Latest Odisha News

BREAKING NEWS

ଜାପାନ ଛୁଇଁଲା ପ୍ରଳୟଙ୍କରୀ ‘ସୁପର୍ ତାଇଫୁନ ହାଗିବିସ୍’

ଟୋକିଓ: ‘ସୁପର୍ ତାଇଫୁନ ହାଗିବିସ୍’ ଶନିବାର ଦିନ ଜାପାନ ଉପକୂଳ ଛୁଇଁଛି । ଅନ୍ତର୍ଜାତୀୟ ପାଣିପାଗ ଏଜେନ୍ସି ମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଗତ ୬୦ ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ତାଇଫୁନ ।

ଜାପାନରେ ଅନୁଭୂତ ହେଉଥିବା ଏହି ସୁପର୍ ତାଇଫୁନ ହାଗିବିସ୍ ନେଇ ଜାପାନ ସରକାରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଇଫୁନକୁ ସାମ୍ନା କରିବା ଲାଗି ସାହସ ଦେବା ସହିତ ସମବେଦନା ଜଣାଇଛନ୍ତି ।

ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୭.୩ ମିଲିୟନ ଜନସାଧାରଣଙ୍କୁ ବାଧ୍ୟତାମୂଳକ ଭାବେ ଇତିମଧ୍ୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି ।

ଏହି ଭୟଙ୍କର ସୁପର୍ ତାଇଫୁନ ଜାପାନ ଉପକୂଳ ଛୁଇଁବା ପୂର୍ବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତାଇଫୁନ ଉପକୂଳ ଛୁଇଁବା ପୂର୍ବରୁ ଏଥିରେ ଦୁଇଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଏପର୍ଯ୍ୟନ୍ତ ଏହି ତାଇଫୁନ ଯୋଗୁଁ ୩୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ଏବଂ ସେଥିମଧ୍ୟରୁ ୨ ଜଣ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଜାପାନ ଉପକୂଳରେ ଅନୁଭୂତ ହେବା ସହିତ ଶନିବାର ଦିନ ସନ୍ଧ୍ୟା ୭ଟା ସମୟରେ ହୋଂସୁ ଦ୍ୱୀପ ଛୁଇଁଛି । ଏହି ତାଇଫୁନ କ୍ରମେ ଟୋକିଓର ଦକ୍ଷିଣ ପଶ୍ଚିମ ଦିଗଦେଇ ଇଜ୍ଜୁ ଉପକୂଳ ଆଡ଼କୁ ଗତି କରୁଛି ବୋଲି ଜାପାନ ପାଣିପାଗ ଏଜେନ୍ସି (ଜେଏମଏ) ପକ୍ଷରୁ ସୂଚନା ଜାରି କରାଯାଇଛି । ଏବେ ଏହି ତାଇଫୁନ ଯୋଗୁଁ ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନ ବହିବାରେ ଲାଗିଛି ।

ଜାପାନ ଗଣମାଧ୍ୟମ ପକ୍ଷରୁ କହାଯାଇଛି ଯେ, ଟୋକିଓର ପୂର୍ବ ଚିବା ଉପକୂଳରେ ଏହି ତାଇଫୁନ ପହଞ୍ଚିବା ପୂର୍ବରୁ ପବନ ଯୋଗୁଁ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇପଡ଼ିଛି । ପଚଣ୍ଡ ଗତିର ପବନ ଯୋଗୁଁ କେତେକସ୍ଥାନରେ ବଡ଼ ବଡ଼ ବୃକ୍ଷ ଉପୁଡ଼ି ପଡ଼ିଥିବା ବେଳେ ଅନେକ ସ୍ଥାନରେ ରାସ୍ତାରେ ଯାଉଥିବା ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ଅନେକ କୋଠାଘର ମଧ୍ୟ ଏହି ତାଇଫୁନର ପବନରେ କ୍ଷତିଗ୍ରସ୍ତ ହୋଇଛି ।

 

Leave A Reply

Your email address will not be published.