Latest Odisha News

ଧୋନିଙ୍କ ସହ ସଞ୍ଜୁଙ୍କ ଜୁଗଳବନ୍ଦୀ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ପୂର୍ବରୁ କ୍ରିକେଟ ଦୁନିଆରେ ସୃଷ୍ଟି ହୋଇଛି ଏକ ବଡ଼ ହଲଚଲ । ଯେଉଁ ସ୍ୱପ୍ନକୁ କୋଟି କୋଟି ପ୍ରଶଂସକ ଦେଖୁଥିଲେ, ତାହା ଏବେ ସତ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗସର ଡ୍ରେସିଂ ରୁମରେ ଏକାଠି ଦେଖିବାକୁ ମିଳିବେ ଦୁଇ ଦିଗ୍ଗଜ ୱିକେଟକିପର ବ୍ୟାଟର ଏମ.ଏସ ଧୋନି ଏବଂ ସଞ୍ଜୁ ସାମସନ ।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଶେୟାର କରାଯାଇଥିବା ଏକ ଭିଡିଓରେ ମହିନ୍ଦ୍ର ସିଂହ ଧୋନି ଏବଂ ସଞ୍ଜୁ ସାମସନଙ୍କ ପ୍ରଥମ ସାକ୍ଷାତର କିଛି ଭାବପୂର୍ଣ୍ଣ ମୁହୂର୍ତ୍ତ କଏଦ ହୋଇଛି। ବର୍ଷ ବର୍ଷର ଅପେକ୍ଷା ପରେ ଏହି ଦୁଇ ତାରକା ଏବେ ଗୋଟିଏ ହଳଦିଆ ଜର୍ସିରେ ନଜର ଆସିବେ।

ଆଇପିଏଲ ୨୦୨୬ ପାଇଁ ଏକ ବଡ଼ ଟ୍ରେଡ୍ ଅଧୀନରେ ସଞ୍ଜୁ ସାମସନ ଚେନ୍ନାଇ ଦଳରେ ସାମିଲ ହୋଇଛନ୍ତି। ଦୀର୍ଘ ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍ସର ଚେହେରା ସାଜିଥିବା ସଞ୍ଜୁଙ୍କ ବଦଳରେ ରୟାଲ୍ସ ଦଳକୁ ମିଳିଛନ୍ତି ରବୀନ୍ଦ୍ର ଜାଡେଜା ଏବଂ ସାମ କରନ୍। ଏହି ଟ୍ରେଡ୍ ଚଳିତ ସିଜନର ସବୁଠୁ ଚର୍ଚ୍ଚିତ ବିଷୟ ପାଲଟିଛି।

ସଞ୍ଜୁଙ୍କ ପାଇଁ ୨୦୨୬ ବର୍ଷଟି ବେଶ ସ୍ମରଣୀୟ ହୋଇ ରହିବ। ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ସେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ସଞ୍ଜୁ ସଂଘର୍ଷ କରୁଥିଲେ ସୁଦ୍ଧା, ଜିମ୍ବାୱେ ବିପକ୍ଷ ମ୍ୟାଚରୁ ସେ ଯେଉଁ ଫର୍ମକୁ ଫେରିଲେ, ତାହା ସାରା ବିଶ୍ୱ ଦେଖିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୯୭, ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୮୯ ଏବଂ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୯ ରନର ଧୂଆଁଧାର ପାଳି ଖେଳି ସେ ଭାରତକୁ ଚାମ୍ପିଅନ କରିଥିଲେ।

ଖାଲି ସେତିକି ନୁହେଁ, ସଞ୍ଜୁ ଏହି ବିଶ୍ୱକପରେ ମୋଟ ୩୨୧ ରନ୍ ସଂଗ୍ରହ କରି ବିରାଟ କୋହଲିଙ୍କ ୩୧୯ ରନର ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଗୋଟିଏ ବିଶ୍ୱକପରେ ସର୍ବାଧିକ ୨୪ଟି ଛକା ମାରିବାର ନୂଆ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ଏବେ ଏହି ଫିନିସର ଏବଂ ୱିକେଟକିପର ଯୋଡ଼ି ଆଇପିଏଲ୍ ମଇଦାନରେ କି ଚମତ୍କାର କରୁଛନ୍ତି, ତାହା ଦେଖିବାକୁ କ୍ରିକେଟ ପ୍ରେମୀ ଚାହିଁ ରହିଛନ୍ତି।

Leave A Reply

Your email address will not be published.