Latest Odisha News

BREAKING NEWS

ଆକାଶରେ ଏମର୍ଜେନ୍ସି…ବିମାନ ଯାତ୍ରା ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ଆକାଶରେ ଏମର୍ଜେନ୍ସି । କେତେବେଳେ ବିମାନ ନେଉଛି ୟୁ-ଟର୍ଣ୍ଣ ତ କେତେବେଳେ ଏମର୍ଜେନ୍ସି ଲ୍ୟାଣ୍ଡିଂ । ଗତ ୩୬ଘଣ୍ଟା ମଧ୍ୟରେ ବିମାନଯାତ୍ରାକୁ ନେଇ ଆସିଛି ଏଭଳି ଅନେକ ଚିନ୍ତାଜନକ ଖବର । ସ୍ଥିତି ଏମିତି ହୋଇଛି ଯେ, ଲୋକେ ବିମାନ ଯାତ୍ରା କରିବାକୁ ଏକପ୍ରକାର ଭୟ କରୁଛନ୍ତି । ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚିନ୍ତା ବଢିଛି । ଦୁର୍ଘଟଣାରେ ୨୭୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୨୪୧ଜଣ ବିମାନ ଯାତ୍ରୀ ଥିଲେ । ବୋଇଂ ୭୮୭-୮ଡ୍ରିମଲାଇନର ବିମାନ ଅହମଦାବାଦ ଏୟାରପୋର୍ଟରୁ ଟେକଅଫ୍ କରିବା ପରେ କ୍ରାସ ହୋଇ ଯାଇଥିଲା । ଏହାପରେ ଲଗାତର ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ଓ ୟୁ-ଟର୍ଣ୍ଣ ଯାତ୍ରୀଙ୍କ ଚିନ୍ତା ବଢାଇଛି ।

ମୁମ୍ବାଇ ଯାଉଥିଲା, କୋଲକାତାରେ ଓହ୍ଲାଇଲା

ସାନଫ୍ରାନସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କୁ କୋଲକାତା ଏୟାରପୋର୍ଟରେ ଓହ୍ଲାଇଛି । ବିମାନର ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ରହିଥିଲା । ଫଳରେ ବିମାନର ଟେକଅଫରେ ବିଳମ୍ବ ହୋଇଥିଲା । ମଙ୍ଗଳବାର ସକାଳ ପ୍ରାୟ ୫ଟା ୨୦ରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା । ଉଡାଣ ସୁରକ୍ଷାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଯାତ୍ରୀଙ୍କୁ କହିଥିଲେ କ୍ୟାପଟେନ୍ । ଅହମଦାବାଦରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରଠୁ ଏୟାର ଇଣ୍ଡିଆର ବିଭିନ୍ନ ବିମାନରେ ଟେକ୍ନିକାଲ ସମସ୍ୟା ସାମନାକୁ ଆସିଛି ।

ଅଧାରୁ ଫେରିଗଲା ବିମାନ

ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟରେ ଆକାଶମାର୍ଗରେ ହିଁ ସମସ୍ୟା ଦେଖା ଦେଇଥିଲା । ବିମାନରେ ଟେକ୍ନିକାଲ ସମସ୍ୟା ନେଇ ସନ୍ଦେହ କରିଥିଲେ ପାଇଲଟ୍ । ସତର୍କତା ଦୃଷ୍ଟିରୁ ବୋଇଂ ୭୮୭ ବିମାନ ହଂକଂରୁ ଉଡାଣ ଭରିବାର କିଛି ସମୟ ପରେ ହିଁ ଫେରି ଯାଇଥିଲା । ବିମାନରେ ୨ଶହରୁ ଅଧିକ ଯାତ୍ରୀ ଥିଲେ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ବୟାନ ଜାରି କରାଯାଇଛି । ଯାନ୍ତ୍ରିକ ସମସ୍ୟା ଯୋଗୁଁ ବିମାନ ହଂକଂ ଫେରିଯାଇଥିଲା । ବିମାନକୁ ହଂକଂରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଛି । ଯାତ୍ରୀଙ୍କୁ ଦିଲ୍ଲୀରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ବିମାନରେ ବୋମା ଧମକ

ଲୁଫଥାନ୍ସାର ଏକ ବିମାନକୁ ବୋମା ଧମକ ମିଳିବା ପରେ ଏହା ଫ୍ରାଙ୍କଫ୍ରୁଟ୍ ଫେରି ଯାଇଥିଲା । ବିମାନଟି ହାଇଦ୍ରାବାଦ ଆସୁଥିଲା । ଭାରତର ଏୟାରସ୍ପେସ ବାହାରେ ଥିବା ବେଳେ ବିମାନକୁ ବୋମା ନେଇ ଧମକ ମିଳିଥିଲା । ଲୁଫଥାନ୍ସାର ଫ୍ଲାଇଟ୍ ସୋମବାର ହାଇଦ୍ରାବାଦରେ ପହଞ୍ଚିବାର ଥିଲା । ତେବେ ଫ୍ଲାଇଟ୍ ଟ୍ରାକିଂ ଡାଟାରୁ ବିମାନଟି ଉଡାଣ କିଛି ଘଣ୍ଟା ପରେ ହିଁ ଫେରି ଯାଇଥିବା ଜଣାପଡିଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲା ଯାଇଥିବା ବେଳେ ବୋମା ଧମକ ନେଇ ଯାଞ୍ଚ କରାଯାଉଛି ।

ଆକାଶରେ ଏମର୍ଜେନ୍ସି

ଏକ ବ୍ରିଟିଶ ଲଢାକୁ ବିମାନ ରବିବାର କେରଳରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଇନ୍ଧନ କମ୍ ରହିଥିବାରୁ ବିମାନକୁ ଜରୁରୀକାଳୀନ ଭାବେ ଓହ୍ଲା ଯାଇଥିବା କୁହାଯାଇଥିଲା । ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲ ବା ଏଟିସିକୁ ରାତି ପ୍ରାୟ ୯ଟା ୨୦ରେ ଅବଗତ କରାଯାଇଥିଲା । ପରେ ୯ଟା ୨୮ରେ ବିମାନଟି ସୁରକ୍ଷିତ ଭାବେ କେରଳ ଓହ୍ଲାଇ ଇନ୍ଧନ ଭରିଥିଲା । ବ୍ରିଟିଶ ଏୟାରଫୋର୍ସର ଏହି ବିମାନ ଭାରତ ମହାସାଗରରେ ଏକ ବିମାନବାହକ ଯୁଦ୍ଧପୋତରୁ ଉଡାଣ ଭରିଥିଲା ।

୨୪ଘଣ୍ଟା ମଧ୍ୟରେ ତିନି ତିନି ଥର ବିମାନ ଯାତ୍ରାରେ ସମସ୍ୟା ହୋଇଛି । ମଙ୍ଗଳବାର ଏହାର ପୁନରାବୃତି ଦେଖିବାକୁ ମିଳିଛି । ଏସବୁ ଘଟଣାରେ କାହାର କୌଣସି କ୍ଷତି ହୋଇନି ସତ ତେବେ ବିମାନ ଯାତ୍ରା ସୁରକ୍ଷା ନେଇ ଚିନ୍ତା ବଢିଛି । ବିଶ୍ବରେ ଉତ୍ତେଜନା ଚରମରେ ଥିବା ବେଳେ ବିମାନ ଯାତ୍ରା ଉପରେ ଅଧିକ ମାତ୍ରାରେ ନିର୍ଭର କରାଯାଉଛି । ହେଲେ ନିକଟରେ ଘଟିଥିବା ଏସବୁ ଘଟଣା ପରେ ସୁରକ୍ଷିତ ଯାତ୍ରା ନେଇ ଏବେ ଚିନ୍ତାରେ ଯାତ୍ରୀ ।

Comments are closed.