ଭଦ୍ରକ: ରିଲ୍ସ କରିବା ବେଳେ ଅଘଟଣ। ନିଶାଶକ୍ତ ଅବସ୍ଥାରେ ସନ୍ଥିଆ ବ୍ରିଜ ଉପରୁ ସାନନ୍ଦୀ ନଦୀକୁ ଡେଇଁ ରିଲସ କରୁଥିବା ବେଳେ ଜଣେ ନିଖୋଜ ଥିବାବେଳେ ଜଣେ ଉଦ୍ଧାର ହୋଇଛି। ରିଲ୍ସ ପାଇଁ ମୋବାଇଲରେ ଭିଡିଓ କରୁଥିବା ଯୁବକ ଅଟକ। ଘଟଣା ଘଟିଛି ଭଦ୍ରକ ସହରର ସନ୍ଥିଆ ସ୍ଥିତ ସାଳନ୍ଦୀ ବ୍ରିଜ ଉପରେ।
କେନ୍ଦୁଝର ଅଞ୍ଚଳର ତିନି ଜଣ ଯୁବକ ଭଦ୍ରକରେ ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଆଜି କୌଣସି କାମ ନମିଳିବାରୁ ରିଲ୍ସ କରିବାକୁ ସାଳନ୍ଦୀ ବ୍ରିଜକୁ ଆସିଥିଲେ। ଜଣେ ଯୁବକ ଡେଇଁବା ପରେ ଆଉ ଜଣେ ଯୁବକ ପୋଲ ଉପରୁ ନଦୀକୁ ଡ଼ିଆଁ ମାରିଥିଲେ। ଅନ୍ୟ ଜଣେ ମୋବାଇଲେ ଏହାକୁ ସୁଟିଂ କରୁଥିଲେ ରିଲ୍ସ ପାଇଁ। ତେବେ ପ୍ରଥମ ଯୁବକ ଜଣଙ୍କ ଉଦ୍ଧାର ହୋଇଥିବା ବେଳେ ଦ୍ୱିତୀୟ ଯୁବକ ଜଣଙ୍କ ପୋଲର ପିଣ୍ଡିରେ ବାଡେଇ ହୋଇ ଯାଇଥିବା ଅନୁମାନ କରାଯାଉଛି।
ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ମିଥୁନ ନାୟକ ନାମକ ଯୁବକଙ୍କୁ ଖୋଜା ଖୋଜି କରୁଛି। ପୋଲିସ ଦୁଇଜଣ ଯୁବକକୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରୁଥିବା ବେଳେ ପାଣିରେ ବୁଡ଼ି ଯାଇଥିବା ଯୁବକ ନିଖୋଜ ରହିଛି।