ ବବର ଖାଲସାର କମାଣ୍ଡର। ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ(ISI) ଆତଙ୍କବାଦୀ ସହ ମଧ୍ୟ କାମ କରିସାରିଛି । ତେଣୁ, ଏହି ଘଟଣାରେ ଆଇଏସଆଇର ହାତ ଥାଇପାରେ ବୋଲି କୁହାଯାଉଛି ।
ସିସିଟିଭି ଫୁଟେଜ୍ ରୁ ପୋଲିସ କିଛି ପ୍ରମାଣ ମିଳିଛି, ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ତେବେ ପଞ୍ଜାବ ପୋଲିସ ଗ୍ରେନେଡ ଆକ୍ରମଣ ମାମଲାରେ ୧୨ ଘଣ୍ଟା ମଧ୍ୟରେ ୨ ଜଣକୁ ଗିରଫ କରିଛି। ଗ୍ରେନେଡ ଫିଙ୍ଗିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗରିଫ କରିଛ ଓ ଆକ୍ରମଣରେ ବ୍ୟବହୃତ ଇ-ରିକ୍ସା ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୀଶାନ ଅଖତର, ଲରେନ୍ସ ବିଶ୍ନୋଇର ଘନିଷ୍ଠ ଅଟେ। ଜିଶାନ ଅଖତର ବାବା ସିଦ୍ଦିକି ହତ୍ୟା କେସରେ ମଧ୍ୟ ଓ୍ବାଣ୍ଟେଡ ରହିଛି।
ଏହି ବିଷୟ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସକୁ ମିଳିଥିବା ଏକ ଫୁଟେଜରେ ଦେଖିବାକୁ ମିଳିଛି ଯେ, ଇ-ରିକ୍ସା ଡ୍ରାଇଭର ଘଟଣା ଘଟାଇବା ପୂର୍ବରୁ ପୋଲିସ ଷ୍ଟେସନ-୩ ଆଡକୁ ଯାଉଥିବାର ଦେଖାଯାଇଥିଲା। ଯେଉଁଠାରେ ଜଣେ ଯୁବକ ବାଇକରେ ତାଙ୍କ ବନ୍ଧୁଙ୍କ ସହ ପୋଲିସ ଷ୍ଟେସନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ସେ ଇ-ରିକ୍ସା ଭଡାରେ ନେଲେ ଓ ବିଜେପି ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନାନୁସାରେ,ଗତ ସୋମବାର ରାତି ପ୍ରାୟ ୧.୩୦ ସମୟରେ, ତିନିରୁ ଚାରି ଜଣ ଯୁବକ ଏକ ଇ-ରିକ୍ସାରେ ଆସୁଥିବାର ଦେଖାଯାଇଥିଲା, ଯେଉଁମାନେ କାଲିୟାଙ୍କ ଘର ଉପରକୁ ଗ୍ରେନେଡ୍ ମାଡ କରି ପଳାଇ ଯାଇଥିଲେ। ଘର ଭିତରେ ତାଙ୍କ ଗାଡି ପାଖରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ଗାଡି କ୍ଷତିଗ୍ରସ୍ତ ହେବା ସହିତ ଘରର ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ସେତେବେଳେ ମନୋରଞ୍ଜନ କାଲିୟା ଘରେ ଶୋଇଥିଲେ । ଘରର ଅନ୍ୟ ସଦସ୍ୟ ସୁରକ୍ଷିତ ରହିଛନ୍ତି ।
Comments are closed.