କାଙ୍କେର: କୁହାଯାଏ ପ୍ରେମ ମଣିଷକୁ ବଦଳାଇ ଦିଏ। ଯିଏ ଯେତେ ଖରାପ ହୋଇଥାଉ ପଛେ ତାକୁ ଭଲ ଜୀବନସାଥୀ ମିଳିଗଲେ ସେ ନିଜେ ବଦଳିଯାଏ। ହଁ ଆଜ୍ଞା ସେମିତି ଏକ ଘଟଣା ସମ୍ପର୍କରେ ଆଜି ଆମେ ଜଣାଉଛୁ। କଥା କଥାକେ ଉଠୁଥିଲା ବନ୍ଧୁକ। ରକ୍ତରେ ଯିଏ ହୋଲି ଖେଳୁଥିଲେ ତାଙ୍କ ଜୀବନ ବଦଳାଇ ଦେଇଛି ସିନ୍ଦୁର। ରକ୍ତର ହୋଲି ଛାଡି ଏବେ ସିନ୍ଦୁରକୁ ଆପଣାଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ମାଓ ଦମ୍ପତି। ଛତିଶଗଡ କାଙ୍କେର ଜିଲ୍ଲାର ୨ ହାର୍ଡକୋର ମାଓବାଦୀ ସାଗର ଓ ସଚିଲା। ଦିନେ ସେମାନେ ରକ୍ତରେ ହୋଲି ଖେଳୁଥିଲେ।
ଏବେ ସେମାନଙ୍କ ଜୀବନ ବଦଳି ଯାଇଛି। ଜଙ୍ଗଲରେ ମାଓ ସଂଗଠନରେ ଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଆଉ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପାଖାଝୁର ଥାନାରେ ଆତ୍ମସମର୍ପଣ କରିବା ପରେ ବାହାଘର ଆୟୋଜନ ଥାନା ତରଫରୁ ହୋଇଥିଲା । ବର ଓ କନ୍ୟାପକ୍ଷ ସାଜିଥିଲା ପୋଲିସ । ପାରମ୍ପାରିକ ଢୋଲ ବାଜାରେ କମ୍ପି ଉଠିଥିଲା ପୁରା ପରିବେଶ । ହିଂସା ଛାଡି ଶାନ୍ତିର ବାଟରେ ରହିବାକୁ ଉଭୟ ଥାନାରେ ଶପଥ ନେଇଥିଲେ ।
ଉଭୟଙ୍କ ପ୍ରେମ ଆଜି ସବୁକିଛି ବଦଳାଇ ଦେଇଛି। କେବଳ ଉଭୟଙ୍କ ପ୍ରେମ ହିଂସା ବାଟରୁ ସେମାନଙ୍କୁ ବାହାର କରିଦେଇଛି ବୋଲି ଦମ୍ପତି ମତ ଦେଇଛନ୍ତି। ବନ୍ଧୁକ ଧରୁଥିବା ହାତରେ ମେହେନ୍ଦି ଲାଗିଛି। ବରକନ୍ୟା ବେଶରେ ଥିବା ବେଳେ ଉଭୟ ବେସ ଖୁସିଥିଲେ। ସେମାନେ ଭାବିନଥିଲେ କେବେ ଏମିତି ଘଟିବ। ଜୀବନ କେତେବେଳେ ଯିବ ସେମାନେ ଜାଣିନଥିଲେ, ଆଉ ଏବେ ପ୍ରେମ ପାଇଁ ନୂଆ ଜୀବନ ପାଇବା ସହ ନୂଆ ସଂସାର କରିଛନ୍ତି।
ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି ମାଓବାଦୀ ଜୀବନ କଣ ଜାଣିଛନ୍ତି। ସବୁବେଳେ ସେମାନେ ତାଙ୍କ ଜୀବନରେ ଲୁଚିକରି ରୁହନ୍ତି । କେତେବେଳେ ପୋଲିସ ସେମାନଙ୍କୁ ଟାର୍ଗେଟ କରେ ତ ଆଉ କେତେବେଳେ ପୋଲିସକୁ ଏମାନେ ଟାର୍ଗେଟ କରନ୍ତି। ଅଧିକାଂଶ ସମୟରେ ଅନେକ ମାଓବାଦୀଙ୍କ ମୃତ୍ୟୁ ହୁଏ। ନିଜ ଆଖିରେ ରକ୍ତର ତାଣ୍ଡବ ଦେଖିବା ପରେ ସମାଜର ମୁଖ୍ୟସ୍ରୋତରେ ଏମାନେ ସାମିଲ ହୋଇଛନ୍ତି। ମାଓବାଦୀଙ୍କ ଏ ନିଆରା ପ୍ରେମ କାହାଣୀ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ହିଂସାର ବାଟରେ ଶାନ୍ତି ନଥାଏ ସମାଜରେ ରହି ସମସ୍ତଙ୍କର ପ୍ରିୟ ହୋଇପାରିଲେ ଭଲ ହେବ ବୋଲି ସେମାନେ ବୁଝିଛନ୍ତି। ତେବେ ମାଓବାଦୀଙ୍କ ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏମାନଙ୍କ ଦାମ୍ପତ୍ୟ ଜୀବନ ଦୀର୍ଘାୟୁ ହେଉ ବୋଲି ଆଶିର୍ବାଦ ଦେଇଛନ୍ତି।
Comments are closed.