Latest Odisha News

BREAKING NEWS

କୋରାପୁଟରେ ୨ଜଣ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଓଡ଼ିଶା ପୋଲିସ ଡ଼ିଜିପି ଡ଼ଃ ଆର ପି ଶର୍ମାଙ୍କ ଉପସ୍ଥିତିରେ ସୁକାନ୍ତି ଓରଫ ପେଣ୍ଟି ମାଢି ଏବଂ ସଙ୍ଗୀତା ଖିଲୋ ନାମକ ୨ଜଣ ମହିଳା ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ଦେଇ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀ ସୁକାନ୍ତି, ସିପିଆଇ (ମାଓବାଦୀ) ଗୋଷ୍ଟୀର ଜଣେ କ୍ୟାଡ଼ର୍ ମାଓବାଦୀ ଏବଂ ସେ ୨୦୦୩ ମସିହାରୁ ୨୧ଟି ବିଭିନ୍ନ ମାଓବାଦୀ ହିଂସାରେ ଜଡ଼ିତ ରହିଥିଲେ । ସେ ଗୋଫାକୋଣ୍ଡା ବିସ୍ଫୋରଣ, ସୁଧାକୋଣ୍ଡା ବିସ୍ଫୋରଣ, ମାଲକାନଗିରି ଜିଲ୍ଲାର ପୋଡ଼ିଆ ଫାଣ୍ଡି ଆକ୍ରମଣ ପରି ଘଟଣାରେ ସଂଶ୍ଳିଷ୍ଟ ରହିଥିଲେ । ସୁକାନ୍ତିଙ୍କ ଲାଗି ୪ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା ।

ଅନ୍ୟ ଜଣେ ମାଓବାଦୀ ସୁକାନ୍ତି ଖିଲୋ ଗୁମ୍ମା ଏରିଆ କମିଟି ଅଞ୍ଚଳରେ ସଶସ୍ତ୍ର ମାଓବାଦୀ ସଂଗଠନରେ ରହି କାର୍ଯ୍ୟ କରୁଥିଲେ । ସେ ୬ଟି ବିଭିନ୍ନ ପ୍ରକାର ହିଂସାକାଣ୍ଡ ସହିତ ସଂଶ୍ଳିଷ୍ଟ ରହିଥିଲେ । ତାଙ୍କ ଲାଗି ୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା ।

ଏହି ଦୁଇଜଣ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହିତ ଗଣମାଧ୍ୟମ ଆଗରେ କହିଥିଲେ, “ସ୍ୱାଭିମାନ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ତଥା ଗୁରୁପ୍ରିୟା ସେତୁର ନିର୍ମାଣ ଫଳରେ ଏହି ଅଞ୍ଚଳରେ ସମସ୍ତ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରୁଛି ।”

ଏହି ଅବସରରେ ପୋଲିସ ଡ଼ିଜିପି ଡ଼ଃ ଆର ପି ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏବେ ଅଧିକରୁ ଅଧିକ ବାମପନ୍ଥୀ ମାଓବାଦୀମାନେ ଆତ୍ମସମର୍ପଣ କରିବା ପୂର୍ବକ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ସୁରକ୍ଷା ବଳ ଏବଂ ରାଜ୍ୟ ସରକାରଙ୍କ ପୋଲିସ ପକ୍ଷରୁ ମିଳିତ କାର୍ଯ୍ୟକ୍ରମ ଯୋଗୁଁ ଏହି ମାଓବାଦୀମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ।

Leave A Reply

Your email address will not be published.