Latest Odisha News

BREAKING NEWS

ଶ୍ରୀମନ୍ଦିରରେ କୁନି ଦଇତାପତି: ମହାପ୍ରଭୁଙ୍କୁ ଓଷ ଲଗାଇ ଆରମ୍ଭ କଲେ ସେବାୟତ ଜୀବନ

ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି । ପିନ୍ଧିଛନ୍ତି ପାଟମକୁଟ । ମଥାରେ ଚନ୍ଦନଚିତା ।  ବାପାଙ୍କ କୋଳରେ ବସି ଆସିଛନ୍ତି କୁନି ହାତରେ ମହାପ୍ରଭୁଙ୍କ ସେବା କରିବେ ।   ଅଣସରଘରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ଓଷ ଲଗାଇ ଦେବେ । ସେଥିପାଇଁ ଶନିବାର ଶ୍ରୀମନ୍ଦିର ଆସିଛନ୍ତି ଏଇ କୁନି ଦଇତାପତି  ଏକାଂଶ ଦାସ ମହାପାତ୍ର । ମହାପ୍ରଭଙ୍କୁ ଓଷ ଲଗାଇ  ଆରମ୍ଭ କରିଛନ୍ତି ତାଙ୍କର ବୃତ୍ତିଗତ ସେବା।   

ବୟସ ଏକ ବର୍ଷ ବି ହୋଇନି ।  ଶ୍ରୀମନ୍ଦିର ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଆସିଛନ୍ତି ଶ୍ରୀମନ୍ଦିର। ଏହି କୁନି ଦଇତାପତି ହେଉଛନ୍ତି ଯୁବ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ରଙ୍କ ପୁଅ ଏକାଂଶ । ଦଇତାକୂଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତାପତି ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଅଣସରର ପଞ୍ଚମୀ ତିଥି ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି । ଏକାଂଶ ଫୁଲୁରି ତେଲଲାଗି ପରଦିନଠାରୁ ୩ ଦିନ ଯାଏ ମହାପ୍ରଭୁଙ୍କ ସେବା କରିବେ । 

ଏକାଂଶ ଗତବର୍ଷ ସୁନାବେଶ ଏକାଦଶୀ ଦିନ ଜନ୍ମ  ହୋଇଥିଲେ । ତେଣୁ ଏବର୍ଷ ଅଣସର ଘରେ ପ୍ରଥମ କରି ଠାକୁରଙ୍କୁ ଓଷଲାଗି କରି  ଦଇତାପତି ଭାବେ ଗଣା ହେବେ ।   ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତି ବିଷୟରେ ଏକାଂଶ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବାପା କୃପାସିନ୍ଧୁ ଦାସ ମହାପାତ୍ର କହିଛନ୍ତି।  ତେବେ ଦଇତାକୂଳରେ ମହାପ୍ରଭୁ ପୁଅ ଜନ୍ମ ଦେଉଥିବାରୁ ଏହାକୁ ନେଇ ଦଇତାପତି ସେବାୟତ ମାନେ ବେଶ୍ ଭାବ ବିହ୍ୱଳ ହୋଇ ପଡିଛନ୍ତି। ଏକାଂଶଙ୍କ ସହ ତାଙ୍କର ଜଣେ କୁନି ଭାଇ ମଧ୍ୟ ଆସିଥିଲେ ଯିଏ ଗତବର୍ଷରୁ ଶ୍ରୀ ଜଗନ୍ନାଥଙ୍କ ଦଇତାପତି ଭାବେ ସେବା କାମ  ଆରମ୍ଭ କରିଛନ୍ତି । 

Leave A Reply

Your email address will not be published.