Latest Odisha News

BREAKING NEWS

ଦାଦନ ଖଟିବାକୁ ଯାଇ ୨ ଜଣ ନିଖୋଜ, ଶ୍ରମ ଅଧିକାରୀଙ୍କ ପାଖରେ ଖବର ନାହିଁ

ନୂଆପଡ଼ା: ଦାଦନ ଖଟିବାକୁ ଯାଇଥିଲେ, ଏବେ ଖୋଜ ଖବର ମିଳୁନି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁସଦହନା ଗାଁ ଓ ସଦର ବ୍ଲକ ସରଧାପୁର ଗାଁର ୨ ଜଣ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ପରିବାରର ପେଟ ପୋଷିବାକୁ କୁସଦହନା ଗାଁର ଭୋଳା ମଲ୍ଲିକ ହାଇଦ୍ରାବାଦର ମିର୍ଚେଳ ଅଞ୍ଚଳର ଇଟା ଭାଟିରେ ଯାଇ କାମ କରୁଥିଲେ । ୪ ମାସ ଯାଏ ଘରକୁ ଫୋନ୍ ବି କରୁଥିଲେ । ହେଲେ ହଠାତ୍ ତାଙ୍କର ଆଉ କୌଣସି ଖୋଜ ଖବର ନାହିଁ । ସ୍ୱାମୀଙ୍କୁ ନ ପାଇ ସ୍ତ୍ରୀ ଭାଙ୍ଗି ପଡ଼ିଥିବା ବେଳେ ବାପାକୁ ଖୋଜୁଛି ଝିଅ । ସମସ୍ତଙ୍କୁ ଆଖିରୁ ଲୁହର ଧାର ଗଡ଼ିବା ସହ ସମୟ ବଢ଼ି ଚାଲିଛି ସିନା ନିଖୋଜ ଭୋଳାଙ୍କ ପତ୍ତା ମିଳୁନି ।

ଭୋଳା ମଲ୍ଲିକଙ୍କ ଭଳି ସଦର ବ୍ଲକ ସରଧାପୁର ଗାଁର ବୈଦ୍ୟନାଥ ମଧ୍ୟ ଦାଦନ ଯାଇ ଆଉ ଫେର ନାହାଁନ୍ତି । ଘରେ ସ୍ତ୍ରୀ, ପିଲା ବୈଦ୍ୟନାଥଙ୍କୁ ଝୁରୁ ହେଉଛନ୍ତି । ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଦାନା ମୁଠାକ ପାଇଁ ଦାଦନ ଯାଉଛନ୍ତି । କେବେ ଅନ୍ୟ ରାଜ୍ୟରେ ଦାଦନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଛି ତ ଆଉ କେବେ ଦୁର୍ଘଟଣାରେ ଜୀବନ ଯାଉଛି । ଦାଦନ ଯାଇ ନିଖୋଜ ଥିବା ଭୋଳା ଓ ବୈଦ୍ୟନାଥଙ୍କ ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନଥିବା ବେଳେ ଲିଖିତ ଅଭିଯୋଗ କରିବାକୁ କହିଛନ୍ତି ।

୨୦୨୧ ମସିହାରେ ଜିଲ୍ଲାର ୨୧୩୦ ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବା ଜିଲ୍ଲା ପ୍ରଶାସନ ପାଖରେ ଖବର ରହିଛି । ଅନ୍ୟପଟେ ଦଲାଲ୍ ପ୍ରଶାସନର ଅଗୋଚରରେ ହଜାର ହଜାର ଶ୍ରମିକଙ୍କ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏବେ ୨ ନିଖୋଜ ଶ୍ରମିକଙ୍କୁ ଶ୍ରମ ବିଭାଗ ଖୋଜି ବାହାର କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.