ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ସୋମବାର ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜଣେ ଅଧିକାରୀଙ୍କ ଅନୁଯାୟୀ, ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସକାଳେ ମହାରାଷ୍ଟ୍ର ସଂଲଗ୍ନ ଅଭୁଜମାଡର ଏକ ଜଙ୍ଗଲରେ ସୁରକ୍ଷା ବାହିନୀର ଏକ ଟିମ୍ ସର୍ଚ୍ଚ ଅପରେସନରେ ବାହାରିବା ସମୟରେ ଗୁଳି ବିନିମୟ ହୋଇଥିଲା।
ସେ କହିଛନ୍ତି ଯେ ଅଞ୍ଚଳରେ ସିପିଆଇ (ମାଓବାଦୀ) କ୍ୟାଡରଙ୍କ ଉପସ୍ଥିତି ବିଷୟ ସୂଚନା ପାଇ ଏହି ଅପରେସନ ଆରମ୍ଭ କରାଯାଇଥିଲା। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକ AK-47 ରାଇଫଲ୍ ଥିଲା। ଏନକାଉଣ୍ଟର ସ୍ଥଳରୁ ମାଓ ପ୍ରଚାର ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଏହି ଦୁଇଟି ମୃତ୍ୟୁ ଫଳରେ ଚଳିତ ବର୍ଷ ଛତିଶଗଡ଼ରେ ନିହତ ମାଓବାଦୀଙ୍କ ସଂଖ୍ୟା ୨୪୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ବସ୍ତର ଡିଭିଜନରେ ୨୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଡିଭିଜନରେ ସାତଟି ଜିଲ୍ଲା ରହିଛି। ରାୟପୁର ଡିଭିଜନର ଗାରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ନିପାତ କରାଯାଇଥିବା ବେଳେ ଦୁର୍ଗ ଡିଭିଜନର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।
ସେପ୍ଟେମ୍ବର ୧୧ରେ ରାଜ୍ୟର ଗାରିଆବନ୍ଦ ଜିଲ୍ଲାରେ ଏକ ଏନକାଉଣ୍ଟରରେ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମୋଡେମ୍ ବାଲକୃଷ୍ଣଙ୍କ ସମେତ ଦଶ ଜଣ ମାଓବାଦୀ ନିହତ ହୋଇଥିଲେ। ତେବେ ବାଲକୃଷ୍ଣ ମାଷ୍ଟରମାଇଣ୍ଡ ସହ ଅନେକ ଅପରେସନରେ ଅଂଶଗ୍ରହଣ ମଧ୍ୟ କରିଥିଲା। ତାହା ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା।
ତେବେ ସରକାର ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରୁ ବାମପନ୍ଥୀ ଉଗ୍ରବାଦ (LWE)କୁ ନିପାତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Comments are closed.