କଲମ୍ବୋ/ଭୁବନେଶ୍ବର: ଭାରତ ବାହାରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ଦୁଇ ଓଡିଆ ଯୁବକ । ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ବୁଲିଆସିବା ନିମନ୍ତେ ସପ୍ତାହ ବ୍ୟାପୀ କ୍ୟାମ୍ପେନ ଚଳାଇଛନ୍ତି ଦୁଇ ଓଡିଆ ଯୁବକ କୁମାରେଶ ନାୟକ ଓ ନିହାର ରଞ୍ଜନ ନନ୍ଦ । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଏହି ଯୁବକ ଦ୍ବୟ ଶ୍ରୀଲଙ୍କା ବୁଲିଯିବା ସହ ସେଠାରେ ସପ୍ତାହ ବ୍ୟାପୀ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ, ଗଲ୍, ମିରିସା, ମଟାରା, ୱେଲାୱାୟା, ଏଲା, ନାନୁୱାୟା, ନୁଆରା ଏଲିୟା, ବୁଦ୍ଧଦେବଙ୍କ ଦାନ୍ତର ଅବଶେଷ ରହିଥିବା ଐତିହାସିକ ସହର କେଣ୍ଡି, ଡମ୍ବୁଲା, ରାବଣ ରାଜ୍ୟର ଅବଶେଷ ରହିଥିବା ସହର ସିଗିରିଆ, ଲାୟନ୍ସ ରକ୍ ଆଦି ଅଞ୍ଚଳରେ ହାତରେ ଓଡିଶା ପର୍ଯ୍ୟଟନର ବ୍ୟାନର ଧରି ପ୍ରଚାର କରୁଛନ୍ତି ।
ଏହା ସହ ସିଂହଳୀ ବ୍ୟତୀତ ସ୍ବିଜରଲ୍ୟାଣ୍ଡ, ଦକ୍ଷିଣକୋରିଆ, ନ୍ୟୁଜିଲାଣ୍ଡ, ରୁଷ୍, ଜାପାନ, ଇଂଲଣ୍ଡ ଆଦି ଦେଶର ପର୍ଯ୍ୟଟକ ମାନଙ୍କ ସହ ଆଲୋଚନା କରିବା ସମୟରେ ଶ୍ରୀଲଙ୍କାକୁ କଳିଙ୍ଗ ରାଜ୍ୟ ପ୍ରଦାନ କରିଥିବା ବୁଦ୍ଧଦେବଙ୍କ ଦାନ୍ତର ଅବଶେଷ, ଓଡିଶାରେ ରହିଥିବା ଶତାଧିକ ବୌଦ୍ଧ ଭଗ୍ନାବଶେଷ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ରଥଯାତ୍ରା, ଏସିଆର ସବୁଠାରୁ ବଡ ଲବଣାକ୍ତ ହ୍ରଦ ଚିଲିକା, ଶିମିଳିପାଳ ଜୈବମଣ୍ଡଳରେ ରହିଥିବା ଶତାଧିକ ଜଳପ୍ରପାତ, ବିରଳତମ ମେଲାନିଷ୍ଟିକ ବାଘ, ବରେହିପାଣି ଜଳପ୍ରପାତ ଓ ଅନ୍ୟାନ୍ୟ ସ୍ଥାନ ବିଷୟରେ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି ।
ଏହି ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଜନ୍ମମାଟି ଓଡିଶା ତଥା ମୟୂରଭଞ୍ଜ ବୁଲିଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଦୁଇ ଓଡିଆ ଯୁବକଙ୍କୁ ଏପରି କରୁଥିବାର ଦେଖି ବିଭିନ୍ନ ଦେଶର ପର୍ଯ୍ୟଟକ ଉତ୍ସାହିତ କରିବା ସହ ଓଡିଶାର ନୌବାଣିଜ୍ୟର ଇତିହାସ, ସମୃଦ୍ଧ ମନ୍ଦିର ନିର୍ମାଣ ଶୈଳୀ କୋଣାର୍କ ଆଦି ବୁଲିଆସିବେ ବୋଲି କହିଥିବା ଏହି ଦୁଇ ଯୁବକଙ୍କୁ ବେଶ ଉତ୍ସାହିତ କରିଛି । ପୂର୍ବରୁ ମଧ୍ୟ ଏହି ଯୁବକ ମାନେ ଓଡିଶା ବାହାରେ ଭାରତର ବିଭିନ୍ନ ରାଜ୍ୟରେ ଓଡିଶା ଓ ମୟୂରଭଞ୍ଜ ପର୍ଯ୍ୟଟନକୁ ଦୀର୍ଘ ବର୍ଷ ଧରି ପ୍ରଚାର କରିଛନ୍ତି ।
ଓଡିଶାକୁ ବିଦେଶୀ ମାଟିରେ ଗୌରବାନ୍ବିତ କରିଥିବା କୁମାରେଶ୍ ନାୟକ ଓ ନିହାର ରଞ୍ଜନ ନନ୍ଦ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସହ ଇଚ୍ଛା ଶକ୍ତି ଥିଲେ ନିଜ ଜନ୍ମଭୂମୀ ନିମନ୍ତେ ଯେ କୌଣସି ସ୍ତର ପର୍ଯ୍ୟନ୍ତ ଯାଇହୁଏ ଏହାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।
Comments are closed.