Latest Odisha News

ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ; ଗିରଫ ହେଲେ ୨ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ସପିଂ ମଲରେ ବେଆଇନ୍ ପାର୍କିଂ ଫି ଆଦାୟ କରାଯାଉଥିବା ନେଇ ଖବର ସଂଗ୍ରହ କରୁଥିବା ବେଳେ ଜଣେ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ଏହି ଘଟଣାରେ ରବିବାର ଦିନ ସାମ୍ବାଦିକମାନେ ମଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହି ଘଟଣାରେ କମିଶନରେଟ୍ ପୋଲିସ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି । ସେମାନଙ୍କ ନାମ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ସ୍ଥାନୀୟ ଏକ ୱେବ ଚ୍ୟାନେଲରେ କାର୍ଯ୍ୟରତ ଜଣେ ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ ମାହାପାତ୍ର ବେଆଇନ୍ ଭାବେ ଏହି ମଲରୁ ପାର୍କିଂ ଶୁଲ୍କ ଆଦାୟ କରାଯାଉଥିବା ସମ୍ପର୍କିତ ଖବରକୁ କଭରେଜ କରୁଥିଲେ ।

ବିଡିଏ ପକ୍ଷରୁ ପାର୍କିଂ ଶୁଲ୍କ ଆଦାୟ ପାଇଁ ମନା କରାଯାଇଥିଲେ ମଧ୍ୟ ଶୁଲ୍କ କାହିଁକି ଆଦାୟ ହେଉଛି, ସେନେଇ ମହିଳା ସାମ୍ବାଦିକ ଖବର ସଂଗ୍ରହ କରୁଥିବା ବେଳେ ଅଚାନକ ସିକ୍ୟୁରିଟି ଗାର୍ଡମାନେ ଆସି ବିନା ଅନୁମତିରେ ସୁଟିଂ କରିପାରିବେ ନାହିଁ । ପରେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ କ୍ୟାମେରାକୁ ମଧ୍ୟ ବନ୍ଦ କରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମହିଳା ସାମ୍ବାଦିକା ଜଣକ କହିଛନ୍ତି, “ଖବର ପ୍ରସାରଣ ସମୟରେ ଆମ ସହିତ ସେମାନେ ଦୁର୍ବ୍ୟବହାର କରିବା ସହ କ୍ୟାମେରାକୁ ମଧ୍ୟ ପାଖାପାଖି ୨୦ମି. ଯାଏଁ ବନ୍ଦ କରିଦେଇଥିଲେ” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନେଇ ସହିଦ ନଗର ଥାନାରେ ଏତଲା ଦାଏର କରାଯାଇଛି । ପୋଲିସ ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୩୪୧, ୩୪୨, ୩୫୪ ଓ ୩୪ ଆଧାରରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.