Latest Odisha News

BREAKING NEWS

କର୍ଣ୍ଣାଟକରେ ହିଜାବ ପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ

ଉଡୁପି: କଲେଜ କୁ ହିଜାବ ପିନ୍ଧି ଯିବାରୁ ଦୁଇ ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାରେ ବିଦ୍ୟୋଦୟ ପିୟୁ କଲେଜରୁ ଆଲିଆ ଅସଦି ଓ ରେଶମଙ୍କୁ ପରୀକ୍ଷା ହଲ ଭିତରକୁ ପ୍ରବେଶ ମିଳିନି । କର୍ଣ୍ଣାଟକ ହାଇକୋର୍ଟ ହିଜାବ ବିବାଦରେ ଶୁଣାଣି କରି ରାଜ୍ୟ ସରକାରଙ୍କ ସ୍କୁଲରେ ହିଜାବ ନିଷିଦ୍ଧ ନିଷ୍ପତ୍ତିକୁ ବଜାୟ ରଖିଥିଲେ । ହାଇକୋର୍ଟରେ ହିଜାବ ବିବାଦକୁ ନେଇ ହୋଇଥିବା ମାମଲାର ପ୍ରଥମ ଦୁଇ ପିଟିସନ ଦାଖଲ କରିଥିଲେ ଆଲିୟା ଏବଂ ରେଶମ ।

ଉଭୟ ଶୁକ୍ରବାର ନିରୀକ୍ଷକ ଏବଂ ପ୍ରିନ୍ସିପାଲଙ୍କୁ ପ୍ରାୟ ୪୫ ମିନିଟ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ ମିଳିଲାନି । ଆଲିୟା ଏବଂ ରେଶମ ଯଥା ସମୟରେ ଆଡମିଟ୍ କାର୍ଡ ଏବଂ ହଲ ଟିକେଟ୍ ନେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସେମାନଙ୍କ ଜିଦ୍ଖୋର ନୀତି ତାଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରିଛି ।

ସେପଟେ ଅନ୍ୟ କଲେଜକୁ ହିଜାବ ପିନ୍ଧି ଯାଇଥିବା ଝିଅ ମାନେ କହିଛନ୍ତି ପରୀକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ପୋଷାକ ମଧ୍ୟ । ହିଜାବ ବଦଳେଇ କଲେଜ ୟୁନିଫର୍ମ ପିନ୍ଧିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ଥିବାରୁ ସେମାନେ ଆଶ୍ୱସ୍ତ ଅନୁଭବ କରିଥିବା କଥା କହିଛନ୍ତି । କିନ୍ତୁ ହିଜାବ ନିଷିଦ୍ଧ ହେବାକୁ ଅସହଜ ବୋଲି ଗ୍ରହଣ କରିଛନ୍ତି ।

ପୂର୍ବରୁ ଆଲିୟା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଏପ୍ରିଲ ୧୩ରେ ଏକ ଟ୍ୱିଟ୍ କରିଥିଲେ । ଏହା ଶେଷ ପରୀକ୍ଷା । ଭବିଷ୍ୟତ ନଷ୍ଟ ହେବା ଆଗରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବଞ୍ଚାନ୍ତୁ ବୋଲି ଅନୁରୋଧ କରିଥିଲେ ଆଲିୟା । ହିଜାବ ପିନ୍ଧି ପରୀକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଲିୟା ଟ୍ୱିଟ କରି ଅନୁରୋଧ କରିଥିଲେ ।

ପୂର୍ବରୁ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି, ହିଜାବ ପିନ୍ଧି କାହାକୁ ବି ପରୀକ୍ଷା ଦେବାକୁ ଅନୁମତି ଦିଆଯିବନି ।

Leave A Reply

Your email address will not be published.