Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ନୂଆପଡ଼ା: ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ, ଏବେ ବାହା ହୋଇ ସଂସାର ଗଢ଼ିଛନ୍ତି । ମାଓବାଦୀର ରାସ୍ତା ଛାଡ଼ି ପୋଲିସ ନିକଟରେ ଆତ୍ମସପର୍ପଣ ପରେ ବଦଳି ଯାଇଛି ଜୀବନ । ପୋଲିସ ଉପସ୍ଥିତିରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ ମାଧୁରୀ ଓ ପିଣ୍ଟୁ । ନୂଆପଡ଼ା ପୋଲିସ ପକ୍ଷରୁ ଉଭୟଙ୍କ ବିବାହ ଖୁବ୍ ଧୂମଧାମରେ ହୋଇଛି । ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ବର ପିତା ହୋଇଥିବା ବେଳେ ଜୋଙ୍କ ଆଇଆଇସି କୈଳାସ ସେଠୀ କନ୍ୟା ଦାନ କରିଛନ୍ତି ।

ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ୨୦୧୬-୧୭ ମସିହାରେ ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ମୈନପୁର ମାଓବାଦୀ ଡିଭିଜନରେ ସାମିଲ୍ ହୋଇଥିଲେ । ନିର୍ଯାତନା ସହି ନପାରି ୨୦୧୮ ନଭେମ୍ବର ୧୩ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ସେହିଭଳି ରାହୁଲ ମୁସାକି ଓରଫ୍ ପିଣ୍ଟୁ ୨୦୨୧ ସେପ୍ଟେମ୍ବର ମାସରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ପଣ୍ଟୁ ଓ ଡାଲମତୀ ବିବାହ ବନ୍ଧରେ ବାନ୍ଧି ହେବା ସହ ମାଓବାଦୀ କାର୍ଯ୍ୟରେ ଲିପ୍ତ ଅନ୍ୟମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ବାର୍ତ୍ତା ଦେଇଛନ୍ତି ।

ବୈଦିକ ରୀତିନୀତିରେ ଉଭୟଙ୍କ ବାହାଘର ସରିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ବିବାହ ପାଇଁ ନୂଆପଡ଼ା ପୋଲିସ କରିଥିବା ଉଦ୍ୟମକୁ ଲୋକେ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.