ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି ।
୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ ଚିହ୍ନ ଥିବାର ଡାକ୍ତର କେତନ ନାୟକ କହିଛନ୍ତି । ଶିଶୁଟି ସୁରଟର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ପ୍ରାଣ ହରାଇଛି। ଶିଶୁକନ୍ୟାର ମା’ ବାପା ଦିନ ମଜୁରିଆ। ସେମାନେ ଖଜୋହ ଅଞ୍ଚଳର ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ରହୁଥିଲେ। ରବିବାର ସେମାନେ କାମକୁ ଯାଇଥିବାବେଳେ ଝିଅକୁ କୁକୁର କାମୁଡ଼ିଥିବା ଖବର ପାଇ ଘରକୁ ଫେରିଥିଲେ। ଝିଅକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ବହୁତ ଚେଷ୍ଟା କରିଥିବା ସତ୍ତ୍ୱେ ଶିଶୁଟିର ଜୀବନ ବଞ୍ଚାଇପାରିନଥିଲେ ।
କୁକୁର ପଲ ଶିଶୁର ମୁଣ୍ଡ, ହାତ, ଗୋଡ଼କୁ କାମୁଡ଼ିଥିଲେ । କେତେକ କ୍ଷତ ଅଧିକ ଗଭୀର ଥିଲା ବୋଲି ଡାକ୍ତର କହିଛନ୍ତି। ଅସ୍ତ୍ରୋପଚାର ପରେ ଶିଶୁଟିର ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଥିଲେ ମଧ୍ୟ ଗୁରୁବାର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ସୁରଟରେ ୨୦ ହଜାର କୁକୁର ଥିବାବେଳେ ଦୈନିକ ୩୦ଟିର ଷ୍ଟେରିଲାଇଜେଶନ କରାଯାଉଥବା ପୌର ନିଗମ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖିବାକୁ ମିଳିଛି ।
Comments are closed.