Latest Odisha News

BREAKING NEWS

ସ୍ୱାମୀ ଚାଲିଗଲେ…ପୁରୁଷ ଶୁନ୍ୟ ହେଇଗଲା ଘର, ଦୁଃଖ ବୁଝିବ କିଏ?

ନବରଙ୍ଗପୁର: ପୁରୁଷ ଶୂନ୍ୟ ହୋଇଯାଇଛି ସଂସାର । ଦାଦନ ଖଟିବାକୁ ଯାଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ସ୍ୱାମୀର ଶେଷ ଦର୍ଶନ ମଧ୍ୟ ଭାଗ୍ୟରେ ନଥିଲା । ପରିସ୍ଥିତି ଏବେ ଏମିତି ଯେ ନା ମୁଣ୍ଡ ଉପରେ ଛାତ ଅଛି ନା ଖାଇବାକୁ ଦିଓଳି ଦିମୁଠା ଭାତ । ପରିବାରର ୬ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ କଟୁଛି ଦୁଇ ବିଧବାଙ୍କ ଜୀବନ । ଏହି ଦୟନୀୟ ଜୀବନର ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ l

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବାସିନୀ ପଞ୍ଚାୟତର ବି. କୁସୁମିଗୁଡା ଗାଁରେ ରହୁଥିବା ବିଧବା ମହିଳା ଉର୍ମିଳା ଖାତିଙ୍କ ବୟସ ମାତ୍ର ୨୪ ବର୍ଷ । ଏତେ କମ ବୟସରେ ଦୁଃଖର ପାହାଡ ଯେମିତି ତାଙ୍କ ମୁଣ୍ଡରେ ମାଡି ବସିଛି l ଦିନ ଥିଲା ଉର୍ମିଳାଙ୍କ ପରିବାର ହସଖୁସିରେ ଫାଟିଯାଉଥିଲା । ଶଶୁର ଓ ସ୍ୱାମୀଙ୍କ ରୋଜଗାରରେ ପରିବାରର ସମସ୍ତେ ଦୁଃଖ ସୁଖରେ ଚଳି ଯାଉଥିଲେ l ହେଲେ ଦିନେ ସତେ ଯେମିତି ଉର୍ମିଳାଙ୍କ ମୁଣ୍ଡରେ ଖସିପଡିଲା ଦୁଃଖର କଳା ବାଦଲ । ଗତ ତିନିବର୍ଷ ତଳେ ଶଶୁର ହୀରାଧର ଖାତିଙ୍କ ଦେହାନ୍ତ ହୋଇଥିଲା । ଶଶୁରଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ଉର୍ମିଳାଙ୍କ ସ୍ୱାମୀ  ଭଗବାନ ଖାତି ଉପରେ ପଡିଥିଲା । ଘରେ ବିଧବା ମାଆ, ସ୍ତ୍ରୀ, ମାନସିକ ବିକାର ଗ୍ରସ୍ତ ଭଉଣୀ ଓ ଛୋଟ ଛୋଟ ତିନି ପୁଅ ଝିଅଙ୍କ ଦାଇତ୍ୱ ଭଗବାନ ଖାତିଙ୍କ ଉପରେ ନ୍ୟସ୍ତ ଥିଲା । ଗାଁରେ କାମଧନ୍ଦା ନପାଇ ଦେଢ଼ ବର୍ଷ ତଳେ ଦାଦନ ଖଟିବାକୁ ସୁଦୂର କେରଳ ରାଜ୍ୟକୁ ଯାଇଥିଲେ ଭଗବାନ । କିନ୍ତୁ ଦଇବ ସାଜିଲା ବଇରି । ତିନିମାସ ତଳେ ଭଗବାନ ଖାତିଙ୍କର କେରଳରେ ମୃତ୍ୟୁବରଣ କରିଥିଲେ । ପରିବାରରେ ଅଭାବ ଏତେ ଥିଲା ଯେ କେରଳରୁ ଭଗବାନଙ୍କ ଶବ ଆଣିବାତ ଦୂରେ ଥାଉ ଶବକୁ ଦେଖିବାକୁ ଯିବାପାଇଁ ମଧ୍ୟ ସାମର୍ଥ୍ୟ ନଥିଲା l

ଏବେ ପୁରୁଷ ବିହୀନ ହୋଇପଡିଛି ଉର୍ମିଳାଙ୍କ ଘର l ଶାଶୁ ଓ ବହୁ ମିଶି କୁଲିକାମ କରି ଯାହା ପାଉଛନ୍ତି ସେଥିରେ କଷ୍ଟେମଷ୍ଟେ ଚାଲିଛି ସଂସାର  l ସରକାରୀ ଯୋଜନା କହିଲେ, ଘରେ ଛଅ ପ୍ରାଣୀ କୁଟୁମ୍ବ ରହୁଥିବା ବେଳେ କେବଳ ଶାଶୁଙ୍କୁ ମିଳୁଛି ମାସିକ ପାଞ୍ଚ କିଲୋ ଚାଉଳ । ଏପର୍ଯ୍ୟନ୍ତ ଭାଗ୍ୟକୁ ପକ୍କାଘର ଘର ଖଣ୍ଡେ ମିଳିନି । ଦୁଇ ବିଧବାଙ୍କୁ ବିଧବା ଭତ୍ତା ମିଳିବା କଥା ତ ଦୁରରେ ଥାଉ ଭିନ୍ନକ୍ଷମ ନଣନ୍ଦକୁ ଭିନ୍ନକ୍ଷମ ପ୍ରମାଣପତ୍ରଟେ ବି ମିଳିପାରିନାହିଁ । ଏହି ପରିସ୍ଥିତିରେ ତିନି ଛୁଆଙ୍କ ପାଠ ପଢା ମଧ୍ୟ ଅନିଶ୍ଚିତତା ମଧ୍ୟରେ ପଡ଼ିରହିଛି l

ଏହି ବିଷୟରେ ନବରଙ୍ଗପୁର ବିଡ଼ିଓଙ୍କୁ ପଚାରିବାରୁ ଶାଶୁ ସୁନାଦେଇକୁ ଅନ୍ତଃଦ୍ବୟ ଯୋଜନାରେ ସାମିଲ କରାଯାଇ ମାସିକ ପଚିଶ କିଲୋ ଚାଉଳ ଦିଆଯାଉଛି ବୋଲି କହିଛନ୍ତି କିନ୍ତୁ ପ୍ରକୃତ ପକ୍ଷେ ସୁନାଦେଇଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ହିଁ ମିଳୁଥିବା ସ୍ପଷ୍ଟ କରିଛନ୍ତି ଖାତି ପରିବାର l ଦୁଇ ବିଧବାଙ୍କ ନାଁରେ ପେନସନ ହୋଇଯାଇଛି ଶୀଘ୍ର ପାଇଯିବେ, ଏବଂ ଛୁଆଙ୍କ ପାଠ ପଢା ପାଇଁ ପରିବାର ଯଦି ଚାହାଁନ୍ତି ତାହେଲେ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ନାମ ଲେଖେଇବା ପାଇଁ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇଁ ବ୍ଲକ ପ୍ରଶାସନ ସହାୟତା କରିବ ବୋଲି କହିଛନ୍ତି ବିଡ଼ିଓ l

 

 

Comments are closed.