Latest Odisha News

କୋଣାର୍କ ମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ୨ ରୁଷୀୟ ନାଗରିକ ଅଟକ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଅଭିଯୋଗରେ ମଙ୍ଗଳବାର ଦିନ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ୍ୁ ପୋଲିସ ଥାନାରେ ଅଟକ ରଖିଛନ୍ତି ।

୧୩ଶ ଶତାବ୍ଦୀର ଏହି ୟୁନେସ୍କୋ ପର୍ଯ୍ୟଟନସ୍ଥଳୀ ଉପରେ ଡ୍ରୋନ ଉଡ଼ାଇବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି ।

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ୨ଜଣ ରୁଷୀୟ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ଡ୍ରୋନ ମାଧ୍ୟମରେ ଫଟୋ ଉଠାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଅଧିକାରୀମାନଙ୍କୁ ଜଣାଇଥିଲେ । ଅଭିଯୋଗ ପାଇ ଏଏସଆଇ ଅଧିକାରୀମାନେ ପଚରାଉଚରା ନିମନ୍ତେ ଅଟକ ରଖିଛନ୍ତି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଗତ ଅକ୍ଟୋବର ୨୭ ତାରିଖରେ ୯ ଜଣ ବ୍ୟକ୍ତି ଡ୍ରୋନ ଉଡ଼ାଇ ଅଟକ ରହିଥିଲେ । ସେହି ସମୟରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, କୋଲକତାର ଏକ କମ୍ପାନୀ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଚିହ୍ନିତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଭିଡ଼ିଓ ଚିତ୍ର ଉତ୍ତୋଳନ କରିବାକୁ ଏହି ଦଳ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରୁଥିଲେ ।

ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ ଅକ୍ଟୋବର ୧୧ ତାରିଖରେ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଫଟୋ ଉତ୍ତୋଳନ କରିବାକୁ ଅନୁମତି ମାଗିଥିଲେ ଏବଂ ଅକ୍ଟୋବର ୧୮ ତାରିଖରେ ଏଏସଆଇ ତରଫରୁ ଅନୁମତି ପ୍ରଦାନ କରାଯାଇଥିଲା । ସେହି ଟିମ୍ ପୁରୀ ଏମାର ମଠ ଉପରୁ ଫଟୋ ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଏସମ୍ପର୍କରେ ଜଣାଇଥିଲେ ।

ସେହିପରି ଡ଼ିସେମ୍ବର ୨୦୧୭ରେ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ମାଧ୍ୟମରେ ଏକ ଶକ୍ତିଶାଳୀ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରାରୁ ଚିତ୍ର ଉତ୍ତୋଳନ କରିବା ଅଭିଯୋଗରେ ପୋଲିସ ୪ଜଣ ରୁଷୀୟ ନାଗରିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଚିତ୍ର ଉତ୍ତୋଳନ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଓ ଆଖପାଖ ନିଶିଦ୍ଧାଞ୍ଚଳରେ ‘ନୋ ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.