Latest Odisha News

ବିଜେପି ଶାସନ କବଳରୁ ଭାରତ ମୁକ୍ତ ହେବ: ନିରଞ୍ଜନ

ଭୁବନେଶ୍ୱର: ‘କଂଗ୍ରେସ ମୁକ୍ତ ଭାରତ’ ଲାଗି ବିଜେପିର କାନ୍ଦଣା ସଦ୍ୟ ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳରେ ସର୍ବ ପୁରାତନ ଦଳ ପୁନର୍ବାର ଶାସନକୁ ଫେରିବା ପରେ ଏହା ବିଜେପି ପ୍ରତି ପ୍ରହାର ସଦୃଶ ହୋଇଛି । ଏପରିକି ମଧ୍ୟପ୍ରଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରି କଡ଼ା ଟକ୍ଟର ଦେଇ ଗାଦିକୁ ଫେରିବାକୁ କଂଗ୍ରେସ ଉଦ୍ୟମ କରିଛି ।

ଆଜି ଭୋଟ ଗଣତି ଚାଲିଥିବା ସମୟରେ କଂଗ୍ରେସ ଅଧିକାଂଶ ରାଜ୍ୟରେ ଆଗୁଆ ରହିଥିବାକୁ ଲକ୍ଷ୍ୟ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏବେ ଦେଶ ବିଜେପି ଶାସନରୁ ମୁକ୍ତ ହେବାର ସମୟ ଉପନୀତ ହୋଇଛି ।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚ୍ୟାଲେଞ୍ଜ ଦେଇ କହିଥିଲେ, ସେ ଭାରତକୁ କଂଗ୍ରେସ ମୁକ୍ତ ଦେଶ ଦେଶ କରିଦେବେ । ଏବେ ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି ଏବଂ ମଧ୍ୟପ୍ରଦେଶ ମଧ୍ୟ ନିଜ ହାତରୁ ଚାଲିଯିବା ଉପରେ, ଏପରିକି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଦେଶରେ ବିଜେପି ଶାସନରୁ ମୁକ୍ତ ହେବାର ସମୟ ଆସି ପହଞ୍ଚିଛି,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଛତିଶଗଡ଼ରେ କଂଗ୍ରେସର ଚମକପ୍ରଦ ବିଜୟ ହାସଲରେ ଆନନ୍ଦ ପ୍ରକାଶ କରିଛନ୍ତି ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

“ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଆମ ଦଳ ଛତିଶଗଡ଼ରେ ଶାସନକୁ ଆସିଛି । ଆମେ ଆଶା କରୁଛୁ ଯେ, ଆମ ପଡ଼ୋଶୀ ରାଜ୍ୟଠାରୁ ବିଶେଷକରି ମହାନଦୀ ପ୍ରସଙ୍ଗ କିଛି ମାତ୍ରାରେ ହାଲୁକା ହୋଇପାରିବ । ସେଠାରେ କଂଗ୍ରେସ ଶାସନ ହାତକୁ ନେଲେ ଆମେ ସେହି ପ୍ରସଙ୍ଗ ଉପସ୍ଥାପନ କରିବୁ,”ବୋଲି ସେ କହିଛନ୍ତି ।

ଛତିଶଗଡ଼ ନିର୍ବାଚନ ଫଳାଫଳରେ ଗାଦିନାସୀନ ଶାସନ ବିରୋଧରେ ଯେପରି ମତଦାନ ହୋଇଛି ଓଡ଼ିଶାରେ ତାହା ହେବକି ବୋଲି ଏକ ପ୍ରଶ୍ନର ଉତ୍ତରରେ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଆମେ ଆଶା କରୁଛୁ ଛତିଶଗଡ଼ରେ ଯେପରି ୧୫ ବର୍ଷ ଧରି ଶାସନଗାଦିରେ ରହିଥିବା ବିଜେପିକୁ ଯେପରି ଜନସାଧାରଣ ଅସ୍ୱୀକାର କରିଛନ୍ତି ସେହିପରି ଓଡ଼ିଶାରେ ୧୮ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାରକୁ ତ୍ୟାଗ କରିବେ ଓଡ଼ିଶାବାସୀ ।”

Leave A Reply

Your email address will not be published.