Latest Odisha News

BREAKING NEWS

ଜାଣନ୍ତୁ କନ୍ଧମାଳ ଆଦିବାସୀ ଗାଁର ଏହି ଯୁବକଙ୍କୁ; କିପରି ହେଲେ ଇସ୍ରୋ ବୈଜ୍ଞାନିକ

ଫୁଲବାଣୀ: କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ଼ ମନୋବଳ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଏହା କିଛି ରାକେଟ ସାଇନ୍ସ ନୁହେଁ।

ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ସିମ୍ବାଳି ଗ୍ରାମର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ । ଯିଏକି ଏବେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ଠାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି ।

“ମୋ ବାପାମା’ ଚାହୁଁଥିଲେ ମୁଁ ଆଗକୁ ମୋ ପଢା ଜାରି ରଖେ । କିନ୍ତୁ ଅର୍ଥାଭାବ ଯୋଗୁଁ ମେକାନିକାଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିବା ପରେ କଲିକତାର ଏକ ଘରୋଇ ସଂସ୍ଥାରେ ଡିଜାଇନ ଇଂଜିନିୟର ଭାବେ କାର୍ଯ୍ୟ କରିଥିବା” କହିଛନ୍ତି ଅଭିମନ୍ୟୁ ।

କିନ୍ତୁ ନିଜ ସ୍ବପ୍ନକୁ ନେଇ ଦୃଢ଼ମନା ଥିବା ଏହି ଜିଦିଆ ଯୁବକ ନିଜ ବୈଜ୍ଞାନିକ ହେବାର ଇଚ୍ଛାକୁ କେବେ ମରିବାକୁ ଦେଇନଥିଲେ । କାମ ଭିତରେ ମଧ୍ୟ ନିଜ ସ୍ବପ୍ନ ପୁରଣ କରିବା ପାଇଁ ପାଠପଢୁଥିଲେ ଅଭିମନ୍ତ୍ୟ ।

ଶେଷରେ ଇସ୍ରୋ ଦ୍ୱାରା ୨୦୦୭ ମସିହାରେ ହୋଇଥିବା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ନିଜ ସ୍ବପ୍ନକୁ ପୂରଣ କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ସେ ହାଇଦ୍ରାବାଦ ଶ୍ରୀହରିକୋଟା ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରଠାରେ ରକେଟ୍‌ ୱିଙ୍ଗରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି ।

ନିଜ ସ୍କୁଲ ଦିନକୁ ମନେପକାଇ ସେ କହିଛନ୍ତି ଯେ, ଗାଁ ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ସାରିବା ପରେ ଖଜୁରିପଡା ବ୍ଲକ ସ୍ଥିତ ରାଣପାଟୁଳି ଉଚ୍ଚ ବିଦ୍ୟାଳୟ ଠାରେ ସେ ଷଷ୍ଠ ଶ୍ରେଣୀ ନିମନ୍ତେ ନାମ ଲେଖାଇଥିଲେ। ଗାଡ଼ିମଟର ଯିବାକୁ ତାଙ୍କ ଗାଁକୁ ଏବେ ବି ନିତିଦିନିଆ ରାସ୍ତା ନାହିଁ। ପ୍ରାୟ ୫କିଲୋମଟର ଯିବା ପରେ କୁସୁମେଣ୍ଡି ଗାଁ ରାସ୍ତା ପଡ଼େ। ଯେଉଁଠୁ ରାସ୍ତା ଟିକେ ଭଲଥାଏ । ଗାଁର ମାଟି କାଦୁଅ ଖାଲ ଖମାର ରାସ୍ତା ଦେଇ ସ୍କୁଲ ଯାଆନ୍ତି ଅଭିମନ୍ୟୁ । ସେ ଯାହାବି ହେଉ ସବୁ ବାଧା ବିଘ୍ନ ପରେ ମଧ୍ୟ ନିଜର ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିବା କହନ୍ତି ସେ ।

ଭବିଷ୍ୟତରେ ତାଙ୍କୁ ଯାହାକିଛିବି କାର୍ଯ୍ୟ ସମ୍ପାଦନା କରିବାକୁ ଦିଆଯିବ, ତାକୁ ସଫଳତାର ସହ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି କହିଛନ୍ତି ଅଭିମନ୍ୟୁ ।

ପୁଅର ସଫଳତାରେ ନିଜ ଖୁସି ବ୍ୟକ୍ତ କରି ଅଭିମନ୍ୟୁଙ୍କ ମାଆ କହିଛନ୍ତି ଯେ, ” ମୁଁ ବହୁତ ଖୁସି ମୋ ପୁଅ ଆଜି ଏହିଠାରେ ପହଞ୍ଚିଛି ଓ ନିଜ ପରିବାର ଚଳାଇବାରେ ସକ୍ଷମ ହୋଇପାରଛି । ପୁଅର ସଫଳତାରେ ସାରା ଗାଁ ଗର୍ବ ଅନୁଭବ କରୁଛି” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.