Latest Odisha News

BREAKING NEWS

ବ୍ରହ୍ମପୁରରେ ନିର୍ମାଣ ହେବ ୨ହଜାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ; ବଢ଼ିବ ଭୂତଳ ଜଳ ସ୍ତର

ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ନିର୍ମାଣ ପାଇଁ ପ୍ରାୟ ୩୮ହଜାର ୭ଶହ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ଖୋଲା ଜାଗାରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ କର୍ମା ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରାଯିବ

ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ବ୍ରହ୍ମପୁର ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ଆପାର୍ଟମେଣ୍ଟ ଗୁଡ଼ିକ ମାତ୍ରାଧିକ ଜଳ ଶୋଷୁଥିବା ଏବଂ ପୋଖରୀ ପୋତି ହେବା ଯୋଗୁଁ ଭୂତଳ ଜଳ ସ୍ତର କମିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଥାନ୍ତି ।

ଏ ଦିଗରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସହରରେ ପ୍ରାୟ ୨ ହଜାରଟି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇ ଜାଗା ଚିହ୍ନଟ ଚାଲିଛି ।
ବ୍ରହ୍ମପୁର ମହାନଗର ନିଗମରେ ରହିଛି ୪୨ଟି ୱାର୍ଡ । ପ୍ରତି ୱାର୍ଡରେ ଅନ୍ତଃତ ୫୦ଟି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁକୁ ମିଶାଇ ସର୍ବମୋଟ ୨ ହଜାରରୁ ଅଧିକ ପ୍ରକଳ୍ପ ହେବ ବୋଲି କୁହାଯାଇଛି ।

ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ନିର୍ମାଣ ପାଇଁ ପ୍ରାୟ ୩୮ହଜାର ୭ଶହ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । କିନ୍ତୁ ଆବଶ୍ୟକତା ସ୍ଥଳେ ପ୍ରକଳ୍ପ ନିର୍ମାଣର ବ୍ୟୟ ଅଟକଳ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି । ସେହିଭଳି ଖୋଲା ଜାଗାରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ କର୍ମା ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରାଯିବ । ସମସ୍ତ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସହରରେ ଥିବା ଖୋଲା ଜାଗା, ସରକାରୀ କାର୍ଯ୍ୟାଳୟ, ପାଠାଗାର, ପାର୍କ, କଲ୍ୟାଣ ମଣ୍ଡପ ଆଦି ସ୍ଥାନ ଗୁଡ଼ିକରେ ପ୍ରକଳ୍ପ ନିର୍ମାଣ ଯୋଜନା ରହିଛି । ଜାଗା ଚିହ୍ନଟ ପାଇଁ ୱାର୍ଡ ସ୍ତରରେ ବୈଠକ ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କର୍ପୋରେଟରଙ୍କ ସହିତ ମହାନଗର ନିଗମର ଗୋଷ୍ଠୀ ସଂଯୋଜିକା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏଥିରେ ଭାଗ ନେଇଥିଲେ । କେଉଁ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ହେବ ଏବଂ ତାହାର କେମିତି ପରିଚାଳନା କରାଯାଇପାରିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ପ୍ରକଳ୍ପ ନିର୍ମାଣର ସଂପୂର୍ଣ୍ଣ ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଥିବା ବେଳେ ଜୁନ୍‌ ୧୫ ତାରିଖ ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବାରେ ଏହି ପ୍ରକଳ୍ପଗୁଡ଼ିକ ସଫଳ ହେବ ବୋଲି ନିଗମ ପକ୍ଷରୁ କୁହାଯାଇଛି । ସେହିଭଳି ଭୂତଳ ଜଳ ସ୍ତର ବୃଦ୍ଧିରେ ମଧ୍ୟ ଏହା ସହାୟକ ହେବ ବୋଲି ଆଶା ରଖାଯାଇଛି ।

ଅପରପକ୍ଷେ ପୂର୍ବ ବର୍ଷ ମଧ୍ୟ ସହରରେ ୫ଶହଟି ସ୍ଥାନରେ ପ୍ରକଳ୍ପ ନିର୍ମାଣ ହୋଇଥିଲା । ବିଶେଷକରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏହା ତିଆରି ହୋଇଛି । କିନ୍ତୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉନାହିଁ । ଅକାମି ହୋଇ ପଡ଼ିରହିଛି । ସେହି ସମୟରେ ପ୍ରକଳ୍ପ ପିଚ୍ଛା ୨୦ରୁ ୨୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇଥିଲା । ହେଲେ ବର୍ତ୍ତମାନ ସେଗୁଡ଼ିକ ନଷ୍ଟ ହେବାରେ ଲାଗିଛି । କେଉଁଠି ମାଟି ଭର୍ତ୍ତି ହୋଇ ପୋତିଗଲାଣି ତ’ ଆଉ କେଉଁଠି ଖତ ଖାଉଛି । ସେଗୁଡ଼ିକ ପୁନଃ କାର୍ୟ୍ୟକ୍ଷମ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।

ପୁରୁଣା ପ୍ରକଳ୍ପଗୁଡ଼ିକରେ ବାଲି ଭର୍ତ୍ତି କରାଯିବା ସହିତ ସେଗୁଡ଼ିକ ସଫାସୁତରା ହେବ । ଏଥି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରକଳ୍ପ ପିଚ୍ଛା ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟ ତୁରନ୍ତ ସାରିବାକୁ ନିର୍ଦେଶ ଦିଆଯାଇଛି ।

ବ୍ରହ୍ମପୁର ସହରରେ ଭୂତଳ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି । ପୂର୍ବରୁ ପୋଖରୀ ଗୁଡ଼ିକ ଜଳ ସଂରକ୍ଷଣରେ ପ୍ରମୁଖ ଭୂମିକା ନେଉଥିଲା । ପୋଖରୀରେ ବର୍ଷ ଜଳ ଜମି ରହିବା ଦ୍ୱାରା ସମସ୍ତ କୂପ ମଧ୍ୟ ଭର୍ତ୍ତି ହେଉଥିଲା । ସଂପ୍ରତି ସହରରେ ଅର୍ଦ୍ଧାଧିକ ପୋଖରୀ ଜବରଦଖଲରେ ରହି କୋଠାବାଡି ନିର୍ମାଣ ହୋଇଯିବା ଫଳରେ ଶୁଷ୍କତା ଦେଖାଦେଇଛି।

ଭୂତଳ ଜଳସ୍ତର ଧୀରେ ଧୀରେ କମିବା ଦ୍ୱାରା ଗଭୀର ନଳକୂପ ଗୁଡିକ ଯେପରି ପୂର୍ବରୁ ୧୨୦ଫୁଟରୁ ୧୫୦ଫୁଟ ଖୋଳିଲେ ଉତ୍ତମ ପାନୀୟଜଳ ବାହାରୁଥିଲା ସଂପ୍ରତି ସାଧାରଣରେ ୨ଶହରୁ ୩୫୦ଫୁଟ ତଳକୁ ଖୋଳିବାକୁ ପଡ଼ୁଛି । ଏଣୁ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ମଧ୍ୟ ଦାବି ହେଉଥିଲା । ଏସବୁ ସମସ୍ୟା ବର୍ତ୍ତମାନ ସମାଧାନ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.