ପାରାଦୀପ: ଗିରଫ ହେଲେ ଦୁଇ ଜାହାଜ । ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ଗିରଫ କରିଛି ପାରାଦୀପ ମେରାଇନ ପୋଲିସ । ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।
ଓସେନ୍ ଜାଡେ, ଓସେନ୍ ମୋର୍ଗାନାଇଟ ଜାହାଜ ପାରାଦୀପରେ ଥିବା ବେଳେ ଆଲ୍ଫାଡ୍ ମେରାଇନ ଲିମିଟେଡ ପକ୍ଷ୍ୟରୁ ଏହି ମାମଲା ଦାୟର କରାଯାଇଥିଲା । ପ୍ରାୟ ୪୨୮ କୋଟି ଟଙ୍କା ଦାବିକରି ସମ୍ପୃକ୍ତ ସଂସ୍ଥା ଦୁଇ ଜାହାଜକୁ ତୁରନ୍ତ ଗିରଫ କରିବା ଓ ଗିରଫ ନହେଲେ ସେମାନଙ୍କର ପ୍ରଭୁତ୍ଵ କ୍ଷତି ଘଟିବ ବୋଲି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ୍ ଜଜ୍ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜ କୁ ଗିରଫ ନୋଟିସ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜାଗା ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଦୁଇ ଜାହାଜ ସପୋର୍ଟିଂ ଜାହାଜ ଭାବେ କାର୍ଯ୍ୟ କରନ୍ତି । ଦୂର ସମୁଦ୍ର ମଧ୍ୟରେ ବୃହତ ଜାହାଜକୁ ଏମାନେ ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ଯୋଗାଇବାରେ ନିୟୋଜିତ ହୋଇଥାନ୍ତି ।