Latest Odisha News

ଆମେରିକା କେତେ ସୁରକ୍ଷିତ ? ଦୂତାବାସର ଦୁଇ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଆମେରିକାର ରାଜଧାନୀ ୱାଶିଂଟନ ଡିସିରୁ ଏକ ଡରେଇଲା ଭଳି ଖବର ସାମ୍ନାକୁ। ବୁଧବାର ସନ୍ଧ୍ୟାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କୁ ଏଠାରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ୟିହୁଦୀ ସଂଗ୍ରହାଳୟ ନିକଟରେ ଘଟିଥିଲା।

ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ୱାଶିଂଟନ ଡିସିରେ ଥିବା FBI କାର୍ଯ୍ୟାଳୟରୁ ମାତ୍ର କିଛି ପାଦ ଦୂରରେ ୟିହୁଦୀ ସଂଗ୍ରହାଳୟ ଅବସ୍ଥିତ।

ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲୀ ଦୂତାବାସ କର୍ମଚାରୀଙ୍କ ହତ୍ୟାର ସନ୍ଦିଗ୍ଧ ବ୍ୟକ୍ତି ଗୁଳିକାଣ୍ଡ ପୂର୍ବରୁ ସଂଗ୍ରହାଳୟ ବାହାରେ ବୁଲୁଥିଲେ। ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀଙ୍କୁ ହେପାଜତକୁ ନିଆଯାଇଛି ଏବଂ ସେ ଏହି ସମୟରେ ଖୁବ ଜୋରରେ ଚିତ୍କାର କରି ‘ଫ୍ରି ପାଲେଷ୍ଟାଇନ’ର ସ୍ଲୋଗାନ ମଧ୍ୟ ଦେଇଥିଲେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିକାଗୋର ୩୦ ବର୍ଷୀୟ ଏଲିଆସ୍ ରୋଡ୍ରିଗେଜ୍ ଭାବରେ ଚିହ୍ନଟ କରାଯାଇଛି।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ କହିଛନ୍ତି, “ଏହି ଘଟଣାଗୁଡ଼ିକ ଭୟଙ୍କର ଏବଂ ସ୍ପଷ୍ଟ ଭାବରେ ୟିହୁଦୀ ବିରୋଧୀ ମନୋଭାବ ଉପରେ ଆଧାରିତ। ଏଗୁଡ଼ିକ ଏବେ ଶେଷ ହେବା ଉଚିତ! ଘୃଣା ଏବଂ କଟରପନ୍ଥ ପାଇଁ ଆମେରିକାରେ କୌଣସି ସ୍ଥାନ ନାହିଁ। ମୁଁ ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଏପରି ଘଟଣା ଘଟିବା ବହୁତ ଦୁଃଖଦ! ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ! ”

ଆମେରିକାରେ ଇସ୍ରାଏଲର ରାଷ୍ଟ୍ରଦୂତ ୟେଚିଏଲ୍ ଲିଟର ସୂଚନା ଦେଇଛନ୍ତି ଯେ, ଏହି ଘଟଣାରେ ନିହତ ପୁରୁଷ ଏବଂ ମହିଳା ନିର୍ବନ୍ଧ କରିବାକୁ ଯାଉଥିଲେ।

ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ “ୟିହୁଦୀ ବିରୋଧୀ ଭାବନା ଯୋଗୁଁ ୱାଶିଂଟନରେ ଦୁଇ ଜଣ ଇସ୍ରାଏଲୀ ଦୂତାବାସ କର୍ମଚାରୀଙ୍କ ଉପରେ ଭୟାଭୟ ଗୁଳିଚାଳନା ଯୋଗୁଁ ସେ ସ୍ତବ୍ଧ ।

ନେତାନ୍ୟାହୁ ବୟାନରେ କହିଛନ୍ତି “ଆମେ ୟିହୁଦୀ ବିରୋଧ ଭାବନା ଓ ଇସ୍ରାଏଲ ବିରୁଦ୍ଧର ଭୟଙ୍କର ମୂଲ୍ୟ ଦେଖୁଛୁ। ଏହାର ମୁକାବିଲା କରାଯିବା ଆବଶ୍ୟକ।” ନେତାନ୍ୟାହୁ କହିଛନ୍ତି ଯେ ସେ ବିଶ୍ୱବ୍ୟାପୀ ଇସ୍ରାଏଲୀ ଦୂତାବାସଗୁଡ଼ିକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ମୁଖ୍ୟ କାଶ ପଟେଲ ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ୱାଶିଂଟନ୍ ଫିଲ୍ଡ ଅଫିସ୍ ନିକଟରେ ଗୁଳିକାଣ୍ଡ ବିଷୟରେ ମୋତେ ଏବଂ ମୋ ଦଳକୁ ସୂଚନା ଦିଆଯାଇଛି। ଆମେ ଅଧିକ ତଥ୍ୟ ପାଇବା ପାଇଁ କାମ କରୁଛୁ। ଦୟାକରି ପୀଡିତ ଏବଂ ସେମାନଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଏ ବିଷୟରେ ଲୋକମାନଙ୍କୁ ଅପଡେଟ୍ ଦେବୁ ।

Comments are closed.